ଚାଷଜମିରେ କାମ କରୁଥିବାବେଳେ ବଜ୍ରାଘାତ, ଜଣେ ମହିଳା ମୃତ: ୨ ମହିଳା ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର, ୧୧ା୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚାକୁଣ୍ଡାପାଳ ପଞ୍ଚାୟତ ଜହ୍ନେଇପଶିଠାରେ ଚାଷଜମିରେ କାମ କରୁଥିବା ସମୟରେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ୨ଜଣ ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁସାରେ, ମଙ୍ଗଳବାର ଅପରାହ୍ନ ୩ଟା ସମୟରେ କେନ୍ଦେଇପଶି ନିକଟସ୍ଥ ଜହ୍ନେଇପଶିଠାରେ ପ୍ରଦୀପ ନାଏକଙ୍କ ଚାଷଜମିରେ କିଛି ମହିଳା କାମ କରୁଥିବା ସମୟରେ ହଠାତ୍ ବର୍ଷା ହେବା ସହିତ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ବିଲରେ କାମ କରୁଥିବା ଜହ୍ନେଇପଶି ଗ୍ରାମର ରଙ୍ଗାଧର ନାୟକଙ୍କ ବିଲରେ କାମ କରୁଥିବାବେଳେବଜ୍ରାଘାତ ହେବାରୁ ଧନେଶ୍ୱର ନାଏକଙ୍କ ସ୍ତ୍ରୀ ପପିତା ନାଏକ(୨୮)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ରଙ୍ଗାଧର ନାଏକଙ୍କ ସ୍ତ୍ରୀ ରେଣୁକା ନାଏକ(୫୦) ଏବଂ ମମତା ନାଏକ(୪୫)ଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କାରଣରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ମୃତ ଓ ଗୁରୁତର ମହିଳା ଶ୍ରମିକମାନେ ବିପିଏଲ୍ ଓ ଆଦିବାସୀବର୍ଗର ହୋଇଥିବା କାରଣରୁ ମୃତକଙ୍କର କ୍ଷତିପୂରଣ ଏବଂ ଆହତମାନଙ୍କର ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି ଜଣାଇଛନ୍ତି। ଖବରପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।

 

Leave a Reply

Your email address will not be published. Required fields are marked *