ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛୁ ବୋଲି କହି ମୁଖ୍ୟମନ୍ତ୍ରୀ କେବଳ ବାହାସ୍ପୋଟ ମାରୁଛନ୍ତି: ବିଜେପି

ଜିଲ୍ଲାପାଳଙ୍କ ଅଫିସ ଆଗରେ ବରପାଲି ବ୍ଲକ କନବାର ଗାଁର ଚାଷୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ

– ମୁଖ୍ୟମନ୍ତ୍ରୀ କେବଳ ଚାଷୀମାନଙ୍କୁ ଶୋଷଣ କରି ଚାଲିଛନ୍ତି
– ବହୁ କେନ୍ଦ୍ରୀୟ କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି
– ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନାରେ କ୍ଷତିପୂରଣ ରାଶି ରାଜ୍ୟ ସରକାର ସଠିକ୍ ଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପଂହଚାଇ ପାରୁନାହାଁନ୍ତି
– ଇନପୁଟ ସବସିଡି ଅକ୍ଟୋବର ମାସରେ ରିଲିଜ ହେଲା ପରେ ବି ଆଜି ପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ପହଂଚିନି

ଭୁବନେଶ୍ୱର, ତା.୦୩/୦୫ (ଓଡ଼ିଆ ପୁଅ) : ରାଜ୍ୟର ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛୁ ବୋଲି କହି ମୁଖ୍ୟମନ୍ତ୍ରୀ କେବଳ ବାହାସ୍ପୋଟ ମାରୁଛନ୍ତି। କିନ୍ତୁ ରାଜ୍ୟରେ କୃଷି ଏବଂ କୃଷକର ବାସ୍ତବ ଚିତ୍ର କିଛି ଅଲଗା। ବହୁ ଯୋଜନା ଥିବା ସତ୍ୱେ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଏବଂ ଅପାରଗତା କାରଣରୁ ଚାଷୀଟି ନିଜର ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ ହେଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୃତିକା ସ୍ୱାସ୍ଥ୍ୟ କାର୍ଡ, କୃଷି ସିଚାଇ ଯୋଜନା, ଇ-ମାର୍କେଟିଂ ବ୍ୟବସ୍ଥା, ଉତ୍ପାଦିତ ଫସଲର ଅଭାବୀ ବିକ୍ରି ରୋକିବାର ପଦକ୍ଷେପ ଭଳି ବହୁ କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। କାଳବୈଶାଖୀ ବର୍ଷା ଯୋଗୁଁ ବରଗଡ ଜିଲ୍ଲାର ବରପାଲି ବ୍ଲକ ସମେତ ରାଜ୍ୟର ବହୁ ସ୍ଥାନରେ ଅଧିକାଂଶ ଅଂଚଳରେ ଧାନ ଫସଲ ନଷ୍ଟ ହୋଇଛି। କ୍ଷତିପୂରଣ ରାଶି ଦାବି କରି ଆଜି ବରପାଲି ବ୍ଲକ କନବାର ଗାଁର ଚାଷୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ନିଜ ହକ୍ ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ଚାଷୀଟି ଆତ୍ମହତ୍ୟା ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି।

କାଳବୈଶାଖୀ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହଜାର ହଜାର ଏକର ଧାନ ଫସଲ ନଷ୍ଟ ହୋଇଛି। ଏହା ସତ୍ୱେ ରାଜ୍ୟସରକାର କୈାଣସି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିନାହାଁନ୍ତି। ରାଜ୍ୟସରକାର କେବଳ ଭାଷଣବାଜି କରିବା ଛଡା ଆଉ କିଛି ଜାଣନ୍ତି ନାହିଁ। ଚାଷୀକୁ ତାର କ୍ଷତିପୂରଣ ମିଳିଥିଲେ ଆଜି ଏଭଳି ଅଘଟଣ ଘଟିନଥାନ୍ତା ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଦୀର୍ଘ ୧୮ ବର୍ଷର ଶାସନ ମଧ୍ୟରେ ନବୀନ ସରକାର କେବଳ ଚାଷୀମାନଙ୍କୁ ଶୋଷଣ କରି ଚାଲିଛନ୍ତି। ରାଜ୍ୟସରକାର ବରଗଡ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କ୍ଷୟକ୍ଷତି ରାଶି ଚାଷୀମାନଙ୍କ ପାଖରେ ପହଂଚାଇ ପାରିଲେ ନାହିଁ। ରାଜ୍ୟର ଭାତ ହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ଚାଷୀମାନଙ୍କୁ ସବୁଠୁ ଅଧିକ ଅବହେଳିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନାରେ କ୍ଷତିପୂରଣ ରାଶି ରାଜ୍ୟ ସରକାର ସଠିକ୍ ଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପଂହଚାଇ ପାରୁନାହାଁନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ପୂର୍ବରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିନି। ଚାଷୀଙ୍କ ପାଇଁ ଇନପୁଟ ସବସିଡି ଅକ୍ଟୋବର ମାସରେ ରିଲିଜ ହେଲା ପରେ ବି ଆଜି ପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ପହଂଚିନି। ଚାଷୀ ଋଣଭାରରେ ମାନସିକ ଭାରସାମ୍ୟ ହରାଇ ବାଧ୍ୟ ହୋଇ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ଫତି ନେଉଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।

ସେହିପରି ଚାଷୀ ଆତ୍ମହତ୍ୟାକୁ ରାଜ୍ୟସରକାର ଗ୍ରହଣ ନକରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ପୂର୍ବରୁ ବୃନ୍ଦା ସାହୁ ଏବଂ ହାଡୁ ବର୍ଗତି ପରି ଅନେକ ଚାଷୀମାନେ ଫସଲହାନୀ ଏବଂ ଋଣଭାରରେ ନିଜ ଜୀବନକୁ ବାଜି ଲଗାଇଛନ୍ତି। ରାଜ୍ୟ ସରକାର ଏଭଳି ଘଟଣାର ତୁରନ୍ତ ସମାଧାନ କରିବା ସହ ଉପଯୁକ୍ତ କ୍ଷତିପୂରଣ ଦେଇ ଚାଷୀମାନଙ୍କୁ ତାଙ୍କର ହକ୍ ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *