ଜିଲ୍ଲା ପରିକ୍ରମା

ଚିଟ୍ଫଣ୍ଡ ଜମାକାରୀଙ୍କ ଚାନ୍ଦବାଲି ତହସିଲ ସମ୍ମୁଖରେ ଗଣ ସତ୍ୟାଗ୍ରହ ଟଙ୍କା ଫେରସ୍ତ ନକଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହଟାଇବୁ – ଜମାକାରୀଙ୍କ ଚେତାବନୀ

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଭିନ୍ନ କଂପାନୀରେ ନିଜ କଷ୍ଟାର୍ଜିତ ଟଙ୍କା ଜମାଦେଇ ଠକାମୀର ଶୀକାର ହୋଇଥିବା ଜମାକାରୀମାନେ ଟଙ୍କା ଫେରସ୍ତ ଓ ତ୍ରୁଟିଯୁକ୍ତ ଆଇନ୍ ସଂଶୋଧନ ଦାବି କରି ଆଜି ଚାନ୍ଦବାଲି ତହସିଲ ସମ୍ମୁଖରେ ଗଣ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟର ସୁଯୋଗ ନଦେଇ ୫ ବର୍ଷ ଲଢେଇ ପରେ ମାତ୍ର ୧ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ବିରୋଧ କରି ଅବିଳମ୍ବେ ସମସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ ସହ ଟଙ୍କା ଫେରସ୍ତ ନକଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ଦଳମାନଙ୍କୁ ଗଣସଂଗ୍ରାମ ମାଧ୍ୟମରେ ଉଚିତ୍ ଜବାବ ଦିଆଯିବ ବୋଲି ଜମାକାରୀମାନେ ଚେତାବନୀ ଦେଇଛନ୍ତି। ସେମାନଙ୍କ ସ୍ମାରକପତ୍ର ମୂଳେ ଉଦାରୀକରଣ, ଜାତୀୟ ଅର୍ଥନୀତିର ତ୍ରୁଟିଯୁକ୍ତ କେନ୍ଦ୍ରୀୟ ଆଇନ୍କୁ ବ୍ୟବହାର କରି ଶତାଧିକ ଠକ କଂପାନୀ ସ୍ୱଳ୍ପ ଦିନରେ ଜମାରାଶି ଉପରେ ଅଧିକ ପରିପକ୍ୱ ରାଶି ଦେବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଲୋକଙ୍କ କଷ୍ଟାର୍ଜିତ ଅର୍ଥ ନେଇ ଉଭାନ୍ ହୋଇଗଲେ। ନିରାଶ ଜମାକାରୀ ହାରିଗୁହାରି କରି ମଧ୍ୟ ଫେରସ୍ତ ନପାଇବାରୁ ଆତ୍ମହତ୍ୟା ଅଥବା ଅକାଳ ମୃତ୍ୟୁର ଶୀକାର ହୋଇଥିବାବେଳ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ପକ୍ଷରୁ ଉପରୋକ୍ତ ଜମାରାଶି ଫେରସ୍ତ ଓ ତ୍ରୁଟିଯୁକ୍ତ ଆଇନ୍ ସଂଶୋଧନ ଦାବି ସହ ଜମାକାରୀ ଚିହ୍ନଟ ନେଇ କ୍ରମାଗତ ଆନ୍ଦୋଳନ ଚାଲିଆସିଛି। ଏହି ଆନ୍ଦୋଳନ ପ୍ରଭାବରେ ସରକାର ବିଭିନ୍ନ ସମୟରେ ଅନେକ ଘୋଷଣା ସହ କେତେକ ପଦକ୍ଷେପ ନେଇଥିଲେ ହେଁ ଏପର୍ଯ୍ୟନ୍ତ ରାଜ୍ୟର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତାଙ୍କ ଅର୍ଥ ଫେରସ୍ତ ମିଳିପାରିନାହିଁ। କଂପାନୀ ଓ ମଲଟି ଷ୍ଟେସ୍ କୋ-ଅପରେଟିଭ୍ ଗୁଡିକୁ ଜନ୍ମ ଦେଲେ କେନ୍ଦ୍ର ସରକାର, ସମବାୟ ଓ ସ୍ୱୟଂ ସହାୟକ ସମବାୟକୁ ଜନ୍ମ ଦେଲେ ରାଜ୍ୟ ସରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କଳକୁ ବ୍ୟବହାର କରି କଂପାନୀମାନେ ଖୋଲାଖୋଲି ଟଙ୍କା ନେଲେ। କଂପାନୀ ଉଭାନ୍ ହେବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ତଦନ୍ତ କାରୀ ସଂସ୍ଥାମାନେ କଂପାନୀଗୁଡିକୁ ସିଲ୍ କରି ତାଙ୍କ ସଂପତ୍ତି ଜବତ କଲେ। ଜମାକାରୀଙ୍କ ଆନ୍ଦୋଳନ ଫଳରେ ପ୍ରଣିତ ଓଡ଼ିଶା ଜମାକାରୀ ସ୍ୱାର୍ଥରକ୍ଷା ଆଇନ୍ରେ କଂପାନୀମାଲିକଙ୍କ ସଂପତ୍ତି ବିକ୍ରିରୁ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ବ୍ୟବସ୍ଥା ଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଜମାକାରୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଆସୁଅଛନ୍ତି। ସମୂହ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ, ତାଙ୍କ କଷ୍ଟାର୍ଜିତ ଜମାରାଶି ଫେରସ୍ତ ଓ ତ୍ରୁଟିଯୁକ୍ତ କେନ୍ଦ୍ରୀୟ ଆଇନ୍ ସଂଶୋଧନ ଦାବିରେ ଏହି ଜମାକାରୀ ଆଜି ଗଣ ସତ୍ୟାଗ୍ରହରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଂଚର ଉପଦେଷ୍ଟା ରବି ଦାସ, ଆବାହକ ଜୟନ୍ତ ଦାସ, ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ, ଅନୁରାଧା ସୁବିଧି, ଭଦ୍ରକ ଜିଲା ଆବାହକ ଉମେଶ ଚନ୍ଦ୍ର ନାୟକ, ପ୍ରକାଶ ନାୟକ, ଉପେନ୍ଦ୍ର ରାଉଳ, ଜିତେନ୍ଦ୍ର ସାହୁ, ତପନ ମଣ୍ଡଳ, ସୁରଥ ମଣ୍ଡଳ, ମନ୍ଦରଧର ଜେନା, ଗଂଗାଧର ଦାସ, ଖଗେଶ୍ୱର ରାଉଳ, ବିନୋଦ ବେହେରା ଓ ବିଜୟ ନାୟକ ପ୍ରମୁଖ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଉଦବୋଧନ ଦେଇଥିଲେ। ଏବଂ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ଭଦ୍ରକ ଜିଲାସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହର ସଫଳତା ପାଇଁ ଆହ୍ୱାନ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top