ଚାଷ ଓ ଚାଷୀର ହକ୍ ଏବଂ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆଜିଠୁ ଆରମ୍ଭ ହେଲା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

– ଆଜି ନୂଆପଡା, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇ ଦାବିପତ୍ର ପ୍ରଦାନ କରାଗଲା
– ଆସନ୍ତା କାଲି କେନ୍ଦ୍ରାପଡା, ନବରଙ୍ଗପୁର, ଭଦ୍ରକ ଓ ମୟୁରଭଂଜ(ବାରିପଦା) ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ

ଭୁବନେଶ୍ୱର ତା ୨୦/୧୨(ଓଡ଼ିଆ ପୁଅ): ଚାଷ ଓ ଚାଷୀଙ୍କ ସମସ୍ୟାଙ୍କୁ ନେଇ ରାଜ୍ୟ ବିଜେପି ଜିଲ୍ଲା ସ୍ତରରେ ଆନ୍ଦୋଳନକୁ ଓହ୍ଲାଇଛି। ରାଜ୍ୟରେ ମରୁଡି, ଚକଡା ପୋକ ଲାଗିବା ଏବଂ ଅଦିନିଆ ବର୍ଷାରେ ଚାଷୀକୂଳ ହତାଶ ହୋଇଛି। ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଦେଇଥିବା ଏସ.ଡି.ଆର.ଏଫ ମାଧ୍ୟମରେ କ୍ଷତିପୂରଣ ରାଶି ସଠିକ୍ ଚାଷୀପାଖରେ ନ ପହଂଚି ଶାସକ ଦଳର କର୍ମୀମାନଙ୍କୁ ବଂଟାଯାଉଛି। ଏମିତି ଅନେକ ସମସ୍ୟା କୁ ନେଇ ଆଜି ହଜାର ହଜାର ବିଜେପି କର୍ମୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ଆଜି ନୂଆପଜା ଜିଲ୍ଲାରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଅଗ୍ରୱାଲ ଏବଂ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ହଜାର ହଜାର ବିଜେପି କର୍ମୀ ଏକ ବାଇକ ର୍ୟାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରଛନ୍ତି। ଚାଷ ଓ ଚାଷୀ ସମସ୍ୟା ସହ ୧୭ ଦଫା ଦାବିରେ ଜିଲ୍ଲା ପ୍ରଶାସନ ଜରିଆରେ ଜିଲା୍ଲପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ପ୍ରତିବାଦ ସଭାରେ କୃଷକମାନଙ୍କର ସମସ୍ୟା ସହ ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ଏବଂ ରାଜ୍ୟ ସରକାରଙ୍କ ଜିଲ୍ଲା ପ୍ରତି ଅବହେଳାକୁ ନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି।

କନ୍ଧମାଳ ଜିଲ୍ଲାରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଛୋଟଲାଲ ମହନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, କରେନ୍ଦ୍ର ମାଝୀ, ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ବିନାୟକ ତ୍ରିପାଠୀ, ଅଶୋକ ସାହୁଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶାନ୍ତି ପୂର୍ଣ୍ଣ ଭାବରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ ଓ ପ୍ରଶାସନ ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ବାଧା ସୃଷ୍ଟି କରିଥିଲେ। ଚାଷୀମାନଙ୍କ ପ୍ରତି ଅବହେଲା ସହ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି, ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲାକୁ କ୍ରମାଗତ ଅବହେଳା ପ୍ରଦର୍ଶନ ଏବଂ ହଳଦୀକୁ ଜିଆଇ ମାନ୍ୟତା ଦାବି ପ୍ରସଙ୍ଗରେ ଜିଲ୍ଲପାଳଙ୍କୁ ସ୍ମାରକ ପତ୍ର ଦିଆଯାଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବିଜେପିର ହଜାର ହଜାର କାର୍ଯ୍ୟକର୍ତା ଖୋର୍ଦ୍ଧା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଜିଲ୍ଲାରେ ଅଦିନିଆ ବର୍ଷା, ମରୁଡି କାରଣରୁ ଏକର ଏକର ଚାଷ ଜମି ନଷ୍ଟ ହୋଇଥିବାବେଳେ କ୍ଷତିଗ୍ରସ୍ତ ଚାଷୀକୁ ଉପଯୁକ୍ତ କ୍ଷତିପୂରଣ ରାଶି ନମିଳିବା, ପ୍ରକୃତ ଭାଗ ଚାଷୀ ଚିହ୍ନଟ ଓ ତାଲିକା ପ୍ରସ୍ତୁତ ନହେବା, ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବାରେ ବଫଳତା, ସ୍ୱାସ୍ଥ୍ୟ ସମସ୍ୟା, ବେଧଡକ ପିସି କାରବାର ଆଦି ସମସ୍ୟାକୁ ନେଇ ଜିଲ୍ଲପାଳଙ୍କୁ ଏକ ୧୦ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ସମୟରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀଙ୍କ ସହ ପୋଲିସ ଜାଣିଶୁଣି ବାଧା ସୃଷ୍ଟି କରିଥିଲା। ଏହି ବିକ୍ଷୋଭରେ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଂପାଦକ ଓ ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ଜିଲ୍ଲା ସଭାପତି ସୁବାଷ ଜେନା, ଜିତୁ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚାଷ ଓ ଚାଷୀଙ୍କ ସମସ୍ୟାଙ୍କୁ ନେଇ ବିଜେପି ତରଫରୁ ଆସନ୍ତା କାଲି କେନ୍ଦ୍ରାପଡା, ନବରଙ୍ଗପୁର,  ଭଦ୍ରକ ଓ ମୟୁରଭଂଜ(ବାରିପଦା) ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଚାଷୀଙ୍କ ହକ୍ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ଏଭଳି ବିକ୍ଷୋଭ କରାଯିବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *