ଜିଲ୍ଲା ପରିକ୍ରମା

ଚାଷୀଙ୍କୁ ଅଣଦେଖା କରୁଛି ଉଠାଜଳସେଚନ ବିଭାଗ ତିନି ବର୍ଷ ହେଲା ଅର୍ଦ୍ଧନିର୍ମିତ ହୋଇ ପଡିଛି ଏଲ୍ଆଇ ପଏଣ୍ଟ

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଯୋଜନା କରୁଛନ୍ତି। ହେଲେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ତର୍ଜ୍ଜମା ହେଉନାହିଁ। ଅର୍ଥ ବିନିଯୋଗ ହେଉଛି ହେଲେ ସୁଫଳ ମିଳୁନାହିଁ। ଗ୍ରାମାଞ୍ଚଳରେ ଏହି ପ୍ରକାର ସମସ୍ୟା ସୃଷ୍ଟି ହୋଇଛି। ଏହି ଜିଲାର ତିହିଡି ବ୍ଲକ ଅଧୀନ କୁବେରାରେ ଗତ ୨୦୧୫ରେ କାର୍ଯ୍ୟ ଆରମ୍ଭ ହୋଇଥିବା ଉଠା ଜଳସେଚନ ପଏଣ୍ଟ ସେବେଠାରୁ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଛି। ବାରମ୍ବାର ଅଭିଯୋଗ କଲେ ବି ସୁଫଳ ମିଳୁନାହିଁ। ଶେଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏ ସଂପର୍କରେ ଅଭିଯୋଗ ହେବା ପରେ କୌଣସି ସୁଫଳ ମିଳିନାହିଁ। କୁବେରା ଗ୍ରାମର ପ୍ରାୟ ୫୦ରୁ ୬୦ ଚାଷୀଙ୍କ ଜମିରେ ଜଳସେଚନ କରିବାର ଲକ୍ଷ୍ୟ ନେଇ ଏହି ଯୋଜନାଟି ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ପମ୍ପ ହାଉସ ନିର୍ମିତ ହୋଇଯାଇଛି। ୩ ଫେଜ ବିଶିଷ୍ଟ ବିଦ୍ୟୁତ କରେଣ୍ଟ ସଂଯୋଗ ହୋଇଛି। ଟ୍ରାନ୍ସଫର୍ମର ମଧ୍ୟ ବସି ସାରିଛି। ଚାଷୀଙ୍କ ଜମିର ୩ ଫୁଟ ତଳେ ପାଇପ ମଧ୍ୟ ବିଛା ହୋଇଯାଇଛି। ଏତକ କାମ ୨୦୧୫ରେ ଆରମ୍ଭ ହୋଇ ସେହି ବର୍ଷ ଶେଷ ହୋଇଛି। ସେବେଠାରୁ ଏହି କାର୍ଯ୍ୟ ବନ୍ଦ ହୋଇ ପଡିଛି। ପାଣିପମ୍ପ ବସାଯାଇ ନାହିଁ। ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକୁ ଅଧପନ୍ତିରଆ ଭାବେ ଛାଡିବାର କ’ଣ ନିୟମ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଚାଷୀ। ସଂପ୍ରତି ବିଦ୍ୟୁତ ଖୁଣ୍ଟଗୁଡିକ ବିଲରେ ଶୋଇଯିବା ଫଳରେ ଏଥିରେ ଲାଗିଥିବା ତାର ଚୋରି ହୋଇଗଲାଣି। ପମ୍ପ ହାଉସ ଚାରିପଟ ଜଙ୍ଗଲ ହୋଇଗଲାଣି। ‘ଆମେ ବାରମ୍ବାର ଅଭିଯୋଗ କଲେ ବି ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି’ ବୋଲି ଅଭିଯୋଗ କରିଛନ୍ତି ଏହି ଯୋଜନା ପାଇଁ ଗଠିତ ପାଣି ପଞ୍ଚାୟତର ସଭାପତି ଦୀନବନ୍ଧୁ ପାଣିଗ୍ରାହୀ। ଏପରି ଏକ ଚାଷୀ ହିତକର ଯୋଜନାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବାରେ ପ୍ରଶାସନ କି ସୁବିଧା ପାଉଛି ବୋଲି ଏହି ଯୋଜନା ଦ୍ୱାରା ଉପକୃତ ହେବାକୁ ଥିବା ଚାଷୀ ଗୋପବନ୍ଧୁ ପାଣିଗ୍ରାହୀ କହିଛନ୍ତି। ଏ ସଂପର୍କରେ ପ୍ରତିକ୍ରିୟା ନେବା ପାଇଁ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଯଶୋବନ୍ତ ପ୍ରଧାନଙ୍କ ସହ ଯୋଗାଯୋଗ କରିବା ପରେ ସେ ଏହାକୁ ୭ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ଆମ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top