ମାଲକାନଗିରି, ୫ା୫ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଲାଇଫଲାଇନ କୁହା ଯାଉଥିବା ଗୁରୁପ୍ରୀୟା ସେତୁ ଇତି ମଧ୍ୟରେ ନିର୍ମାଣ ସରିଯାଇଛି। କେବଳ ଉଦଘାଟନକୁ ଅପେକ୍ଷା କରି ରହିଥିବା ବେଳେ ସେତୁ ପ୍ରତି ମାଓଭୟ ଥିବାରୁ ସେତୁ ଚତୁର୍ପାଶ୍ୱରେ ହାଲୋଜେନ ଉଜ୍ୱଳ ଆଲୋକ ସହ ସିସି ଟିଭି କ୍ୟାମେରା, ୨୪ଘଣ୍ଟିଆ ବିଏସଏଫ ଜବାନମାନଙ୍କ ପଇଁତରା ସହିତ କଡା ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବା ପାଇଁ ବିଏସଏଫ ଆଇଜି ଏକେ ସିଂ ଓ ମାଲକାନଗିରି ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଆଜି ପରୀକ୍ଷା ମୂଳକ ଭାବେ ସେତୁରେ ପ୍ରଥମ ଥର କରି ଦୁଇଟି ସିସିଟିଭି କ୍ୟାମେରା ଲଗାଯାଇଛି।
ଏହି କ୍ୟାମେରା ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଜବାନମାନଙ୍କୁ ସତର୍କ କରିବାରେ ସହାଯ୍ୟ କରିବ, ସୂଚନା ଯୋଗ୍ୟଯେ ବହୁ ପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ଉଦଘାଟନ ଉତ୍ସବ ଚଳିତ ମାସ ଶେଷ ସପ୍ତାହ ଆଡକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବାପାଇଁ ଯୋଜନା ରହିଛି। ସେତୁରେ ଚୁନ ଓ ରଙ୍ଗ ଦେବା ସହିତ ସେତୁର ବକେୟା କାମ ଓ ଉଭୟ ପାର୍ଶ୍ୱର ରାସ୍ତା ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପିଚୁ କରାଯାଉଛି। ବିଛିନ୍ନାଚଂଳବାସୀ ଜୀବନରେ କେବେ ବି ସିସିଟିଭି କ୍ୟାମେରା ଦେଖି ନଥିବାରୁ ଏହା କିପରି ଦେଖିବା ପାଇଁ ଗୁରୁପ୍ରୀୟା ସେତୁ ସ୍ଥଳରେ ଭିଡ ଜମାଇଥିବାର ଦେଖିବାକୁ ମିଳିଥିଲା।
