ଜିଲ୍ଲା ପରିକ୍ରମା

ଚାରି ମାସ ହେଲା ଶୀତଳଭଣ୍ଡାରରେ ପଡିରହିଛି ନିର୍ଦ୍ଦେଶ, ରାଣୀତାଲ ଦୁର୍ଘଟଣା ପରେ ନିରାପତ୍ତା ପରାମର୍ଶଦାତା କମିଟି ଗଠନକୁ ଗୁରୁତ୍ୱ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ରାଣିତାଲ ଦୁର୍ଘଟଣା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ନେଇ ପ୍ରଶାସନର ଚିନ୍ତା ଘାରିଛି। ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶକୁ ନେଇ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ତରଫରୁ ଜାରି କରାଯାଇଥିବା ଗାଇଡ ଲାଇନକୁ ପାଳନ କରିବା ପାଇଁ ରାଜ୍ୟ ସରକାର ଗତ ଏପ୍ରିଲ ୫ ତାରିଖରେ ଜିଲାପାଳମାନଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ଅନୁଯାୟୀ ଜିଲା, ବ୍ଲକ ଓ ବିଦ୍ୟାଳୟ ସ୍ତରରେ ନିରାପତ୍ତା ପରାମର୍ଶଦାତା କମିଟି ଗଠନ କରିବାକୁ କୁହାଯାଇଥିଲା। ତେବେ ଏହି ନିର୍ଦ୍ଦେଶ ୪ ମାସ ହେଲା ଶୀତଳଭଣ୍ଡାରରେ ପଡିରହିଛି। ଏପରିକି ଏହି କମିଟିଗୁଡିକରେ ଯେଉଁମାନେ ସଭ୍ୟ ରହିବେ ସେମାନେ ମଧ୍ୟ ଏପରି ଏକ କମିଟି ଗଠନ ହେବା ନେଇ ଅନଭିଜ୍ଞ ଅଛନ୍ତି। ରାଣିତାଲ ଦୁର୍ଘଟଣା ପରେ ଏହି କମିଟି ଗଠନର ଆବଶ୍ୟକତା ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ଏହାକୁ କିପରି କାର୍ଯ୍ୟକାରୀ କରୁଛି ତାହା ହିଁ ଦେଖିବା କଥା। ସଂପୃକ୍ତ ଚିଠିରେ ଜିଲା, ବ୍ଲକ ଓ ବିଦ୍ୟାଳୟ ସ୍ତରୀୟ ନିରାପତ୍ତା ପରାମର୍ଶଦାତା କମିଟି ଗଠନ କରିବାକୁ ନିର୍ଦ୍ଦେଶ ରହିଥିଲା। ଏହି ଜିଲାର ତିହିଡି ବ୍ଲକରେ ଏହି କମଟି ଗଠିତ ହୋଇନାହିଁ କି କୌଣସି ବିଦ୍ୟାଳୟରେ ମଧ୍ୟ କମିଟି ଗଠନ କରାଯାଇନାହିଁ। ବ୍ଲକ ସ୍ତରୀୟ ନିରାପତ୍ତା ପରାମର୍ଶ କମିଟିରେ ବିଡିଓ ଅଧ୍ୟକ୍ଷ ରହିବା ସହ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଥା ବିଆରସି, ଦୁଇ ଜଣ ସିଆରସି, ବିପର୍ଯ୍ୟୟ ପରିଚାଳନାରେ ଅଭିଜ୍ଞତା ଥିବା ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ, ବ୍ଲକର ବୈଷୟିକ ପରାମର୍ଶଦାତା, ଗ୍ରାମ ପଞ୍ଚାୟତ ଅଧିକାରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରମୁଖ ସଭ୍ୟ ଭାବେ ରହିବେ। ବ୍ଲକ ଶିକ୍ଷାଧିକାରୀ ଆବାହକ ରହିବେ। ସେହିପରି ବିଦ୍ୟାଳୟ ସ୍ତରରେ ମଧ୍ୟ ଏହି କମିଟି ଗଠନ କରିବାକୁ ନିର୍ଦେଶ ରହିଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଧ୍ୟକ୍ଷ ରହିବାକୁ କୁହାଯାଇଥିବା ବେଳେ ଦୁଇ ଜଣ ଅଭିଭାବକ, ଜଣେ ସହକାରୀ ଶିକ୍ଷକ, ଦୁଇ ଜଣ ଛାତ୍ର, ବିପର୍ଯ୍ୟୟ ପରିଚାଳନାରେ ଅଭିଜ୍ଞତା ଥିବା ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ, ପିଆରଆଇ ସଦସ୍ୟ, ଜଣେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ସଦସ୍ୟ ରହିବେ ଓ ପ୍ରଧାନ ଶିକ୍ଷକ ଏହି କମିଟିର ଆବାହକ ରହିବେ। ଏହି କମିଟି ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ତରଫରୁ ଦିଆଯାଇଥିବା ଗାଇଡ ଲାଇନକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବ। ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବହୁ ସମସ୍ୟା ରହିଛି। ଏ ଦିଗରେ କର୍ତ୍ତୃପକ୍ଷ ବା ଅଭିଭାବକମାନେ ସେତେଟା ଗୁରୁତ୍ୱ ଦେଉନାହାନ୍ତି। ଦୁର୍ଘଟଣା ଘଟିବା ପରେ କିଛିଦିନ ହଇଚଇ ସୃଷ୍ଟି ହେଉଛି। ଏହାପରେ ପୂର୍ବରି ସବୁକିଛି ଚାଲୁଛି। ରାଣିତାଲ ଦୁର୍ଘଟଣାର ଯେପରି ପୁନରାବୃତ୍ତି ନଘଟେ ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡିକରେ ନିରାପତ୍ତା ପରାମର୍ଶଦାତା କମିଟି ତୁରନ୍ତ ଗଠନ ହେବା ଆବଶ୍ୟକ ବୋଲି ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top