ମାଲକାନଗିରି, ୨୪ା୬ (ଓଡିଆ ପୁଅ ) ଆଜି ଚିତ୍ରକୋଣ୍ଡା ଥାନା ଠାରେ ଏସଡିପିଓ ମାନସ ରଂଜନ ବାରିକଙ୍କ ନିକଟରେ ସାତଜଣ ମାଓ ମିଲିସିଆ ସଦସ୍ୟ ଆତ୍ମ ସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସର ଲୋକାଭିମୁଖି କାର୍ଯ୍ୟ ଓ ମାଓଗଡ ଭାବେ ପରିଚିତ ଜନ୍ତାପାଇ ଠାରେ ବିଏସଏଫ କ୍ୟାମ୍ପ ଓ ଜାନବାଇ ଠାରେ ଗୁରୁପ୍ରୀୟା ସେତୁ ନିର୍ମାଣ ହେବା ଯୋଗୁଁ ବିଛିନ୍ନାଞ୍ଚଳ ବାସି ଓ ମାଓବାଦୀ ସମର୍ଥକମାନେ ମାଓଭୟ ଛାଡି ଏବେ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଆଗେଇ ଆସିଛନ୍ତି। ଗତକାଲି ରାତ୍ରରେ ବିଛିନ୍ନାଞ୍ଚଳର ମାଓ ସମର୍ଥକ ମାଓ ମିଲିସିଆ ସାତଜଣ ଜନ୍ତାପାଇ, ଜାନବାଇ ବିଏସଏଫ କ୍ୟାମ୍ପ ଠାରେ ପହଁଚି ଆତ୍ମ ସମର୍ପଣ କରିବାପାଇଁ ଇଛା ପ୍ରକାଶ କରିଥିଲେ। ବିଏସଏଫ ଯବାନମାନେ ଆଜି ସକାଳେ ସେମାନଙ୍କୁ ଚିତ୍ରକୋଣ୍ଡା ଥାନାରେ ହାଜର କରାଇବା ପରେ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିକଟରେ ସେହି ସାତଜଣ ମିଲିସିଆ ସଦସ୍ୟ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ନାଗରିକ ଭାବେ ଜୀବନ ଯାପନ କରିବେ ବୋଲି କହିଛନ୍ତି। ଏହି ସାତଜଣ ଆନ୍ଧ୍ର ଓଡ଼ିଶା ବୋର୍ଡର ମାଓବାଦୀ ଜୋନାଲ କମିଟିର ବିଛିନ୍ନାଞ୍ଚଳ ମିଲିସିଆ ସଦସ୍ୟ ଭାବେ ଗତ କିଛି ବର୍ଷଧରି କାମକରୁଥିଲେ। ଏମାନେ ବିଭିନ୍ନ ଛୋଟବଡ ମାଓ ହିସାଂକାଣ୍ଡରେ ଲିପ୍ତଥିବାର ଜଣାପଡିଛି। ଏହି ଆତ୍ମସମର୍ପଣ କରିଥିବା ମିଲିସିଆ ସଦସ୍ୟମାନଙ୍କୁ ସରକାରଙ୍କ ନୀତି ନିୟମ ଅନୁସାରେ ମାଓ ଆତ୍ମସମର୍ପଣ ପଲିସ ଅନୁସାରେ ସହାୟତା ଯୋଗାଇ ଦିଆ ଯିବବୋଲି ଏସଡିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
