ଚାଷୀ ମୂଲିଆ ଅନ୍ଦୋଳନ ନେତା- ଭାଗବତ ବେହେରା

– ଶ୍ରୀ ସନାତନ ମହାକୁଡ

ଦୁର୍ବାର ଛାତ୍ର ଆନ୍ଦୋଳନ ଯାହାକି ତତ୍କାଳୀନ ସରକାରଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା ସେହି ଆନ୍ଦୋଳନର ମୁଖ୍ୟସୂତ୍ରଧର ଥିଲେ ଭାଗବତ ବେହେରା। ନୟାଗଡର ବାହାଡାଝୋଲା ଅଂଚଳର ଗୋପପୁର ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ବେହେରାଙ୍କ ଜ୍ୟେଷ୍ଠ ପୁତ୍ର ଭାଗବତ ୧୯୪୦ ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମ ସମୟରେ ତାଙ୍କ ପିତା ନାରାୟଣ ପ୍ରଜାମଣ୍ଡଳ ଆନ୍ଦୋଳନରେ ଭାଗ ନେଇ କାରାବରଣ କରି ନୟାଗଡ ଜେଲରେ ବନ୍ଦୀ ଜୀବନ କାଟୁଥିଲେ। ସଂଧ୍ୟା ସମୟରେ ଜେଲରେ ଭାଗବତ ପଢାଯାଉଥିବାବେଳେ ପୁତ୍ରର ଜନ୍ମ ଖବର ପାଇ ସେ ଶ୍ରଦ୍ଧାରେ ପୁତ୍ରର ନାମ ରଖିଥିଲେ ଭାଗବତ। ଭାଗବତ ନିଜ ଗ୍ରାମରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ପରେ ଓଡଗାଁ ହାଇସ୍କୁଲରୁ ମାଧ୍ୟମିକ, ରେଭେନ୍ସା କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକୋତର ଓ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାଲାଭ କରିଥିଲେ। ରେଭେନ୍ସାରେ ଅଧ୍ୟୟନ କରିବା ବେଳେ ଛାତ୍ର ସଂସଦର ସହକାରୀସଂପାଦକ ଓ ପରେ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥିଲେ। ତାଙ୍କ ନେତୃତ୍ୱରେ ୧୯୬୪ ମସିହାରେ ରାଜ୍ୟବ୍ୟାପୀ ଐତିହାସିକ ଛାତ୍ର ଆନ୍ଦୋଳନ ସଂଗଠିତ ହୋଇଥିଲା ଓ ତତ୍କାଳୀନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଗୁଲଜାରିଲାଲ ନନ୍ଦା ଓଡିଶା ଆସି ଭାଗବତଙ୍କ ସହ ଆଲୋଚନାକରି ଛାତ୍ରମାନଙ୍କ ଦାବିପୂରଣ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଛାତ୍ର ଜୀବନରୁ ସ୍ୱର୍ଗତ ରାମ ମନୋହାର ଲୋହିଆ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଜୟପ୍ରକାଶ ନାରାୟଣଙ୍କ ସମାଜବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ସେ ପ୍ରଜାସୋସିଆଲିଷ୍ଟ ଦଳରେ ସାମିଲ ହୋଇ ନିଜର ରାଜନୈତିକ କାର୍ଯ୍ୟକଳାପ ଆରମ୍ଭ କଲେ। ଶ୍ରମିକ ଆନ୍ଦୋଳନ ସହ ନିଜକୁ ସାମିଲ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ଘନିଷ୍ଠଭାବେ ଚୈାଦ୍ୱାର, ତାଳଚେର ଓ ରାଉରକେଲା ସହ ବିଭିନ୍ନ ଶିଳ୍ପାଞ୍ଚଳରେ ହିନ୍ଦ୍ମଜଦୁରସଭା ଶ୍ରମିକ ସଂଘ ମାଧ୍ୟମରେ ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେଇ କରୁଥିଲେ।

ନୟାଗଡର କ୍ରମାଗତ ମରୁଡି ଓ ଲୋକଙ୍କ ଦୁର୍ଦ୍ଦଶାକୁ ଲକ୍ଷ୍ୟ କରି ନୟାଗଡକୁ ନିଜ କର୍ମଭୂମୀ ଭାବେ ବାଛି ନେଇଥିଲେ। ୧୯୭୪, ୧୯୭୭, ୧୯୮୫, ୧୯୯୦ ଓ ୨୦୦୦ମସିହାରେ ନୟାଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ୧୯୯୧ରୁ ୧୯୯୫ ମସିହା ପର୍ଯ୍ୟନ୍ତ ବିଜୁ ବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ପରିବହନ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୦୦ରୁ ୨୦୦୨ ମୃତ୍ୟୁ ପର୍ଯ୍ୟନ୍ତ ବିଜେଡି ସରକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କୁ ନୟାଗଡର ବାଘୁଆ ନେତା ଭାବେ ଲୋକେ ଶ୍ରଦ୍ଧାରେ ସମ୍ବୋଧନ କରିଥାନ୍ତି। ସଂଘର୍ଷ ଓ ସଂଗ୍ରାମ ତାଙ୍କ ଜୀବନର ମୂଳ ମନ୍ତ୍ର ଥିଲା। ଏଥିପାଇଁ ବିଭିନ୍ନ ଆନ୍ଦୋଳନରେ ସାମିଲ ହୋଇ ସେ ବହୁବାର କାରାବରଣ କରିଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ବିଧାୟକ ଥାଇ ମଧ୍ୟ ସେ ୧୮ମାସ କାରାବରଣ କରିଥିଲେ। ରାଜ୍ୟର ଚାଷୀମୁଲିଆ ଓ ଶ୍ରମିକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଥିଲେ ସଂକଳ୍ପବଦ୍ଧ। ପଛୁଆବର୍ଗଙ୍କୁ ନ୍ୟାୟ ଦେବା ପାଇଁ ସାମାଜିକ ନ୍ୟାୟ ଆନ୍ଦୋଳନରେ ସେ ନିଜକୁ ଜଡିତ କରି ପଛୁଆବର୍ଗ ମାନଙ୍କୁ ସରକାରୀ ଚାକିରୀରେ ସଂରକ୍ଷଣ ସୁବିଧା ଦେବାକୁ ସେ ମନ୍ତ୍ରୀ ଥାଇ ମଧ୍ୟ ମଣ୍ଡଳ କମିଶନ ସପକ୍ଷବାଦୀ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ ଓ ଓଡିଶାରେ ପଛୁଆବର୍ଗ ଆନ୍ଦୋଳନରେ ସେ ଥିଲେ ଅଗ୍ରଣୀ ନାୟକ। ୨୦୦୨ ମସିହା ଜୁନ୍ ୩ତାରିଖରେ ୬୨ବର୍ଷ ବୟସରେ ତାଙ୍କର ଅକାଳ ମୃତ୍ୟୁ ହେଲା ଓ ତାଙ୍କ ମୃତ୍ୟୁରେ ରାଜ୍ୟର ସମାଜବାଦ, ଚାଷୀମୁଲିଆ, ଶ୍ରମିକ ଓ ପଛୁଆବର୍ଗ ଆନ୍ଦୋଳନ ଅଧ୍ୟାୟର ଯବନିକା ପତନ ହେଲା। ଆଜି ତାଙ୍କ ଷୋଢଶ ଶ୍ରାଦ୍ଧବାର୍ଷିକୀ ଅବସରରେ ସେହି ମହାନ ଜନନାୟକଙ୍କ ସ୍ମୃତିଚାରଣ କରି ଅଶୃଳ ଶ୍ରଦ୍ଧାଂଜଳି ଜଣାଇ ସ୍ୱର୍ଗତ ଅମର ଆତ୍ମାର ସଦଗତି କାମନା କରୁଅଛି। ଭାଗବତଙ୍କ ବୈପ୍ଲବିକ ସଂଗ୍ରାମୀ ଚିନ୍ତାଧାରା ଯୁବ ସମାଜକୁ ମାର୍ଗଦର୍ଶନ ଦେଉ ଏତିକି କାମନା।

ବିଧାୟକ, ଚମ୍ପୁଆ

Leave a Reply

Your email address will not be published. Required fields are marked *