ଚିନ୍ତାରେ ରାଜ୍ୟ ଯୋଗାଣ ନିଗମ ମିଲରଙ୍କ ଉପରେ ୧୨ ହଜାର ଟନ୍ ଚାଉଳ ବାକି

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାରେ ଚାଉଳ ସଂଗ୍ରହ ହାରକୁ ନେଇ ଉଦବେଗ ପ୍ରକାଶ କରିଛି ରାଜ୍ୟ ଯୋଗାଣ ନିଗମ। ଜୁଲାଇ ୩୧ ତାରିଖକୁ ଚାଉଳ ସଂଗ୍ରହର ସମୟ ସୀମା ଧାର୍ଯ୍ୟ କରାଯାଇଥିବାବେଳେ ଏବେ ବି ଜିଲାରୁ ୧୨ ହଜାର ମେଟ୍ରିକ ଟନ ଚାଉଳ ସଂଗ୍ରହ ହେବାକୁ ବାକି ଅଛି। ଜିଲାର ୨୫ ମିଲରଙ୍କ ମଧ୍ୟରୁ ୧୧ ଜଣ ମିଲର ଜିଲାର ହାରାହାରି ଚାଉଳ ସଂଗ୍ରହ ପ୍ରତିଶତଠାରୁ କମ୍ ଚାଉଳ ପ୍ରଦାନ କରିଥିବା ବେଳେ ୨ ଜଣ ମିଲର ୨୦ ପ୍ରତିଶତ ଚାଉଳ ବି ଫେରାଇ ନାହାନ୍ତି। ଏହି ମିଲରଙ୍କ ଉପରେ ନଜର ରଖିବା ସହ ଚାଉଳ ସଂଗ୍ରହ ପ୍ରକ୍ରିୟା କେମିତି ବାକି ଦିନରେ ତ୍ୱରାନ୍ୱିତ ହେବ ସେନେଇ ଧ୍ୟାନ ଦେବାକୁ ରାଜ୍ୟ ଯୋଗାଣ ନିଗମର ମହାପ୍ରବନ୍ଧକ ଭଦ୍ରକ ଜିଲା ଯୋଗାଣ ଅଧିକାରୀଙ୍କୁ ଜୁଲାଇ ୯ ତାରିଖରେ ଚିଠି ଲେଖିଛନ୍ତି। ବିଭାଗୀୟ ତଥ୍ୟ ଅନୁଯାୟୀ, ସମବାୟ ସମିତି ମାଧ୍ୟମରେ ଜିଲା ଯୋଗାଣ ନିଗମ କିଣିଥିବା ଧାନକୁ ମିଲିଂ ଲାଗି ମିଲରଙ୍କୁ ଦିଆଯାଇଥାଏ। ଭଦ୍ରକ ଜିଲାର ୨୫ଜଣ ମିଲରଙ୍କୁ ଏଥର ଯୋଗାଣ ନିଗମ ୯୧ ହଜାର ଟନ ଧାନ ଦେଇଥିଲା। ବଦଳରେ ମିଲରମାନେ ସମାନୁପାତିକ ଭାବେ ୬୧ ହଜାର ୮୦୨ ଟନ ଚାଉଳ ଯୋଗାଣ ନିଗମକୁ ଫେରାଇବା କଥା। ଏବେ ସୁଦ୍ଧା ମିଲରମାନେ ୪୯ ହଜାର ୧୩୮ ଟନ ଚାଉଳ ଫେରାଇଛନ୍ତି। ଏ ବାବଦରେ ଜିଲାର ହାରାହାରି ଚାଉଳ ସଂଗ୍ରହ ପ୍ରତିଶତ ୭୯.୫୧ ପ୍ରତିଶତ ପହଞ୍ଚିଛି। ତେବେ ୨୫ ମିଲରଙ୍କ ମଧ୍ୟରେ ୧୧ଜଣ ମିଲର ଜିଲାର ହାରାହାରି ସଂଗ୍ରହ(ଜିଲା ଏଭରେଜ)ଠାରୁ କମ୍ ଚାଉଳ ଦେଇଛନ୍ତି। କିଏ ୬୫ ପ୍ରତିଶତ ଦେଇଛି ତ କିଏ ୪୭ ପ୍ରତିଶତ ଦେଇଛନ୍ତି। ଆଉ କିଏ ୫୮ ପ୍ରତିଶତ ଚାଉଳ ଫେରାଇଛନ୍ତି। କିନ୍ତୁ ଦୁଇ ଜଣ ମିଲର ଏସଏସ ଇଣ୍ଟରପ୍ରାଇଜେସ ଓ ଜେଡିି ଏଗ୍ରୋ ୨୦ ପ୍ରତିଶତରୁ କମ୍ ଚାଉଳ ଫେରାଇଛନ୍ତି। ଅପରପକ୍ଷେ ୨୫ ମିଲରଙ୍କ ମଧ୍ୟରୁ ୧୪ ଜଣ ମିଲରଙ୍କ ପ୍ରଦର୍ଶନ ଭଲ ଥିବା ବେଳେ ୧୧ ମିଲରଙ୍କ ପ୍ରଦର୍ଶନକୁ ନେଇ ରାଜ୍ୟ ନିଗମ ଚିନ୍ତା ପ୍ରକଟ କରିଛନ୍ତି। ପରୋକ୍ଷରେ ମିଲରମାନେ ଚାଉଳ ଫେରାଇବା ଦିଗରେ କୋ÷ଣସି ବାହାନା ନେଇ ପାରିବେ ନାହିଁ ବୋଲି ମହାପ୍ରବନ୍ଧକ ଚେତାଇ ଦେଇଛନ୍ତି। ଏପରିକି ଚାଉଳ ରଖିବା ଲାଗି ଗୋଦାମରେ ସ୍ଥାନାଭାବ ଥିବା କଥା କୁହାଯାଇ ପାରିବ ନାହିଁ। ଜିଲାର ବଳଜିତପଡା, ବ୍ରାହ୍ମଣୀଗାଁ, ଆରଏମସି କ୍ୟାମ୍ପ, ଧାମନଗର ଛକ, ଭଦ୍ରକ, ବନ୍ତ ଓ ଚାନ୍ଦବାଲିରେ ଥିବା ନିଗମ ଗୋଦାମରେ ସ୍ଥାନାଭାବ ନାହିଁ ବୋଲି କୁହାଯାଇଛି। ଏଣୁ ଯେଉଁ ତରିକାରେ ଚାଉଳ ମିଲରମାନେ ଫେରାଉଛନ୍ତି, ତାହା ଯଦି ତ୍ୱରାନ୍ୱିତ ନହୁଏ ତେବେ ନିର୍ଦ୍ଧାରିତ ସମୟ ଜୁଲାଇ ୩୧ ତାରିଖ ସୁଦ୍ଧା ସମସ୍ତ ଚାଉଳ ଫେରି ପାଇବା ଅସମ୍ଭବ ବୋଲି ଚେତାଇ ଦେଇଛନ୍ତି ମହାପ୍ରବନ୍ଧକ। ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଜିଲା ଯୋଗାଣ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ଉକ୍ତ ଚିଠିର ଏକ ନକଲ ଜିଲାପାଳଙ୍କୁ ମଧ୍ୟ ଦିଆଯାଇଛି।

Leave a Reply

Your email address will not be published. Required fields are marked *