ଜିଲ୍ଲା ପରିକ୍ରମା

ଚିକିତ୍ସା ଅବହେଳାରୁ ୧୪ ବର୍ଷିୟା ନାବାଳିକା ଦେବସ୍ମିତାର ମୃତ୍ୟୁ ଅଭିଯୋଗ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ଜନସାଧାରଣଙ୍କ ଆକ୍ରମଣ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚିକିତ୍ସାଜନିତ ଅବହେଳାରୁ ରୋଗୀମୃତ୍ୟୁ ଭଳି ବହୁ ଅଭାବନୀୟ ଘଟଣା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଘଟିଚାଲିଥିଲେ ବି ଏ ଦିଗରେ ଜିଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଖାମଖିଆଲି ନୀତି ଡାକ୍ତରଙ୍କୁ ଆକ୍ରମଣ ଭଳି ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ବିଗତ ଦିଗରେ ଏହିଭଳି ବହୁ ଘଟଣା ଘଟି ମୁଖ୍ୟ ଚିକିତ୍ସାଳୟରେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ନଷ୍ଟ ହେବା ସହ ଡାକ୍ତର ଓ କର୍ମଚାରୀମାନେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ ବି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉଦାସୀନତା ଏହିଭଳି ଘଟଣାକୁ ପ୍ରକାରନ୍ତରେ ବଢାଇବାରେ ସହାୟକ ହୋଇଚାଲିଛି। ଗତକାଲି ଏହିଭଳି ଏକ ସମ୍ବେଦନଶୀଳ ଘଟଣାହ ଘଟି ଜଣେ ୧୪ ବର୍ଷିୟା ନାବଳିକା କନ୍ୟାର ମୃତ୍ୟୁ ଓ ସେଥିପାଇଁ ଉପସ୍ଥିତ ଡାକ୍ତରଙ୍କ ଅବହେଳା ଜନିତ ଚିକିତ୍ସାକୁ ଦାୟୀ କରି ମୃତାର ପରିବାର ଲୋକେ ଜଣେ ଡାକ୍ତର ଓ ଆଟେଣ୍ଡାଣ୍ଟକୁ ଆକ୍ରମଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ମୃତା ପରିବାର ଲୋକେ ତାଙ୍କ କନ୍ୟାର ମୃତ୍ୟୁ ପାଇଁ ଦାୟୀ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ପ୍ରତି ଉଚିତ୍ କାର୍ଯ୍ୟାନୁଷ୍ଠାନ ଦାବିରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାରଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ହୋଇଥିବା ଶବକୁ ଗ୍ରହଣ ନକରିବା କିଛି ଘଣ୍ଟା ପାଇଁ ଡାକ୍ତରଖାନା ପରିସରକୁ ବେଶ୍ ଉତ୍ତେଜନାମୟ କରିଥିଲା। ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ଦିଗରେ ଆଜି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହମ୍ମଦ ଅବଦୁଲ ରସିଦ୍, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ସ୍ୱାସ୍ଥ୍ୟ) ଡାକ୍ତର ପ୍ରଦୀପ ଖୁଣ୍ଟିଆ, ସହରାଞ୍ଚଳ ଥାନାଧିକାରୀ ମନୋଜ ରାଉତ ଓ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକଙ୍କ ଉପସ୍ଥିତିରେ ଏକ ବୈଠକ ଡକାଯାଇ ଅଭିଯୋଗକାରୀଙ୍କ ପତ୍ର ମୂଳେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। ଏବଂ ଆସନ୍ତାକାଲି ଠାରୁ ତଦନ୍ତ ଆରମ୍ଭ ହୋଇ ୫ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରାଯିବା ପରେ ପ୍ରକୃତ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିଷ୍ପତ୍ତି ହୋଇଥିଲା। ତେବେ ଏହିଭଳି ଘଟଣା ସଂପର୍କରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡାକ୍ତର ଖୁଣ୍ଟିଆ ଓ ମୃତାର ପିତା ଯାହା କହନ୍ତି ଗତକାଲି ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ଗ୍ରାମନିବାସୀ ଅଭିମନ୍ୟୁ ମଳିକଙ୍କ ୧୪ ବର୍ଷିୟା କନ୍ୟା ଦେବସ୍ମିତାର ପେଟକାଟି ବାନ୍ତି ହେବାରୁ ତାକୁ ତାର ପିତା ରାତି ପ୍ରାୟ ୯ଟା ସମୟରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେତେବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଦୀପକ ଜେନା ସାଲାଇନ୍ ଦେଇ ଆଶୁ ଚିକିତ୍ସା କରିଥିଲେ। ଏହାପରେ ରାତି ଡ୍ୟୁଟିରେ ଆସିଥିବା ଡାକ୍ତର ଦୀପଙ୍କର ମୂର୍ଖାଜୀ ରୋଗୀକୁ କିଛି ଇଂଜେକସନ୍ ଦେଇଥିଲେ। ଏହାପରେ ରାତି ପ୍ରାୟ ୧ଟା ସମୟରେ ହଠାତ୍ ଝିଅଟିର ମୁହଁରୁ ରକ୍ତ ନିଶା ଫେଣ ବାହାରି ସେ ସଂଜ୍ଞାହୀନ ହୋଇପଡିଥିଲା। ଫଳରେ ଏହା ଦେଖି ଉପସ୍ଥିତ ଥିବା ପିତା ଅଭିମନ୍ୟୁ ନର୍ସମାନଙ୍କୁ ଡାକିବାରୁ ସେମାନେ ଶୋଇଥିବାରୁ ସେ ଦିଗରେ କର୍ଣ୍ଣପାତ କରିନଥିଲେ। ଏଣୁ ସେ ଆଉଟ୍ଡୋରକୁ ଯାଇ ଆଟେଣ୍ଡାଣ୍ଟ କରୁଣାକର ବେହେରା ଓ ଡାକ୍ତର ମୂର୍ଖାଜୀଙ୍କୁ ଜଣାଇବାରୁ ସେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଯେଉଁଥିପାଇଁ ବାଧ୍ୟହୋଇ ପିତା ଅଭିମନ୍ୟୁ ନିଜ କନ୍ୟାକୁ ଅନ୍ୟମାନଙ୍କ ସହାୟତାରେ ଆଉଟ୍ଡୋରକୁ ଆଣିବାରୁ ଡାକ୍ତର ମୂର୍ଖାଜୀ ତାକୁ ମୃତ ଘୋଷଣା କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଉପସ୍ଥିତ ପରିବାର ଲୋକେ ଓ ସାଧାରଣ ଜନତା ଆଟେଣ୍ଡାଣ୍ଟ ଶ୍ରୀ ବେହେରା ଓ ଡାକ୍ତରଙ୍କୁ ଟଣାଓଟରା କରିଥିଲେ। ଏ ଘଟଣାର ଖବର ପାଇ ଅତିରିକ୍ତ ଚିକିତ୍ସାଧିକାରୀ ଡାକ୍ତର ଖୁଣ୍ଟିଆ ଭୋର ୪ଟାରେ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିବାରେ ବିଫଳ ହୋଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଖବର ଦେଇଥିଲେ। ମାତ୍ର ସେ ୨ ଘଣ୍ଟା ବିଳମ୍ବରେ ସେଠାରେ ପହଞ୍ଚି ପୁଲିସକୁ ଖବର ଦେବା ପରେ ଥାନାଧିକାରୀ ଶ୍ରୀ ରାଉତ ପହଞ୍ଚି ପରିସ୍ଥିତକୁ ସ୍ୱାଭାବିକ କରିଥିଲେ। ମାତ୍ର ପରେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ସେଠାରେ ପହଞ୍ଚିବା ପରେ ମୃତାର ପରିବାର ପକ୍ଷରୁ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ ପତ୍ର ଦିଆଯାଇଥିଲା। ଅନୁରୂପ ଆକ୍ରମଣର ସମ୍ମୁଖୀନ ହୋଇଥିବା ଆଟେଣ୍ଡାଣ୍ଟ ଓ ଡାକ୍ତର ମଧ୍ୟ ସେମାନଙ୍କର ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏ ସଂପର୍କରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ବୈଠକର ନିଷ୍ପତ୍ତି ମୂଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କର ପତ୍ର ନଂ ୬୪୫୪, ତା ୦୩.୦୭.୧୮ ରିଖ ମୂଳେ ଜିଲା ମେଡିକାଲ ଅଫିସର (ଏମ୍ଏସ) ଙ୍କୁ ଏହି ଘଟଣାର ଏକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାପରେ ମୃତା ପରିବାର ଲୋକେ ଶବକୁ ଗ୍ରହଣ କରିଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top