ଚାଷୀକୂଳ ହତାଶ ;ସରକାରୀ ଧାନ ବିହନ ମିଳିବା ନେଇ ଅନିଶ୍ଚିତତା, କୃଷି ବିଭାଗ ନୀରବ

ଯାଜପୁର -୧୧/୭(ଓଡିଆ ପୁଅ/ଏ.ରାଉତ) – ଯାଜପୁର ବ୍ଲକ୍ରେ ଚାଷୀଙ୍କୁ ସରକାରୀ ଧାନ ବିହନ ଯୋଗାଇ ଦେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଧାନ ବିହନକୁ ଅପେକ୍ଷା କରିଥିବା ଚାଷୀ ହତାଶ ହୋଇଥିବାବେଳେ କୃଷି ବିଭାଗ ଅଳ୍ପ ବିହନ ଯୋଗାଇଦେଇ ନୀରବରେ ବସିଥିବା ଜଣାପଡ଼ିଛି। ଚଳିତବର୍ଷ ଚାଷୀ ରଜ ପୂର୍ବରୁ ହୋଇଥିବା ବର୍ଷାକୁ ମୌସୁମୀ ବର୍ଷା ଭାବି ଜମିରେ ଧାନ ବିହନ ବୁଣିଥିଲା କିନ୍ତୁ ବର୍ଷା ନହେବାରୁ ପ୍ରବଳ ଖରା ଯୋଗୁ କେତେକ ଜମିରେ ଗଜା ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଥିଲା। ମୌସୁମୀ ବର୍ଷା ଆସିଲା ପରେ ଯାଜପୁର ବ୍ଲକ୍ର ୨୬ ଗୋଟି ପଞ୍ଚାୟତର ଚାଷୀ ନିଜ ଜମିକୁ ହଳକରି ଧାନ ବୁଣିବା ପାଇଁ ଅପେକ୍ଷା କରିଛନ୍ତି। ଯାଜପୁର ବ୍ଲକ୍ର ଚାଷୀମାନେ ମୁଖ୍ୟତଃ ଧାନଚାଷ ଉପରେ ଗୁରୁତ୍ୱ ଦେଇଥାନ୍ତି। ଚାଷୀ ବିହନ ବୁଣିବା ପାଇଁ ଜମି ପ୍ରସ୍ତୁତ କରିଥିବାବେଳେ ସରକାରୀ ବିହନ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି। କୃଷି ବିଭାଗ ପକ୍ଷରୁ ଯେତିକି ବିହନ ଚାଷୀଙ୍କ ପାଇଁ ଆସିଥିଲା ତାହା ସମୁଦ୍ରକୁ ଶଙ୍ଖେ ବୋଲି କେତେକ ଚାଷୀ କହୁଥିବା ଶୁଣିବାକୁ ମିଳିଛି। ଏ ଅଞ୍ଚଳର ମାଟି ପାଇଁ ଯେଉଁ ଧାନ ବିହନ ଆବଶ୍ୟକ ସେ ବିହନ କୃଷି ବିଭାଗ ଯୋଗାଇବାରେ ବିଫଳ ହୋଇଛି ବୋଲି ଚାଷୀ କହୁଥିବା ଜଣାପଡ଼ିଛି। ଏହି ମାଟିରେ ଯେଉଁ ବିହନ ବୁଣିଲେ ଧାନ ଫସଲ ଅଧିକ ଅମଳ ହେବ ବୋଲି ଚାଷୀ କହୁଛନ୍ତି ସେ ବିହନ ବିଭାଗ ଯୋଗାଇ ଦେଉନଥିବା ଶୁଣିବାକୁ ମିଳିଛି। ଯାଜପୁର ବ୍ଲକ୍ର କୃଷି ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୭ ଗୋଟି ପଞ୍ଚାୟତରେ ୧୦ ହଜାର ୮୩୦ ହେକ୍ଟର ଜମିରେ ଖରିଫ୍ ଧାନଚାଷ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହାମଧ୍ୟରୁ ୪୫୦୦ ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଧାନ ବିହନ ବୁଣାକାର୍ଯ୍ୟ ଶେଷ ହୋଇଛି। ୧ ହଜାର କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ଥିବାବେଳେ ଅଦ୍ୟାବଧି ମାତ୍ର ୧୭୮ କୁଇଣ୍ଟାଲ ବିହନ ବିଭାଗକୁ ଆସିଛି। ଏହି ବିହନ ମଧ୍ୟରୁ ୧୦୭ ଜଣ ଚାଷୀଙ୍କୁ ୯୪ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଛି। ବ୍ଲକ୍ର ଚାଷୀମାନଙ୍କୁ ଚଳିତ ଖରିଫ୍ ଋତୁରେ ସ୍ୱର୍ଣ୍ଣ, ରାଣୀ, ପୂଜା ବିହନ ଯୋଗାଇ ଦେବାପାଇଁ କୃଷି ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ଅଞ୍ଚଳର ଚାଷୀ ନିଜ ଜମିର ଉର୍ବରତାକୁ ଦେଖି ନାଲି ସ୍ୱର୍ଣ୍ଣ ବିହନ ଚାହୁଁଥିବାବେଳେ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହେଉଛି। ଏ ଅଞ୍ଚଳରେ ଥିବା ଜମିରେ ନାଲି ସ୍ୱର୍ଣ୍ଣ ଧାନ ଚାଷକଲେ ଅଧିକ ଫସଲ ଅମଳ ହୋଇଥାଏ ବୋଲି ଚାଷୀଙ୍କର ଧାରଣା ରହିଛି। ଏହି ନାଲି ସ୍ୱର୍ଣ୍ଣ ଧାନ ବିହନ ମିଳିବ କି ନାହିଁ ତାହା ମଧ୍ୟ କୃଷି ବିଭାଗ ପାଖରେ ଖବର ନାହିଁ। ଚଳିତବର୍ଷ ସରକାର ଡିଲର ଓ ସମବାୟ ସମିତି ମାଧ୍ୟମରେ ଧାନ ବିହନ ଚାଷୀଙ୍କୁ ଯୋଗାଇ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ବିଭାଗ ମଧ୍ୟରେ ତାଳମେଳ ରହୁନଥିବାରୁ ବ୍ଲକ୍ ଅଞ୍ଚଳରେ ଥିବା ୧୩ ଗୋଟି ସମବାୟ ସମିତି ମଧ୍ୟରୁ କେବଳ ନାଥସାହି କୃଷି ସମବାୟ ସମିତି ମାତ୍ର ୪୦ କୁଇଣ୍ଟାଲ ଧାନ ବିହନ ବିକ୍ରି କରିବାରେ ସକ୍ଷମ ହୋଇଛି। ସବସିଡ଼ି ଅର୍ଥ କୃଷି ସମବାୟ ସମିତକୁ ଆସିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ବିଗତବର୍ଷ ବହୁ ଚାଷୀ ଧାନ ବିହନ ସବସିଡ଼ି ଅର୍ଥ ପାଇନଥିବାରୁ ଚଳିତବର୍ଷ ସବସିଡ଼ି ଅର୍ଥ ସମିତିକୁ ଆସିବା ନେଇ ଚାଷୀ ଦ୍ୱନ୍ଦରେ ପଡ଼ିଯାଇଛନ୍ତି। ବହୁ କୃଷି ସମବାୟ ସମିତି ଧାନ ବିହନକ୍ରୟ କରିବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି। ସେହିପରି ଧାନ ବିହନ କୃଷି ବିଭାଗ ବିଳମ୍ବରେ ଯୋଗାଇଦେଲେ କୃଷି ସମବାୟ ସମିତି ଧାନ କ୍ରୟ କରି କଣ କରିବ ବୋଲି ସମିତିର କେତେକ ସଦସ୍ୟ ସୂଚନା ଦେଇଛନ୍ତି। ଏବେ କିଛି ଚାଷୀ ସରକାରୀ ବିହନରୁ ଆଶା ଛାଡ଼ି ବିକଳ୍ପ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। କୃଷକ କିପରି ଉନ୍ନତମାନର ଚାଷ କରି ଅଧିକ ଫସଲ ଅମଳ କରିପାରିବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୃଷକକୁ ଉନ୍ନତମାନର ବିହନ, ସାର, କୀଟନାଶକ ଯୋଗାଇ ଦେବାପାଇଁ ଚେଷ୍ଟା କରିବା ସହ ଉନ୍ନତ ପ୍ରଣାଳୀରେ ଚାଷ କରିବାପାଇଁ କୁହାଯାଇଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ଓଲଟା ଯାଜପୁର ବ୍ଲକ୍ ଚାଷୀମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହି ଘଟଣାକୁ ଦେଖି ଚାଷୀ ହତାଶ ହୋଇଥିବାବେଳେ ବିଭାଗ ନୀରବଦ୍ରଷ୍ଟା ସାଜିଛି।

Leave a Reply

Your email address will not be published. Required fields are marked *