ଚାଷ ପାଇଁ ଉପକରଣ ଅର୍ଥକୁ ଆତ୍ମସାତ କରି ରାଜ୍ୟ ସରକାର ଚାଷୀକୁଳ ପ୍ରତି ଉପହାସ କରିଛନ୍ତି : ବିଜେପି

– ଦୁର୍ନିତୀ ଓ ଭ୍ରଷ୍ଟାଚାର ବୁଡି ରହିଥିବା ରାଜ୍ୟ ସରକାର ହିଁ ବିପର୍ଯ୍ୟସ୍ତ କୃଷି ପାଇଁ ଦାୟୀ
– କୃଷି ଉପକରଣ ଦୁର୍ନିତୀ ଓ ଘୋଟାଲା ଅତ୍ୟନ୍ତ ନିନ୍ଦନୀୟ, ଲଜ୍ଜାଜନକ ଏବଂ ଚାଷୀକୁଳଙ୍କୁ ଉପହାସ
– ମିଥ୍ୟା ଓ ଭୁଲ ତଥ୍ୟ ପ୍ରଦାନ ଏବଂ ଉପସ୍ଥାପନା କରି କୃଷି କର୍ମଣ ପୁରସ୍କାର ପାଇଛନ୍ତି
– କୃଷି ଉପକରଣ, କୃଷି ସବସିଡି, କୃଷି ଋଣ ଆଦି ପ୍ରସଙ୍ଗରେ ବାଟମାରଣା, ଦୁର୍ନିତୀ, ଘୋଟାଲାରେ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ଦାବି
– ଏହି ଦୁର୍ନୀତି ବିଷୟରେ ଦୀର୍ଘ ଦିନରୁ ଅବଗତ ଥିବା ସତ୍ୱେ କୃଷିମନ୍ତ୍ରୀ ନୀରବ ରହିବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତିକୁ ସ୍ପଷ୍ଟ କରୁଛି
– ଦାୟୀତ୍ୱ ସଂପନ୍ନ ରାଜନୈତିକ ଦଳ ଭାବେ ଭାରତୀୟ ଜନତା ପାର୍ଟି ସର୍ବଦା କୃଷି ଏବଂ କୃଷକଙ୍କ ହକ୍ ପାଇଁ ଲଢେଇ ଜାରି ରଖିବ
– ନିଜ ଜନ୍ମ ଦିନ ଅବସରରେ ପିସି କାରବାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ସଂକଳ୍ପ ନେବା ଉଚିତ୍

ଭୁବନେଶ୍ୱର, ତା.୧୬/୧୦(ଓଡ଼ିଆ ପୁଅ): ଆଜିର ଦିନକୁ ବିଶ୍ୱ ଅନ୍ନ ଦିବସ ପାଳନ କରାଯାଉଛି। ମାତ୍ର ଆଜି ରାଜ୍ୟର ଚାଷୀ ସମୁହ ଅବହେଳାର ଶିକାର ହୋଇ ହନ୍ତସନ୍ତ ହେବା ନିଶ୍ଚିତ ଭାବରେ ଦୁର୍ଭାଗ୍ୟପୂର୍ଣ୍ଣ ଓ ବିଡମ୍ବନାର ବିଷୟ। ଚାଷୀ ଏବଂ ଚାଷ ପାଇଁ ଆବଶ୍ୟକୀୟ ଜଳସେଚନଠାରୁ ଆରମ୍ଭ କରି ଉତମ ମାନର ବିହନ, ଶୀତଳ ଭଣ୍ଡାର, କୃଷି ଋଣ, କୃଷି ବୀମା, ଅବ୍ୟାକୀୟ ବଜାର ବ୍ୟବସ୍ଥା ସୁବିଧା ଆଦି ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହେବା କାରଣରୁ ଆଜି ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦୁର୍ନିତୀ ଓ ଭ୍ରଷ୍ଟାଚାର ବୁଡି ରହିଥିବା ରାଜ୍ୟ ସରକାର ହିଁ ଏଥିପାଇଁ ଏକମାତ୍ର ଦାୟୀ ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ଗତ ୨ ଦିନ ତଳେ ଏକ ନିର୍ଦ୍ଧିଷ୍ଟ ବୈଦୁତିକ ଗଣମାଧ୍ୟମରେ ପ୍ରସାରିତ ସମ୍ବାଦ ରାଜ୍ୟ ସରକାରଙ୍କ ଅସଲି ମୁଖା ଖୋଲି ଦେଇଛି। କେବଳ ଦୁର୍ନୀତି ନୁହେଁ ବରଂ ଏକ ବଡ ଧରଣର ଘୋଟାଲାର ଖୁଲାସା ହୋଇଛି। ଯେଉଁ ହିତାଧିକାରୀଙ୍କୁ ଚାଷ ପାଇଁ କୃଷି ଉପକରଣ ମିଳିବା କଥା ସେମାନଙ୍କୁ ଦିଆନଯାଇ ସେହି ଅର୍ଥକୁ ଚଂଚକତା କରି ହଡପ କରି ଦିଆଯାଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ, ଲଜ୍ଜାଜନକ ଏବଂ ଚାଷୀକୂଳଙ୍କୁ ଉପହାସ ବୋଲି କହିବା ସହ ଏଭଳି କାର୍ଯ୍ୟକୁ ଡ. ସାମନ୍ତସିଂହାର ଘୋର ନିନ୍ଦା କରିଛନ୍ତି।

ରାଜ୍ୟର କୃଷିମନ୍ତ୍ରୀ ଏ ସମସ୍ତ ଦୁର୍ନିତୀ ବିଷୟରେ ବହୁ ପୂର୍ବରୁ ଅବଗତ ଥିବା ସ୍ୱୀକାର କରିବା ଏବଂ ଆଜି ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ କହିବା, ରାଜ୍ୟ ସରକାରଙ୍କ ଏହି ଦୁର୍ନିତୀ ଏବଂ ଘୋଟାଲାରେ ସଂପୃକ୍ତିକୁ ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି। ଜାଣିଶୁଣି ଘଂଟ ଘୋଡାଇ କେବଳ କୃଷିମନ୍ତ୍ରୀ ନୁହେଁ ବରଁ ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଦୁର୍ନୀତିକୁ ପ୍ରୋତ୍ସାହନ କରିବା ସହ ସଂଶ୍ଳିଷ୍ଟ ଅଛନ୍ତି ବୋଲି ଡ. ସାମନ୍ତସିଂହାର ସିଧାସଳଖ ଅଭିଯୋଗ କରିଛନ୍ତି।

ଏହିଭଳି ମିଥ୍ୟା ଓ ଭୂଲ ତଥ୍ୟ ପ୍ରଦାନ ଏବଂ ଉପସ୍ଥାପନା କରି ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିବା ସହ ଶାସକ ବିଜେଡି କେନ୍ଦ୍ର ସରକାରଙ୍କଠାରୁ କୃଷି କର୍ମଣ ପୁରସ୍କାର ପ୍ରାପ୍ତ କରି ମିଛଠାରେ ବାଃ ବାଃ ନେଉଛନ୍ତି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଏକ ଦାୟୀତ୍ୱ ସଂପନ୍ନ ରାଜନୈତିକ ଦଳ ଭାବେ ଭାରତୀୟ ଜନତା ପାର୍ଟି ସର୍ବଦା ରାଜ୍ୟ ସରକାରଙ୍କ ପାଖରେ କୃଷି ଏବଂ କୃଷକଙ୍କ ସମସ୍ୟାକୁ ଉପସ୍ଥାପନା ସହ ଦାବି ଜଣାଇଛି। ମାତ୍ର ରାଜ୍ୟର କୃଷକମାନଙ୍କ ସମସ୍ୟାର ସମାଧାନ ପ୍ରତି ଆନ୍ତରିକତା ନଥିବା ଶାସକ ବିଜେଡି ବିଭିନ୍ନ ସମୟରେ ବିଭ୍ରାନ୍ତକାରୀ ବକ୍ତବ୍ୟ ଦେଇ ନିଜର ଅପାରଗତାକୁ ଲୁଚାଇବା ପାଇଁ ଅପଚେଷ୍ଟା କରି ଚାଲିଛି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଚାଷୀକୁଳଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ କୃଷି ଉପକରଣ, କୃଷି ସବସିଡି, କୃଷି ଋଣ ଆଦି ପ୍ରସଙ୍ଗରେ ବାଟମାରଣା, ଦୁର୍ନିତୀ, ଘୋଟାଲାରେ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ଡ. ସାମନ୍ତସିଂହାର ଦାବି ଜଣାଇଛନ୍ତି। ରାଜ୍ୟର ଚାଷୀକୂଳଙ୍କ ସ୍ୱାର୍ଥ ଦୃଷ୍ଟିରୁ ପିସି କାରବାର ବନ୍ଦ କରିବାକୁ ଆଜି ନିଜ ଜନ୍ମ ଦିନ ଅବସରରେ ମୁଖ୍ୟମନ୍ତ୍ରୀ ସଂକଳ୍ପ ନେବା ଉଚିତ୍ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *