ଚାକିରି ଦେବା ନାଁରେ ନିର୍ଯାତନା, ୭ ଗିରଫ

ସମ୍ବଲପୁର, ୨୦/୮ (ଓଡ଼ିଆ ପୁଅ) – ବର୍ତ୍ତମାନ ବେକାରୀ ସମସ୍ୟା ଗୁରୁତର ହୋଇଛି। ଏଭଳି ସ୍ଥିତିରେ କିଛି ବ୍ୟକ୍ତି ଠକ ନିଯୁକ୍ତି ସଂସ୍ଥା ନାମରେ ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେବା ବାହାନାରେ ଅର୍ଥ ହଡ଼ପ କରିବା ଘଟଣା ସାଧାରଣ କଥାରେ ପରିଣତ ହୋଇଛି। ସମ୍ବଲପୁର ଜିଲ୍ଲାରେ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଥିବା ବେଳେ ସଦ୍ୟ ନିଯୁକ୍ତି ନାମରେ ଠକେଇ ଓ ନିର୍ଯାତନା ଦେଉଥିବା ଅଭିଯୋଗରେ ଧନୁପାଲି ପୁଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ଯାଜପୁର ଆବଦଲପୁରର ହରମୋହନ ସାହୁ, ରାମବାଗର ଶୁଭ୍ରଜିତ ଜେନା, ସିଦ୍ଦେଶ୍ୱରର ବନ୍ଧନ ପାଣିଗ୍ରାହୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ତାପସ ଜେନା, ଗଜପତି ଜିଲ୍ଳା ପ୍ରମୋଦ ପାଇକ, କେଉଝର ତରଭାର ରାଜେଶ ନାୟକ ଏବଂ ଦୁର୍ଯେ୍ୟାଧନ ମଲ୍ଲିକ ରହିଥିବା ପୁଲିସ ସୂଚନା ଦେଇଛି। ଗତକାଲି ସନ୍ଧ୍ୟାରେ ୬ ଜଣ ନାବାଳକ ଲକ୍ଷ୍ମୀଟକିଜ ଛକ ନିକଟରେ ବସରେ ଯିବା ପାଇଁ ଟିକେଟ୍ କାଉଣ୍ଟରୁ ଟିକେଟ୍ କାଟୁଥିବା ବେଳେ କିଛି ଯୁବକ ସେମାନଙ୍କୁ ଧମକ ଚମକ ଦେଉଥିଲେ। ଏକଥା ଜଣାପଡ଼ିବା ପରେ ସ୍ଥାନୀୟ କିଛି ବ୍ୟକ୍ତି ନାବାଳକଙ୍କୁ ସହାୟତା କରିବା ସହ ଟାଉନ୍ ଥାନାରେ ଖବର ଦେଇଥିଲେ। ତେବେ ଘଟଣାଟି ଧନୁପାଲି ଥାନା ଅଞ୍ଚଳର ହୋଇଥିବାରୁ ପୁଲିସ ସେମାନଙ୍କୁ ନେଇ ଧନୁପାଲି ଥାନାରେ ପହଞ୍ଚିଥିଲା। ପରେ ଏହି ନାବାଳକମାନେ ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତମାନେ ଧନକଉଡ଼ା ଅଞ୍ଚଳରେ ଗ୍ଲେଜେ ଟ୍ରେଡିଂ ଇଣ୍ଡିଆ ନାମରେ ସଂସ୍ଥା ଖୋଲି ସେମାନଙ୍କୁ କୃଷି ବିଭାଗରେ ନିଯୁକ୍ତି ଦେବେ ବୋଲି ପ୍ରଲୋଭିତ କରି ଜଣପିଛା ୧୫ ହଜାର ଟଙ୍କା ଆଦାୟ କରିଥିଲେ। ପରେ ନାବାଳକମାନେ ଏଠାକୁ ଆସିବା ପରେ ସେମାନଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରିବା ସହ ଏକ ଘରେ ନଜରବନ୍ଦୀ କରି ରଖିଥିଲେ। ଶୌଚ ଯିବା ସମୟରେ ମଧ୍ୟ ଉକ୍ତ ଯୁବକମାନେ ସେମାନଙ୍କୁ ଜଗି ରହିବା ଓ ଘରକୁ ଯିବାକୁ କହିଲେ ମାଡପିଟ କରିବା ସହ ନିର୍ଯାତନା ଦେଉଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ପୁଲିସ ଉକ୍ତ ସଂସ୍ଥାର ଉପରୋକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଜେରା କରିବା ପରେ ରୁଜୁ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *