ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଭଦ୍ରକ ମୁଖ୍ୟ ବିଚାର ବିଭାଗର ବିଚାରପତି ଅମୀୟ ରଂଜନ ଜେନା ଭଦ୍ରକ ମିଲନ୍ଜ୍ୟୋତି ଇଣ୍ଟରନ୍ୟାସ୍ନାଲ ଲିମିଟେଡ୍ ନାମକ ଏକ ଚିଟ୍ଫଣ୍ଡ ସଂସ୍ଥାରେ ହୋଇଥିବା ଠକେଇ ମାମଲାର ବିଚାର କରି ଅଭିଯୁକ୍ତ ଗଜେନ୍ଦ୍ର ସେନାପତିଙ୍କୁ ଆଇପିସିର ଦଫା ୪୨୦ ଏବଂ ପ୍ରାଇଜ୍ ଚିଟ୍ ମନି ସାର୍କୁଲେସନ୍ ବେନିଂ ଆକ୍ଟର ଦଫା ୪ ଓ ୫ ରେ ଦୋଷୀ ସାବ୍ୟସ୍ତ କରି ୪୨୦ ଦଫାରେ ୩ ବର୍ଷ ୬ ମାସ କାରାଦଣ୍ଡାଦେଶ ସହ ଦଫା ୪ ରେ ଦୁଇବର୍ଷ ଓ ଦଫା ୫ ରେ ଏକବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାର ନିଦେ୍ର୍ଦଶ ଦେଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତ ୨୦୧୩ ମଇ ୧୦ ତାରିଖ ଦିନ ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଦଶ ମୁତାବକ ସହରାଞ୍ଚଳ ଥାନା ପୁଲିସ୍ ବନ୍ତଛକ ନିକଟରେ ଥିବା ମିଲନ୍ ଜ୍ୟୋତି ଇଣ୍ଟରନ୍ୟାସ୍ନାଲ ନାମକ ଅର୍ଥ ଲଗାଣକାରୀ ସଂସ୍ଥା ଉପରେ ଚଢାଉ କରି ଦଫା ୪୨୦, ୧୨୦ (ଖ) ଆଇପିସି ଏବଂ ଦଫା ୪ ,୫ ଓ ୬ ପ୍ରାଇଜ୍ ଚିଟସ୍ ମନି ସାର୍କୁଲେସନ୍ ବେନିଂ ଆକ୍ଟରେ କେଶ୍ ନଂ ୧୨୮ ରୁଜୁ କରିଥିଲେ । ଯାହା ଜି.ଆର. କେଶ୍ ନଂ ୮୬୮/୧୩ ମୂଳେ ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ବିଚାରପତିଙ୍କ ଅଦାଲତରେ ବିଚାର ହୋଇଥିଲା । ଏହି ମାମଲା ପୂର୍ବରୁ ବିଚାର ହୋଇ ଅଭିଯୁକ୍ତ ସନ୍ଧ୍ୟାରାଣୀ ପଣ୍ଡା, ଦାଶରଥୀ ମିଶ୍ର ଓ ବିଶ୍ୱନାଥ ପାଢୀ କାରାଦଣ୍ଡାଦେଶରେ ଦଣ୍ଡିତ ହୋଇଥିଲେ । ଏହି ମାମଲାର ଅଭିଯୁକ୍ତ ବ୍ରଜେନ୍ଦ୍ର ସେନାପତି ଫେରାର ଥାଇ ପରେ ଧରାପଡି ବିଚାରାଧୀନ ବନ୍ଦୀ ଥିଲେ । ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣ ଗ୍ରହଣ କଲାପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଉପରୋକ୍ତ କାରାଦଣ୍ଡରେ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଦଣ୍ଡିତ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଏ.ପି.ପି. ସେକ୍ ଜାଲିନ୍ ପରିଚାଳନା କରିଥିଲେ ।
