ଚିଟଫଣ୍ଡ ଦ୍ୱାରା ସାଧାରଣ ଜନତାଙ୍କଠାରୁ କୋଟି କୋଟି ଟଙ୍କା ହଡପ କରିବା ପରେ ଏବେ ମିଥ୍ୟା ପ୍ରତିଶୃତି ଦେଇ ଶାସକ ବିଜେଡି ବିଜେପୁରବାସୀଙ୍କୁ ବିଭ୍ରାନ୍ତ କରୁଛି : ବିଜେପି

– ଚିଟ୍ଫଣ୍ଡ୍ ସହ ଜଡିତ ନେତାମାନଙ୍କର ବହୁଳ ବ୍ୟବହାର କରିଥିବା କାରଣରୁ ବିଜେପୁରର ଜନତା ଶାସକ ଦଳକୁ ପ୍ରତ୍ୟାଖ୍ୟାନ କରିବେ
– ନିର୍ବାଚନ ପ୍ରଚାରର ମୁଖ୍ୟ କାର୍ପଟଦାର ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଦୁର୍ନୀତି ଓ ଅନୈତିକ କାର୍ଯ୍ୟରେ ସଂପୃକ୍ତ ବହୁ ନେତାଙ୍କ ଉପସ୍ଥିତି ଭୋଟରଙ୍କ ଜନଭାବନାକୁ ଆହତ କରିଛି
– ବିନା ଅଭିଜ୍ଞତାରେ ସିସୋର ଓ ଗ୍ରୀନରେ ଭଳି ଦୁଇଟି ଠକ ଚିଟଫଣ୍ଡ କମ୍ପାନୀକୁ ଗୁରୁତ୍ୱପୂର୍ଣ ସ୍ୱାସ୍ଥ୍ୟ ସମ୍ପର୍କିତ କାମରେ ନିୟୋଜିତ କରିଥିଲେ ଶ୍ରୀ ଆଚାର୍ଯ୍ୟ
– ଗ୍ରୀନରେ କମ୍ପାନୀର ଔଷଧ ତିଆରି ବ୍ୟବସାୟ ସହ ଆଦୌ କୌଣସି ସମ୍ପର୍କ ନ ଥିବା ସତ୍ୱେ ଫାର୍ମାସିଟିକାଲ ବ୍ୟବସାୟରେ କମ୍ପାନୀ ୮୦ କୋଟି ଟଙ୍କା ବିନିଯୋଗ କରିଥିଲା
– ବାଲେଶ୍ୱରଠାରେ ଗ୍ରୀନରେ କମ୍ପାନୀର ଉଦଘାଟନ ଉତ୍ସବରେ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ତାଙ୍କର କମ୍ପାନୀ ପ୍ରୀତିର ପ୍ରମାଣ ନୁହେଁ କି ?
– ସ୍ୱାସ୍ଥ୍ୟ ସେବାରେ ଅନଭିଜ୍ଞ ସିସୋରକୁ ସରକାରୀ ଡାକ୍ତରଖାନା ଚଳାଇବା ଦାୟିତ୍ୱ ଦେଇ ସିସୋର ଦ୍ୱାରା ରାଜ୍ୟରେ ମେଡିକାଲ କଲେଜ ଓ ଡାକ୍ତରଖାନା ଖୋଲିବା ପାଇଁ ଅପରାଧିକ ଷଡଯନ୍ତ୍ର କରିଥିଲେ ଶୀ ଆଚାର୍ଯ୍ୟ

ଭୁବନେଶ୍ୱର, ତା.୨୨/୦୨(ଓଡ଼ିଆ ପୁଅ): ବିଜେପୁର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ପୋଲିସ ଓ ପ୍ରଶାସନର ଅପବ୍ୟବହାର କରୁଛି। ଏ ସମ୍ପର୍କରେ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ସାମନାରେ ବାରମ୍ବାର ଅଭିଯୋଗ କରି ଆସୁଛି। ଚିଟଫଣ୍ଡ ସହ ଜଡିତ ଥିବା ନେତାମାନେ ବିଜେପୁର ଉପ ନିର୍ବାଚନରେ ବିଜେଡିର ପ୍ରଚାର ଦାୟୀତ୍ୱରେ ଅଛନ୍ତି। ପୂର୍ବରୁ ଚିଟଫଣ୍ଡ ଦ୍ୱାରା ସାଧାରଣ ଜନତାଙ୍କଠାରୁ କୋଟି କୋଟି ଟଙ୍କା ହଡପ କରିବା ପରେ ଏବେ ମିଥ୍ୟା ପ୍ରତିଶୃତି ଦେଇ ବିଜେପୁରବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ନିର୍ବାଚନ ପ୍ରଚାରର ମୁଖ୍ୟ କାର୍ପଟଦାର ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଦୁର୍ନୀତି ଓ ଅନୈତିକ କାର୍ଯ୍ୟରେ ସଂପୃକ୍ତ ବହୁ ନେତାଙ୍କ ଉପସ୍ଥିତି ଭୋଟରଙ୍କ ଜନଭାବନାକୁ ଆହତ କରିଛି। ଶାସକ ବିଜେଡିର ଏପରି ଚାଲ୍କୁ ବିଜେପୁରବାସୀ ପ୍ରତ୍ୟାଖ୍ୟାନ କରିବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ଅନେକ ଠକ ଚିଟଫଣ୍ଡ କମ୍ପାନୀମାନଙ୍କୁ ଅନୁକମ୍ପା ଦେଖାଇଛନ୍ତି। ଶ୍ରୀ ଆଚାର୍ଯ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ସିସୋର ଓ ଗ୍ରୀନରେ ଭଳି ଦୁଇଟି ଠକ ଚିଟଫଣ୍ଡ କମ୍ପାନୀକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଦୌ ଅଭିଜ୍ଞତା ନ ଥିବା ସତ୍ୱେ ତାଙ୍କୁ ଗୁରୁତ୍ୱପୂର୍ଣ ସ୍ୱାସ୍ଥ୍ୟ ସମ୍ପର୍କିତ କାମରେ ନିୟୋଜିତ କରିଥିଲେ। ଏହା ଦ୍ୱାରା ଶ୍ରୀ ଆଚାର୍ଯ୍ୟ ନିଜେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ସହ ତାଙ୍କର ନିର୍ବାଚନୀ ଖର୍ଚ୍ଚକୁ ଏହି ଠକ ଚିଟ୍ଫଣ୍ଡ ସଂସ୍ଥା ବହନ କରୁଥିଲେ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ଗ୍ରୀନରେ କମ୍ପାନୀର ଔଷଧ ତିଆରି ବ୍ୟବସାୟ ସହ ଆଦୌ କୌଣସି ସମ୍ପର୍କ ନ ଥିବା ସତ୍ୱେ ଫାର୍ମାସିଟିକାଲ ବ୍ୟବସାୟରେ ଏହି କମ୍ପାନୀ ୮୦ କୋଟି ଟଙ୍କା ବିନିଯୋଗ କରିଥିଲା। ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି କମ୍ପାନୀକୁ କିପରି ଲାଇସେନ୍ସ ପ୍ରଦାନ କଲା ଏହାର ଉତର ଦେବାର ଦାୟିତ୍ୱ ପ୍ରସନ୍ନ ଆଚାର୍ଯ୍ୟଙ୍କର ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଗ୍ରୀନରେ କମ୍ପାନୀର ମାଲିକ ମୀର ସାହିରୁଦ୍ଦିନ ଏହି ଲାଇସେନ୍ସ ଆଧାରରେ ନିଶାଯୁକ୍ତ ଔଷଧ ତିଆରି କରି ବଜାରରୁ ପ୍ରଚୁର ମୁନାଫା କମାଉଥିବାର ଅଭିଯୋଗ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ମୀର ସାହିରୁଦ୍ଦିନକୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରଚୁର ମୁନାଫା କମାଇବାର ପଥ ପରିଷ୍କାର ପ୍ରସନ୍ନ ଆଚାର୍ଯ୍ୟ କରିଥିଲେ କି ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ବାଲେଶ୍ୱର ଠାରେ ଏହି କମ୍ପାନୀର ଉଦଘାଟନ ଉତ୍ସବରେ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ କାହିଁକି ଯୋଗ ଦେଇଥିଲେ ବୋଲି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସେହିପରି ଚିଟ ଫଣ୍ଡ କେଳେଙ୍କାରୀ ଦୁନିଆର ମହାରାଜ ସିସୋର କମ୍ପାନୀର ସ୍ୱାସ୍ଥ୍ୟ ସେବା ସହ କୌଣସି ସମ୍ପର୍କ ନ ଥିବା ବେଳେ ୯ଟି ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚଲାଇବାକୁ ଅନୁମତି ଦେବା ପଛରେ ଥିବା ଆପରାଧିକ ଷଡଯନ୍ତ୍ରରେ ପ୍ରସନ୍ନ ଆଚାର୍ଯ୍ୟ ଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ସ୍ୱାସ୍ଥ୍ୟ ସେବାରେ ଅନଭିଜ୍ଞ ସିସୋରକୁ ସରକାରୀ ଡାକ୍ତରଖାନା ଚଳାଇବା ଦାୟିତ୍ୱ ଦେଇ ତକ୍ରାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ ସିସୋର ଦ୍ୱାରା ରାଜ୍ୟରେ ମେଡିକାଲ କଲେଜ ଓ ଡାକ୍ତରଖାନା ଖୋଲିବା ପାଇଁ ଅପରାଧିକ ଷଡଯନ୍ତ୍ର କରିଥିଲେ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ମେଡିକାଲ ଶିକ୍ଷାରେ ପ୍ରଚୁର ଲାଭ ଥିବା କାରଣରୁ ସରକାରୀ ଡାକ୍ତରଖାନା ଚଳାଇବା ସହ ଡାଇଗ୍ନୋଷ୍ଟିକ ସେଂଟର ଚଲାଇବା ପାଇଁ ରାଜ୍ୟ ସରକାର ସିସୋର ଭଳି ଅନଭିଜ୍ଞ ଓ ଠକ ସଂସ୍ଥାକୁ ଶ୍ରୀ ଆଚାର୍ଯ୍ୟଙ୍କ ଅନୁଗ୍ରହରେ ଅନୁମତି ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହାଛଡା ଶ୍ରୀ ମହାନ୍ତି ବିଜେପୁର ନିର୍ବାଚନ ପ୍ରଚାରରେ ଥିବା ବିଭିନ୍ନ ବିଜେଡି ନେତାଙ୍କ ଚିଟଫଣ୍ଡ ଓ କେଳେଙ୍କାରୀ ସହ ଜଡିତ ବ୍ୟକ୍ତିତ୍ୱଙ୍କ ଫଟୋ ଏହି ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିଲେ। ସାଧାରଣ ଗରୀବ ଓଡିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥ ଲୁଂଠନକାରୀ ମାନେ ବିଜେଡି ପାଇଁ ଭୋଟ ଭିକ୍ଷା କରୁଥିବାରୁ ବିଜେପୁରର ସଚେତନ ମତଦାତା ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାସ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *