ଚାନ୍ଦବାଲିରୁ ଭିତରକନିକା ମିଳିବ ପ୍ରବେଶ ଅନୁମତି, ଜେଟି ଓ ଏଣ୍ଟି୍ର ପରମିଟ୍ ଗୃହର ଆନୁଷ୍ଠାନିକ ଉଦ୍ଘାଟନ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଐତିହାସିକ ବନ୍ଦର ସହର ଚାନ୍ଦବାଲି ବିକାଶରେ ଯୋଡିଲା ଆଉ ଏକ ଫର୍ଦ୍ଦ। ଚାନ୍ଦବାଲିରୁ ବିଶ୍ୱ ବିସ୍ମୟ ଜାତୀୟ ଉଦ୍ୟାନ ଭିତର କନିକାକୁ ମିଳିବ ପ୍ରବେଶ ଅନୁମତି। ୧୯୮୦ ମସିହାରେ ଜାତୀୟ ଉଦ୍ୟାନ ଭିତରକନିକା ଅଭୟାରଣ୍ୟର ବନଖଣ୍ଡ କାର୍ଯ୍ୟାଳୟ ଚାନ୍ଦବାଲିରେ ସ୍ଥାପନ ହୋଇଥିଲା। ତାହା ୧୯୯୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥାଇ ଚାନ୍ଦବାଲିରୁ ଭିତରକନିକା ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ପ୍ରବେଶ ପତ୍ର ମିଳୁଥିଲା। ୧୯୯୨ ମସିହାରେ ଏହି ବନଖଣ୍ଡ କାର୍ଯ୍ୟାଳୟ ରାଜନଗରକୁ ସ୍ଥାନାନ୍ତର ପରେ ମଧ୍ୟ ଚାନ୍ଦବାଲିରୁ ୨୦୦୩ ମସିହା ଯାଏ ପ୍ରବେଶ ପତ୍ର ଦିଆଯାଉଥିଲା। ପରେ ଭଦ୍ରକ ବନଖଣ୍ଡ କାର୍ଯ୍ୟାଳୟ ଚାନ୍ଦବାଲିରେ ପ୍ରତିଷ୍ଠା ହେବା ଦ୍ୱାରା ପରିଚାଳନାଗତ ଅସୁବିଧା ଦର୍ଶାଇ ଏହାକୁ ବନ୍ଦ କରିଦିଆଯାଇଥିଲା। ଏଠାରୁ ପ୍ରବେଶପତ୍ର ନମିଳିବା ଯୋଗୁଁ ଭିତର କନିକାର ପ୍ରବେଶପଥ କୁହାଯାଉଥିବା ଚାନ୍ଦବାଲିକୁ ପର୍ଯ୍ୟଟକଙ୍କ ଆଗମନ କମିବାରେ ଲାଗିଲା। ତେବେ ସ୍ଥାନୀୟ ବିଧାୟକ ତଥା ବନ ବିଭାଗ ଷ୍ଟାଣ୍ଡିଂ କମିଟି ସଦସ୍ୟ ବ୍ୟୋମକେଶ ରାୟଙ୍କ ପ୍ରଚେଷ୍ଟା ଯୋଗୁଁ ଚାନ୍ଦବାଲିରୁ ପୁନର୍ବାର ଏଣ୍ଟି୍ର ପରମିଟ୍ ଦେବା ପାଇଁ ବିଭାଗୀୟ ଷ୍ଟାଣ୍ଡିଂ କମିଟିରେ ମଂଜୁର କରାଇବାରେ ସଫଳ ହୋଇଛନ୍ତି। ଚାନ୍ଦବାଲିରୁ ପର୍ଯ୍ୟଟକମାନେ କିପରି ସୁରକ୍ଷିତ ଭାବେ ଭିତର କନିକାକୁ ଯାଇ ପାରିବେ ସେଥିପାଇଁ ଭଦ୍ରକ ଡିଏଫ୍ଓ ଅମ୍ଲାନ ନାୟକ ତ୍ୱରିତ ପଦକ୍ଷେପ ନେଇ ଏଣ୍ଟି୍ର ପରମିଟ୍ ଗୃହ, ଆକର୍ଷଣୀୟ ଭାସମାନ ଜେଟି ନିର୍ମାଣ କରାଇଛନ୍ତି। ପ୍ରବଳ ବର୍ଷା ସତ୍ୱେ ବିଧାୟକ ଶ୍ରୀ ରାୟ, ଜିଲା ପରିଷଦ ସଭାପତି ଦ୍ୱିଜବର ରାଉତ, ଜିଲାପାଳ ଜ୍ଞାନ ଦାସ, ଡିଏଫ୍ଓ ଅମ୍ଲାନ ନାୟକ, ବ୍ଲକ୍ ଅଧ୍ୟକ୍ଷା ମାନସୀ ସାହୁ ପ୍ରମୁଖ ଏହି ଜେଟି ଓ ପରମିଟ୍ ଗୃହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଧୀର ମହାନ୍ତି, ରେଂଜ ଅଫିସର ଅରୁଣ ବେହେରା, ବନପାଳ ପ୍ରଦୀପ ନାୟକ, ସୁବ୍ରତ ବେହେରା, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଅଶୋକ ବଳ, କଂଗ୍ରେସ ନେତା ହରେନ୍ଦ୍ର ମାଇତି, ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ନରେଶ ମାଝୀ, ବିସିଜେ ରାଜ୍ୟ ସଂପାଦକ ପ୍ରିନ୍ସ ରାକେଶ ନାୟକ, ଜିତେନ୍ଦ୍ର ପାଣି, ବଣିକ ସଂଘ ସଂପାଦକ ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *