ଓଡ଼ିଶା

ଚାରା ମହାଦୁର୍ନୀତି, ସମବାୟ ଦୁର୍ନୀତି, ଦୁଗ୍ଧଦୁର୍ନୀତି (ଓମଫେଡ) ନବୀନଙ୍କ ଅସଲମୁଖାକୁ ପଦାରେ ପକାଇ ଦେଇଛି: ନିଜର ସ୍ୱଚ୍ଛତା ପ୍ରମାଣ ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ବିଜେପି

– ୪୦୦ କୋଟିର ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଏବେ ଜେଲରେ ଅଛନ୍ତି
– ରାଜ୍ୟର ସମବାୟ ବିଭାଗରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି
– ନବୀନ ବାବୁ ମୋନାଲିସା ହସ ମାଧ୍ୟମରେ ଯେଉଁ ହସ ଦେଖାଉଛନ୍ତି ଓଡିଶାର ଜନସାଧାରଣର ଏହାର ଜବାବ ଭୋଟ ମାଧ୍ୟମରେ ଦେବେ
– ବୈଜୟନ୍ତ ପଣ୍ଡା ହୁଅନ୍ତୁ, ପ୍ରଫୁଲ ଘଡେଇ ହୁଅନ୍ତୁ ଅବା ଦାମୋଦର ରାଉତ, ଯିଏ ଦୁର୍ନୀତି କଥା ଉଠାଇଛନ୍ତି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।
– କାହାକୁ ବହିଷ୍କାର କରାଯିବ ଏହା ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହେଲେ ଓଡିଶାବାସୀଙ୍କୁ ଏହି ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ

ଭୁବନେଶ୍ୱର, ତା.୧୪/୦୯ (ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି। ନିଜେ ଦୁର୍ନୀତିରେ ବୁଡି ରହିଛନ୍ତି। ରାଜ୍ୟରେ ହୋଇଥିବା ଚାରା ମହାଦୁର୍ନୀତି, ସମବାୟ ଦୁର୍ନୀତି, ଦୁଗ୍ଧଦୁର୍ନୀତି (ଓମଫେଡ) ତାଙ୍କର ଅସଲମୁଖାକୁ ପଦାରେ ପକାଇ ଦେଇଛି। ଯଦି ମୁଖ୍ୟମନ୍ତ୍ରୀଙ୍କର ସତସାହସ ଅଛି ଏ ସମସ୍ତ ଦୁର୍ନୀତିର ତଦନ୍ତ ସିବିଆଇକୁ ଦେବା ଦରକାର। ରାଜ୍ୟ ସରକାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଲେ ବିଜେପି ତରଫରୁ ଏହି ପ୍ରସଙ୍ଗକୁ ନେଇ କେବଳ ରାଜରାସ୍ତାରେ ଆନ୍ଦୋଳନ କରିବ ନାହିଁ ଆଇନ ଅଦାଲତର ଆଶ୍ରୟ ନେବାକୁ ଚେତାବନୀ ଦେଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ୪୦୦ କୋଟିର ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଏବେ ଜେଲରେ ଅଛନ୍ତି। ସମବାୟରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ମୁଖ୍ୟମନ୍ତ୍ରୀ ଏ ସବୁ ଦୁର୍ନୀତି ଉପରେ ଦିଲୀରୁ ଫେରି ପଦୁଟିନ ନକହି ମୋନାଲିସାର ହସ ହସି ଶୁଆଙ୍କ ପରି ଦୁଇପଦ କଥା କହି ଚାଲିଗଲେ।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ, ମୁଖ୍ୟମନ୍ତ୍ରୀ ଦିଲୀରୁ ଫେରିବା ପରେ ଡା.ଦାମୋଦର ରାଉତଙ୍କ ବିଜେଡିର ବହିଷ୍କାର ମାମଲାରେ ତାଙ୍କର ମନ୍ତବ୍ୟ ରଖିଛନ୍ତି। ଦଳରେ ରହିବା ନରହିବା ବିଜେଡିର ଅନ୍ତଦ୍ୱନ୍ଦ ବିଜେଡିର ଓ ଏହାର ସଭାପତି ଭାବରେ ନବୀନ ପଟ୍ଟନାୟକ ତାଙ୍କର ମନ୍ତବ୍ୟ ରଖିଛନ୍ତି। ମାତ୍ର ଓଡିଶାର ଜନମାନସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ନିଷ୍ପତି ବାବଦରେ ଆନ୍ଦୋଳିତ କରୁଥିବା ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଉତର ନଦେଇ କାହିଁକି ଏଡାଇ ଯାଇଛନ୍ତି ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଛନ୍ତି ଯେ, ଓଡିଶାବାସୀ ଏହାର ଉତର ମାଗିବା ସ୍ୱାଭାବିକ କଥା। କଥା କଥାକେ କମିଶନ ବସାଇବାର ଅଭ୍ୟାସ ରହିଛି। ନିଜ ଶାସନ କାଳରେ ଅଢେଇ ଡର୍ଜନରୁ ଅଧିକ କମିଶନ ବସାଇଛନ୍ତି। ହେଲେ ଏହାର ଫଳ ଶୂନ୍ୟ। ଏବେ ନବୀନ ବାବୁ ମୋନାଲିସା ହସ ମାଧ୍ୟମରେ ଯେଉଁ ହସ ଦେଖାଉଛନ୍ତି ଓଡିଶାର ଜନସାଧାରଣର ଏହାର ଜବାବ ବାଲଟ ମାଧ୍ୟମରେ ଦେବେ।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ ଓଡିଶାର ବିଭିନ୍ନ ଗଣସଙ୍ଗଠନ ଓ ସୂଚନା ଅଧିକାର କର୍ମୀମାନେ ରାଜ୍ୟର କୃଷି, ସମବାୟ ତଥା ଚାଷ ଓ ଚାଷୀ ସହ ସମ୍ବନ୍ଧିତ ଖୋଦ ନବୀନ ପଟ୍ଟନାୟକଙ୍କ ସରକାର ନିଷ୍ପତି ଓ କାର୍ଯ୍ୟକ୍ରମ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଓ ମହାଦୁର୍ନୀତିର ବିଭିନ୍ନ ତଥ୍ୟ ସମ୍ବଳିତ ଅଭିଯୋଗ ମାନ ଆଣିଛନ୍ତି। ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ ବିଭିନ୍ନ ସୁତ୍ରରୁ ଓଡିଶାର ଜନମାନସକୁ ବ୍ୟସ୍ତ ବିବ୍ରତ କରୁଥିବା ପ୍ରସଙ୍ଗ ଗୁଡିକୁ ଉଠାଇଛନ୍ତି। ଏହି ପ୍ରସଙ୍ଗ ଗୁଡିକ ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ନିଷ୍ପତି ସହିତ ଦୁର୍ନୀତିର ସମ୍ପର୍କ ଜନମାନସରେ ଆହୁରି ସ୍ପଷ୍ଟ କରିଛି। ଏହି ସବୁ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୌଣସି ମତ ମନ୍ତବ୍ୟ ଦେଇନାହାନ୍ତି। ରାଜ୍ୟର ଚାଷୀ, ଦୁଗ୍ଧଚାଷୀ, ଜନଜାତି ତଥା ସାଧାରଣ କ୍ଷୀର କିଣୁଥିବା ଖାଉଟିମାନଙ୍କୁ ରାଜ୍ୟ ସରକାରଙ୍କ ଦୁର୍ନୀତି କାରଣରୁ ଆର୍ଥିକ ଶୋଷଣର ଶିକାର ହେବାକୁ ପଡୁଛି। ମୁଖ୍ୟମନ୍ତ୍ରୀ ଦୁର୍ନୀତି ଭଳି ସଙ୍ଗୀନ ପ୍ରସଙ୍ଗକୁ ଏଡାଇ ଯାଇ ପ୍ରକାରନ୍ତରେ ଦୁର୍ନୀତିରେ ସାମିଲ ମନ୍ତ୍ରୀ, ନେତା, ଅଫିସରଙ୍କ ମଧୁଚନ୍ଦ୍ରିକାକୁ ପ୍ରଶାସନିକ ସୁରକ୍ଷା ଦେବାଭଳି ସାଧାରଣ ଓଡିଆ ଲୋକଙ୍କର ଅନୁଭବ ହେଉଛି।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ, ଓଡିଶାର ବିକାଶ ପାଇଁ ନାବାର୍ଡ ଯେଉଁ ଅର୍ଥ ଦେଇଛି ତାର ହରିଲୁଟ ହୋଇଛି। ବିଭିନ୍ନକଥାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇ ପିଅନ, କିରାଣୀ, ଆରଟିଓ ମାନଙ୍କୁ ଧରି ବାହାବା ମାରୁଥିବା ମୁଖ୍ୟମନ୍ତ୍ରୀ ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି। ଗତକାଲି ଯେଉଁ ହସର ଠାଣି ଦେଖାଇଛନ୍ତି ତାହା ଶୁଆକୁ କଥା କୁହା ଶିଖା ଗଲା ଭଳି। ଆଗରୁ କାଗଜ ଧରି କହୁଥିଲେ ଏବେ ଦୁଇପଦ ଶୁଆ ଭଳି କହି ଚାଲିଗଲେ।

ଶ୍ରୀ ଆଚାର୍ଯ୍ୟ କହିଲେ ଯେ, ଶ୍ରୀ ଦାମୋଦର ରାଉତ ଯେଉଁ ଦୁର୍ନୀତି କଥା ଉଠାଇଛନ୍ତି ତାହାକୁ ବିଧାନସଭାରେ କୃଷିମନ୍ତ୍ରୀ ସ୍ୱୀକାର କରିଛନ୍ତି। ହେଲେ ଏଯାଏଁ ମୁଖ୍ୟମନ୍ତ୍ରୀ ଏହା ଉପରେ ପଦୁଟିଏ ମୁହଁ ଖୋଲିନାହାନ୍ତି। ସେ ବୈଜୟନ୍ତ ପଣ୍ଡା ହୁଅନ୍ତୁ, ପ୍ରଫୁଲ ଘଡେଇ ହୁଅନ୍ତୁ ଅବା ଦାମୋଦର ରାଉତ, ଯିଏ ଦୁର୍ନୀତି କଥା ଉଠାଇଛନ୍ତି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏହା ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହେଲେ ଓଡିଶାବାସୀଙ୍କୁ ଏହି ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଜବାବ ଦେବାର ଆବଶ୍ୟକତା ରହିଛି।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ, ସରକାର ଏବେ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ପରିଣତ ହୋଇଛି। ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ୪-୫ ଜଣ ଡାଇରେକ୍ଟର ଚଳାଇବା ପରି ଓଡିଶା ସରକାର ସେଭଳି ଶାସନ ଚଳାଉଛନ୍ତି। ଚାଷୀଙ୍କର ଝାଳବୁହା ଅର୍ଥ ଯେଉଁ ଲୁଟ ହୋଇଛି ତାର ଜବାବ ମୁଖ୍ୟମନ୍ତ୍ରୀ ତୁରନ୍ତ ଦେବାସହ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top