ଚାନ୍ଦବାଲି ଏନ୍ଏସି ଘୋଷଣାକୁ ବିତିଲା ୧୯ ମାସ, ନିର୍ବାଚନ ପାଇଁ ଅଦାଲତର ସ୍ଥଗିତାଦେଶ ବାଧକ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣାକୁ ବିତିଲା ୧୯ ମାସ। ହେଲେ ଏଯାଏ ନିର୍ବାଚନ ହେଲାନି। ତେବେ ଅଦାଲତର ସ୍ଥଗିତାଦୋ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ହୋଇପାରୁନାହିଁ ବୋଲି ଶାସକ ଦଳ ସାଙ୍ଗକୁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କହୁଥିବାବେଳେ ନିର୍ବାଚନ କରେଇ ନଦେବା ପାଇଁ ଶାସକ ଦଳ ଜାଣିଶୁଣି ୱାର୍ଡ ସଂରକ୍ଷଣରେ ତ୍ରୁଟି କରି ଜାଣିଶୁଣି ନିର୍ବାଚନକୁ ବିମଳ୍ୱ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସଂପୂର୍ଣ୍ଣ ଘଟଣାକୁ ଦେଖିଲେ, ଆରମ୍ଭରୁ ଏହି ଏନ୍ଏସି ଗଠନ ପ୍ରକ୍ରିୟା ବିବାଦରେ ରହିଛି। ୨୦୧୨ ମସିହାରେ ଚାନ୍ଦବାଲି ଏନ୍ଏସି ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେତେବେଳେ ପଂଚାତୟ ନିର୍ବାଚନ ସରିଥିବାରୁ ଏହି ବିଜ୍ଞାପିତ ଅଂଚଳରେ ଆସୁଥିବା ପଂଚାୟତଗୁଡିକର ନିର୍ବାଚନ ଜନ ପ୍ରତିନିଧି ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଅଦାଲତର ଆଶ୍ରୟ ନେଇ ଏହି ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଆଣିଥିଲେ। ଏହି ସ୍ଥଗିତାଦେଶ ୫ ବର୍ଷ ଧରି ଅଦାଲତରେ ଝୁଲି ରହିଲା। ୨୦୧୬ ମସିହାରେ ପୁନର୍ବାର ଏଥିପାଇଁ ତତ୍ପରତା ପ୍ରକାଶ ପାଇଲା। ଚାନ୍ଦବାଲିର କିଛି ସାମାଜିକ ସଂଗଠନ ଓ ସମସ୍ତ ରାଜନୈତିକ ଦଳ ଚାନ୍ଦବାଲିକୁ ଏନ୍ଏସି ଘୋଷଣା ପାଇଁ ସହମତି ପ୍ରକାଶ କଲେ। ଅଦାଲତରେ ମାମଲା କରିଥିବା ଲୋକଙ୍କୁ ବୁଝାଇବାରେ ସଫଳ ମଧ୍ୟ ହୋଇଥିଲେ। ଫଳରେ ମାମଲା ପ୍ରତ୍ୟାହୃତ ହୋଇଥିଲା। ୨୦୧୬ ନଭେମ୍ବରରେ ପୁନର୍ବାର ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଚାନ୍ଦବାଲି ଏନ୍ଏସି ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ। ଏପରିକି ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଚାନ୍ଦବାଲି ଆସି ଏହାକୁ ଏନ୍ଏସି ରୂପେ ଘୋଷଣା କରିଥିଲେ। ଫଳରେ ୨୦୧୭ ପଚାଂୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ବି ବିଜ୍ଞାପିତ ଅଂଚଳରେ ଆସୁଥିବା ବାଲିଗାଁ, ଚାନ୍ଦବାଲି ଓ ପାଂଚପଡା ପଂଚାୟତକୁ ଏଥିରୁ ବାଦ୍ ଦିଆଯାଇଥିଲା। ସମସ୍ତେ ଆଶା କରିଥିଲେ ପଂଚାୟତ ନିର୍ବାଚନ ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ୱାର୍ଡ ସଂରକ୍ଷଣକୁ ନେଇ ପୁଣି ବିବାଦ ଦେଖାଦେଲା। ଚାନ୍ଦବାଲିର କିଛି ସଚେତନ ନାଗରିକ ତତ୍କାଳୀନ ଜିଲାପାଳଙ୍କ ୱାର୍ଡ ସଂରକ୍ଷଣକୁ ବିରୋଧ କରି ପୁଣି ଅଦାଲତର ଦ୍ୱାରସ୍ତ ହେଲେ। ମାନ୍ୟବର ଅଦାଲତ ମଧ୍ୟ ଏହା ଉପରେ ସ୍ଥଗିତାଦେଶ ଜାରି ରଖିଲେ। ସେଇଥି ପାଇଁ ନିର୍ବାଚନ ଘୁଞ୍ଚିଛି। ସୂଚନା ଅନୁଯାୟୀ ଚାନ୍ଦବାଲିର ମୋଟ ୧୫ଟି ୱାର୍ଡକୁ ନେଇ ନୂଆ ଏନ୍ଏସି ଗଠନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅଧ୍ୟକ୍ଷ ପଦ ଦଳିତଙ୍କ ପାଇଁ ସଂରକ୍ଷିତ ଥିବା ଘୋଷଣା କରାଯାଇଥିଲା। ସଂପ୍ରତି ସୂଚନା ଅନୁଯାୟୀ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ୱାର୍ଡ ସଂରକ୍ଷଣ ବାବଦରେ ଆଉ ଥରେ ସମୀକ୍ଷା ସହ କ୍ଷେତ୍ରୀୟ ତଦନ୍ତ କରି ଏହି ୱାଡର୍ଠ ସଂଖ୍ୟା ୧୬ କୁ ବୃଦ୍ଧି କରିବା ପ୍ରସଙ୍ଗ ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ଦିଆଯାଇଥିବା ଆଲୋଚନା ହେଉଛି। ଅପରପକ୍ଷରେ ନିର୍ବାଚନ ହେଉନଥିବାରୁ ଏହି ଅଂଚଳର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଲୋକମାନେ ସେମାନଙ୍କ ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ଦୀର୍ଘଦିନ ପରେ ଚଳିତ ବର୍ଷ ଜୁନ୍ ମାସ ଏନ୍ଏସି ପାଇଁ ଜଣେ ନୂଆ ତଥା ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନଗର ଉନ୍ନୟନ ବିଭାଗ ନିଯୁକ୍ତି ଦେଇଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଛତାକୁ ନେଇ ହୋଇଥିବା ସର୍ଭେରେ ଚାନ୍ଦବାଲିକୁ ସବୁଠାରୁ ଅପରିଷ୍କାର ସହର ଭାବେ ଘୋଷଣା କରିବା ବିବାଦ ସୃଷ୍ଟି କରିଛି। ଏଣୁ ତୁରନ୍ତ ଏଠାରେ ନିର୍ବାଚନ କରି ଲୋକଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *