ଓଡ଼ିଶା

ଚାରି ପୁଅ ଥାଇ ବି ବୃଦ୍ଧ ଅଲୋଡା, କୋଳେଇ ନେଲା ସାଇ ଆଶ୍ରୟ

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଚାରିଯୋଡା ପୁଅବୋହୂ। ନାତି ନାତୁଣୀ ବି ଅଛନ୍ତି। ତଥାପି ପରିଣତ ବୟସରେ ମୁଣ୍ଡ ଗୁଞ୍ଜିବାକୁ ସାହାରା ପାଉ ନାହାନ୍ତି ଜନ୍ମ କଲା ବାପା। ଅସହାୟ ହୋଇ ମାସ ମାସ ଧରି ସହରର ଯାତ୍ରୀ ବିଶ୍ରାମାଗାରରେ ଦିନ କାଟୁଛନ୍ତି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବସ୍ତା ଅଞ୍ଚଳର ବାଉଁଶମୁଖା ସାଇ ଆଶ୍ରୟ ବୃଦ୍ଧଙ୍କୁ କୋଳେଇ ନେଇଛି। ବୃଦ୍ଧ ଜଣଙ୍କ ଏହି ଜିଲାର ବାସୁଦେବପୁର ମ୍ୟୁନ୍ସିପାଲିଟି ଅଧୀନ ବଳିବିନ୍ଧା ଗ୍ରାମର ଶବର ମଲିକ ବୋଲି ଜଣାପଡିଛି। ସାଇ ଆଶ୍ରୟର ଯୁଗ୍ମ ସଂଯୋଜିକା ତପସ୍ୱିନୀ କର, ପରିଚାଳକ ରବୀନ୍ଦ୍ର କୁମାର ସାହୁ ବାସୁଦେବପୁର ସହରର ଯାତ୍ରୀ ବିଶ୍ରାମାଗାରରେ ରହୁଥିବା ଶବରଙ୍କୁ ଭେଟିଥିଲେ। ତାଙ୍କ ଦୁଃଖ କାହାଣୀ ଶୁଣିବା ପରେ ପୌରାଧ୍ୟକ୍ଷ ଅଶୋକ କୁମାର ଦାସ, ୱାର୍ଡ କାଉନସିଲର ରୋହିତ ମଲିକ, ଥାନାଧିକାରୀ ଉମାଶଙ୍କର ନାୟକଙ୍କ ସହିତ ଆଲୋଚନା କରିଥିଲେ। ପୁଅ ବୋହୂ ଥାଇ ବି ଅସହାୟ ହୋଇପଡିଥିବା ଶବର ସଂପର୍କରେ ସାଇ ଆଶ୍ରୟ କର୍ମକର୍ତ୍ତା ଥାନାରେ ଲିଖିତ ଜଣାଇଥିଲେ। ଝିଅ ସମେତ ଚାରି ପୁଅକୁ ନେଇ ଶବରଙ୍କ ସଂସାର। ବିବାହ ପରେ ପିଲାମାନେ ଅଲଗା ହୋଇଯାଇଥିଲେ। ଯାହାର ହାତ ଧରିଥିଲା ସେ ବି ଆରପାରିକୁ ଚାଲିଗଲା। ପୈତୃକ ସଂପତ୍ତିରେ ସ୍ଥାନାଭାବରୁ ତିନି ପୁଅ ବିଭିନ୍ନ ଅଞ୍ଚଳରେ ନିଜ ପରିବାର ଧରି ରହୁଥିବା ବେଳେ ଗୋଟିଏ ପୁଅ ଗାଁରେ ରହୁଥିଲା। ଏପରି ସ୍ଥିତିରେ ଶବର ଦୀର୍ଘଦିନ ଧରି ସିମୁଳିଆ ଅଞ୍ଚଳ ବାଡୁଳିରେ ରହୁଥିବା ପୁଅ ପାଖରେ ରହିଆସୁଥିଲେ। ହେଲେ ସେହି ପୁଅ ବୋହୂଙ୍କଠାରୁ କୌଣସି କାରଣରୁ ବିତାଡିତ ହେବା ପରେ ସହରର ଯାତ୍ରୀ ବିଶ୍ରାମାଗାର ପାଲଟି ଯାଇଥିଲା ଶବରର ଆଶ୍ରୟସ୍ଥଳ। ଏଠି ମାଗିଯାଚି ଓଳିଏ ଖାଇଲେ ଓଳିଏ ଉପାସରେ ଦିନ କାଟୁଥିଲା। ପୁଅବୋହୂ, ନାତି ନାତୁଣୀ ଥାଇ ବି କେବଳ ଛିଣ୍ଡା ଗଣ୍ଠୁଳି, ବଙ୍କୁଲି ବାଡି ଅସହାୟ ଶବରର ସାହାରା ପାଲଟିଲା। ଏପରି ଅବସ୍ଥାରେ ଦିନ କାଟୁଥିବା ଶବର ବର୍ଷ ତେଳେ ପୁଅବୋହୂଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଥାନା ବାବୁ ପିଲାଙ୍କ ପାଖରେ ଶବରଙ୍କୁ ଛାଡିଥିଲେ। ହେଲେ ପୁଅଙ୍କ ପାଖରେ ରହିବା ଶବରଙ୍କ ଦିନ ଦୀର୍ଘସ୍ଥାୟୀ ହୋଇପାରି ନଥିଲା। ଫଳରେ ପୁଣି ଯାତ୍ରୀ ବିଶ୍ରମାଗାର ଅସହାୟ ଶବରଙ୍କ ଆଶ୍ରୟସ୍ଥଳୀ ପାଲଟି ଥିଲା। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାର ପରେ ସାଇ ଆଶ୍ରୟ ବାସୁଦେବପୁରରେ ପହଞ୍ଚି ପୌରାଧ୍ୟକ୍ଷ ଶ୍ରୀ ଦାସ, ଶଶିକାନ୍ତ ବାରିକଙ୍କ ଉପସ୍ଥିତିରେ ଶବରକୁ କୋଳେଇ ନେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top