ଚିନିକଳ ଜମିରେ ଫୁଡ ପାର୍କ ପ୍ରତିଷ୍ଠା ପ୍ରସଙ୍ଗ ଜମିହରାଙ୍କୁ ଭରସା ଦେବାରେ ରାଜ୍ୟ ସରକାର ବିଫଳ

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚିନିକଳ ଲାଗି ଅଧିଗୃହୀତ ଜମିରେ ଫୁଡ୍ ଏଣ୍ଡ ଟେକ୍ସଟାଇଲ ପାର୍କ ନିର୍ମାଣ ଉଦ୍ୟମରୁ ସୃଷ୍ଟ ବିବାଦ ସମାଧାନ ହେବା ବଦଳରେ କ୍ରମଶଃ ଜଟିଳ ହେବାରେ ଲାଗିଛି। ଅଧିଗୃହୀତ ଜମିରେ ଇଡକୋ ପକ୍ଷରୁ ହେଉଥିବା ପାଚେରୀ ନିର୍ମାଣ ଉଦ୍ୟମକୁ ଜମିହରାଙ୍କ ବିରୋଧ ଜାରି ରହିଛି। ଇଡକୋ ପାଚେରୀ ନିର୍ମାଣ କରୁଥିବା ବେଳେ ଜମିହରା ତାହାକୁ ଭାଙ୍ଗୁଛନ୍ତି। ଜମିହରାଙ୍କ ଏଭଳି ବିରୋଧ ପ୍ରଦର୍ଶନ ବେଆଇନ ବୋଲି ଦର୍ଶାଇ ଇଡକୋ ପକ୍ଷରୁ ଜମିହରାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଉଛି। ଏହା ମଧ୍ୟରେ ୧୧୨ ଜଣଙ୍କ ନାମରେ ମାମଲା ରୁଜୁ ହେବା ସହ ପୁଲିସ ଉପସ୍ଥିତିରେ ଜମି ଦଖଲ ନେବାକୁ ଇଡକୋ ପକ୍ଷରୁ ଉଦ୍ୟମ ହେଉଛି। ଏପଟେ ଇଡକୋର ଏହି ଉଦ୍ୟମକୁ ଅଗଣତାନ୍ତ୍ରିକ ବୋଲି ଦର୍ଶାଇ ଭିତରେ ଜୋରଦାର ଆନ୍ଦୋଳନ ପାଇଁ ସଜବାଜ ବି ଚାଲିଛି। ଘଟଣାଟି ଏହିପରି, ୨୫ ବର୍ଷ ତଳେ ଜାତୀୟ ରାଜପଥର ଧାମନଗର ଛକ ନିକଟରେ ଚିନିକଳ ପ୍ରତିଷ୍ଠା ଲାଗି ପ୍ରସ୍ତାବ ରହିଥିଲା। ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ଉକ୍ତ ଇଲାକାର ପାଇମହୁରା, ହେଲପୁର, ମଜୁରିଗଡିଆ ଆଦି ମୋ÷ଜାର ୨୪୭ ଏକର ଜମିକୁ ଇଡକୋ ଜରିଆରେ ଅଧିଗ୍ରହଣ କରାଯାଇଥିଲା। ଜମିହରାଙ୍କୁ ଚିନିକଳରେ ନିଯୁକ୍ତି, ଆଖୁଚାଷ ପାଇଁ ପ୍ରୋତ୍ସାହନ ଆଦି ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା। ନିଯୁକ୍ତି ଓ ଆର୍ଥିକ ବିକାଶକୁ ଆଖି ଆଗରେ ରଖି ସ୍ଥାନୀୟ ଲୋକେ ଇଡକୋକୁ ଚିନିକଳ ଲାଗି ଜମି ହସ୍ତାନ୍ତର କରିଥିଲେ। ଧରଣୀ ସୁଗାର୍ସ ଲିମିଟେଡ ନାମକ କଂପାନୀ ଉକ୍ତ ଜମିରେ ଚନିକଳ ପ୍ରତିଷ୍ଠା କରିବାର ଥିଲା। କିନ୍ତୁ କୋ÷ଣସି କାରଣରୁ ଧରଣୀ ସୁଗାର୍ସ ଚିନିକଳ ପ୍ରତିଷ୍ଠା ନିଷ୍ପତିରୁ ଓହରିଯିବା ପରେ ସ୍ଥାନୀୟ ଲୋକେ ଉକ୍ତ ଜମିକୁ ପୂର୍ବ ଭଳି ଚାଷ କରୁଥିଲେ। ତେବେ ଗତ ୩ ବର୍ଷ ହେବ ରାଜ୍ୟ ସରକାର ଉକ୍ତ ଜମିରେ ଏକ ଫୁଡ୍ ଏଣ୍ଡ ଟେକ୍ସଟାଇଲ ପାର୍କ ନିର୍ମାଣ କରିବେ ବୋଲି ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ଇଡକୋ ପକ୍ଷରୁ ଅଧିଗୃହୀତ ଜମିକୁ ଦଖଲ ଲାଗି ଉଦ୍ୟମ ହେବା ପରେ ଜୋରଦାର ବିରୋଧ ଆରମ୍ଭ ହୋଇଛି। ତେବେ ‘୨୫ ବର୍ଷ ତଳେ ଶାଗମାଛ ଦରରେ ଜମି ହସ୍ତାନ୍ତର କରିଥିଲୁ ଚିନିକଳ ପ୍ରତିଷ୍ଠା ପାଇଁ। ଏବେ ଯଦି ସରକାର ଚିନିକଳ ପ୍ରତିଷ୍ଠା କରିବେ ତେବେ ଆମେ ଜମି ଛାଡିବୁ। ଅନ୍ୟଥା ଜମି ଛାଡିବୁ ନାହିଁ’ ବୋଲି ଜମିହରାଙ୍କ ପକ୍ଷରୁ ଯୁକ୍ତି କରାଯାଇଛି। ଏଥିଲାଗି ଜମିହରାମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାୟର ମଧ୍ୟ କରିଛନ୍ତି। ଏପଟେ ଇଡକୋ ପକ୍ଷରୁ ଜମିହରାଙ୍କୁ ଅତିରିକ୍ତ ଭାବେ କିଛି ପ୍ରୋତ୍ସାହନ ରାଶି ପ୍ରଦାନ କରି ଜମି ହାତେଇବାକୁ ହୋଇଥିବା ଉଦ୍ୟମ ବି ଫେଲ ମାରିଛି। ଗୋଟିଏ ପଟେ ଜମିହରା ନିଜ ଜିଦରେ ଥିବା ବେଳେ ଅନ୍ୟପଟେ ଇଡକୋ ମଧ୍ୟ କୋ÷ଣସି ପ୍ରକାରେ ଅଧିଗୃହୀତ ଜମିରେ ପାଚେରୀ ନିର୍ମାଣ ଲାଗି ଉଦ୍ୟମ ଜାରି ରଖିଛି। ଇଡକୋର ଏହି ଉଦ୍ୟମକୁ ବିଜେପି ପକ୍ଷରୁ ତୀବ୍ର ବିରୋଧ ମଧ୍ୟ କରାଯାଉଛି। ଗତ ମାର୍ଚ୍ଚ ମାସରୁ ଏଯାବତ ଇଡକୋ ପକ୍ଷରୁ ପୁଲିସ ସହାୟତାରେ ଏକାଧିକବାର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଜମିହରା ମଉକା ଦେଖି ପାଚେରୀକୁ ଭାଙ୍ଗୁଛନ୍ତି। ଧାମନଗର ଥାନାରେ ଗତ ମାର୍ଚ୍ଚ ମାସରେ ଏଥିନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଗତ ମେ’ ୫ ତାରିଖରେ ମଧ୍ୟ ନିର୍ମାଣ ହୋଇଥିବା ପାଚେରୀକୁ କେତେକ ଜମିହରା ଭାଙ୍ଗି ଦେଇଛନ୍ତି। ଏଥର ଇଡକୋ କର୍ତ୍ତୃପକ୍ଷଙ୍କ ଏତଲା ମୂଳେ ୧୧୨ ଜଣ ଜମିହରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାରୁ ଏଠାରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ପୁଲିସ ଇତିମଧ୍ୟରେ ୪ ଜଣଙ୍କୁ ଗିରଫ କରିଛି। ଗିରଫଦାରୀ ଭୟରେ ସ୍ଥାନୀୟ ୩ଟି ମୋ÷ଜାର ଅନେକ ଜମିହରା ଗାଁ ଛାଡି ବାହାରେ ଅବସ୍ଥାନ କରୁଛନ୍ତି। ଅନ୍ୟପକ୍ଷରେ ପୁଲିସ ପାଚେରୀ ନିର୍ମାଣ ସ୍ଥଳରେ ୭ ପ୍ଲାଟୁନ ଫୋର୍ସ ମୁତୟନ କରିଛି। ଜମିହରାଙ୍କ ଆନ୍ଦୋଳନକୁ ପୁଲିସ ଲଗାଇ ଦମନ କରିବାର ଅପଚେଷ୍ଟା କରାଯାଉଛି ବୋଲି ବିଜେପି ନେତା ବଦ୍ରିନାରାୟଣ ଧଳ ଆରୋପ କରିଛନ୍ତି। ସେହିଭଳି ଫୁଡ୍ ଏଣ୍ଡ ଟେକ୍ସଟାଇଲ ପାର୍କ ନିର୍ମାଣ ଜରିଆରେ ସ୍ତାନୀୟ ଅଞ୍ଚଳର ବିକାଶ ହେବ ବୋଲି ଗଣମାଧ୍ୟମରେ ବୟାନ ରଖୁଥିବା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କିନ୍ତୁ ଜମିହରାଙ୍କୁ ବୁଝାଇବାରେ ସଫଳ ହୋଇନାହାନ୍ତି। ସେହିଭଳି ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କୁ ଏ ସଂପର୍କରେ ପଚାରିବାରୁ ‘ଯେଉଁମାନେ ପାଚେରୀ ଭାଙ୍ଗୁଛନ୍ତି ସେମାନେ ଆଇନକୁ ହାତକୁ ନେଉଛନ୍ତି। ପୁଲିସ ସେମାନଙ୍କ କଥା ବୁଝିବ’ ବୋଲି କହିଛନ୍ତି। ଅପରପକ୍ଷରେ ସମୁଦାୟ ଘଟଣାକୁ ତର୍ଜମା କରୁଥିବା ବୁଦ୍ଧିଜୀବୀ ମହଲ ରାଜ୍ୟ ସରକାର ଜମିହରାଙ୍କୁ ଭରସା ଦେବାରେ ବିଫଳ ହୋଇଛନ୍ତି ବୋଲି ଯୁକ୍ତି ବାଢୁଛନ୍ତି। ସରକାର ଜମିହରାଙ୍କୁ ବିଶ୍ୱାସ ଓ ଭରସା ଦେଇ ସେଠାରେ ଆଗକୁ ବଢିଲେ ବିବାଦର ସହଜ ସମାଧାନ ସମ୍ଭବ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *