ଚାନ୍ଦବାଲି ବ୍ଲକରେ ବାଟ ହୁଡିଛି ସର୍ବଶିକ୍ଷା ଅଭିଯାନ ମେଘାସାହି ସ୍କୁଲରେ ଶହେ ପିଲାଙ୍କୁ ପଢାଉଛନ୍ତି ଦୁଇ ଶିକ୍ଷକ

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସଭିଏଁ ପଢନ୍ତୁ, ସଭିଏ ବଢନ୍ତୁ ନାରା ସହ ଆରମ୍ଭ ହୋଇଥିଲା ସର୍ବଶିକ୍ଷା ଅଭିଯାନ। ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଶିକ୍ଷା ଦେବାର ଉଦ୍ଦେଶ୍ୟ। ପରବର୍ତ୍ତୀ ସମୟରେ ବାଧ୍ୟତାମୂଳକ ଶିକ୍ଷା ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏହି ଯୋଜନା ଏବେ ବାଟବଣା ହୋଇଯାଇଛି। ଯାହାର ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ଜଣାପଡେ। ଏହି ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତର ମେଘାସାହି ନିମ୍ନପ୍ରାଥମିକ ବିଦ୍ୟାଳୟରେ ସଂପ୍ରତି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶହେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନରତ। ହେଲେ ଏତେ ସଂଖ୍ୟକ ପିଲାଙ୍କ ପାଇଁ ବିଦ୍ୟାଳୟରେ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି। ୨୦୧୬ ମସିହାରେ ଏଠାରୁ ଜଣେ ଶିକ୍ଷକଙ୍କୁ ବଦଳ କରି ନିଆଯାଇଥିଲା। ବଦଳରେ ଆଉ ଜଣେ ଶିକ୍ଷକ ଦେବାକୁ ବିଭାଗ ଭୁଲି ଯାଇଛି। ନିକଟରେ ଚାନ୍ଦବାଲି ବ୍ଲକରେ ନୂଆକରି ଏକାଧିକ ଶିକ୍ଷାସହାୟକ ନିଯୁକ୍ତି ଦିଆଯାଇଥିଲେ ଏହି ବିଦ୍ୟାଳୟ ଭାଗ୍ୟରେ ଜଣେ ହେଲେ ଶିକ୍ଷକଙ୍କ ଭାଗ ପଡିନାହିଁ। ଫଳରେ ଏହି ସ୍କୁଲରୁ ଅଭିଭାବକମାନେ ମୁହଁ ଫେରାଇବା ଆରମ୍ଭ କଲେଣି। କୌତୁହଳର କଥା ଏହି ଗ୍ରାମ ପାଖାପାଖି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ନାହିଁ। ଫଳରେ ଷଷ୍ଠ ଶ୍ରେଣୀରେ ପଢାଇବାକୁ ହେଲେ ପାଣିରେ ପଶି ଛାତ୍ରଛାତ୍ରୀ ପଡୋଶୀ ତିହିଡି ବ୍ଲକର ନରେନ୍ଦ୍ରୁର ବିଦ୍ୟାଳୟକୁ ଯିବାକୁ ପଡେ। ଫଳରେ ବର୍ଷାଦିନେ ଏହି ପିଲାଙ୍କର ସ୍କୁଲ ଯିବା ଏକ ପ୍ରକାର ବନ୍ଦ ହୋଇଯାଏ। ସମସ୍ୟାର ଗୁରୁତ୍ୱକୁ ଅନୁଭବ କରି ଗ୍ରାମବାସୀ ଏହି ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ ବିଇଓଙ୍କଠାରୁ ଆରମ୍ଭ କରି ଭଦ୍ରକ ଜିଲାପାଳଙ୍କୁ ଦୁଇ ଦୁଇ ଥର ଗୁହାରୀ ଜଣାଇଲେଣି। ହେଲେ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିାରିନାହିଁ। ଅନ୍ୟଏକ ଘଟଣାକ୍ରମରେ ଏହି ସ୍କୁଲଟି ପୂର୍ବରୁ ଯଶିୁର କ୍ଲଷ୍ଟରରେ ଥିଲା। ହେଲେ ନିକଟରେ ଶିକ୍ଷା ବିଭାଗ ତରଫରୁ କ୍ଲଷ୍ଟର ପରିବର୍ତ୍ତନ କରି ଘଣ୍ଟେଶ୍ୱର କ୍ଲଷ୍ଟରରେ ମିଶିଛି। ଫଳରେ ୧୦ କିମି ପର୍ଯ୍ୟନ୍ତ ଯିବାକୁ ପଡୁଥିବାରୁ ପାଠ ପଢାରେ ବ୍ୟାଘାତ ହେଉଛି। ଗ୍ରାମବାସୀଙ୍କ ତରଫରୁ ରବୀନ୍ଦ୍ର ଦାସ, ଯଦୁମଣି ମଥାନି, ବଟକୃଷ୍ଣ ବାରିକ, ବାସନ୍ତି ମହାନ୍ତି, ଦେବେନ୍ଦ୍ର ସେଠୀ ପ୍ରମୁଖ ଜିଲାପାଳଙ୍କୁ ଏହି ବିଦ୍ୟାଳୟ ପ୍ରତି ନଜର ଦେବାକୁ ନିବେଦନ କରିଛନ୍ତି। ଅଭିଯୋଗ ସମ୍ବନ୍ଧରେ ଚାନ୍ଦବାଲିର ବ୍ଲକ ଶିକ୍ଷା ଅଧିକାରୀ ପ୍ରଣୟ ନାୟକଙ୍କୁ ପଚାରିବାରୁ ସେ ବିଦ୍ୟାଳୟର ସମସ୍ୟା ସମ୍ବନ୍ଧରେ ଅବଗତ ଥିବା କହିଛନ୍ତି। ନିକଟରେ ହେବାକୁ ଥିବା ବଦଳି ପ୍ରକ୍ରିୟାରେ ଏହି ସ୍କୁଲକୁ ଶିକ୍ଷକ ଦିଆଯିବ ବୋଲି କହିଛନ୍ତି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ସମ୍ବନ୍ଧରେ ବ୍ଲକର ଏକମାତ୍ର ବିଦ୍ୟାଳୟ ହିସାବରେ ଡିିସିଙ୍କ ଜରିଆରେ ଓପେପାକୁ ଯାଇଛି ଏବଂ ଖୁବଶୀଘ୍ର ମଞ୍ଜୁରୀ ମିଳିବାର ଆଶା ଅଛି ବୋଲି ସେ କହିଛନ୍ତି। ତେବେ ଶିକ୍ଷା ବ୍ୟବସ୍ଥାରେ ଦୋ’ଛକିରେ ଥିବା ମେଘାସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସୁଫଳ ପାଇବା ନେଇ ଏବେ ବି ସଂଶୟ ଲାଗି ରହିଛି।

Leave a Reply

Your email address will not be published. Required fields are marked *