ad
ଜିଲ୍ଲା ପରିକ୍ରମା

ଚାଇଲ୍ଡଲାଇନ ହେପାଜତ୍ରୁ ୨ଶିଶୁ ଶ୍ରମିକଙ୍କୁ ଛଡ଼ାଇନେଲେ ଡ଼୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ନାମରେ ଥାନାରେ ଅଭିଯୋଗ

ଭଦ୍ରକ, ୨୪ା୪(ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିବାଦ ଘେରକୁ ଆସିଛନ୍ତି ଭଦ୍ରକ ଡ଼୍ରେନେଜ ବିଭାଗର ଜଣେ ସହକାରୀ ଯନ୍ତ୍ରୀ ଓ କାର୍ଯ୍ୟାଦେଶ ପାଇଥିବା ଠିକାଦାର। ଶିଶୁଙ୍କ ସୁରକ୍ଷା ତଥା ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ସୋସାଇଟି ଫର ଉଇକର କମ୍ୟୁନିଟିର ସ୍ୱେଛାସେବୀଙ୍କ ହେପାଜତରେ ଥିବା ୨ଜଣ ନାବାଳିକା ଶ୍ରମିକଙ୍କୁ ସେମାନେ ଫେରାର କରାଇ ଦେଇଥିବାର ଅଭିଯୋଗ ହୋଇଛି ଏହି ୨ଜଣଙ୍କ ନାମରେ। ସଂଗଠନର ସ୍ୱେଛାସେବୀ ରିଆଜ ଅହମ୍ମଦ ଓ ନମିତା ଜେନା ଏ ସମ୍ପର୍କରେ ସହରାଞ୍ଚଳ ଥାନାରେ ଲଖିତ ଅଭିଯୋଗ କରିବା ସହ ଏହାର ଏକକିତା ନକଲ ଭଦ୍ରକ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ ଭଦ୍ରକ ନେହେରୁ ଷ୍ଟାଡ଼ିୟମ ନିକଟରେ ଚାଲିଥିବା ଏକ ଡ଼୍ରେନ୍ କାର୍ଯ୍ୟରେ କେତେକ ନାବାଳିକା ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଦେଖି ସେଠାରେ ସୋସାଇଟି ଫର ଉଇକର କମ୍ୟୁନିଟି ଅଧିନରେ କାର୍ଯ୍ୟରତ ଶିଶୁ ଅଧିକାର କର୍ମୀ ନମିତା ଓ ରିଆଜ ପହଞ୍ଚିଥିଲେ। କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରୁ ୨ଜଣ ନାବାଳିକାଙ୍କୁ ସେମାନେ ସନ୍ଦେହରେ ଅଟକାଇଥିଲେ। ସେମାନଙ୍କ ବୟସ ସମ୍ପର୍କରେ ନିଶ୍ଚିତ ହେବା ପାଇଁ ଉଭୟ ସେମାନଙ୍କ ପରିବାର ମୁଖିଆଙ୍କୁ ଜନ୍ମଗତ ପ୍ରମାଣପତ୍ର ଆଣିବାକୁ ଖବର ଦେଇଥିଲେ। କିନ୍ତୁ ଏହି ସମୟରେ କାର୍ଯ୍ୟସ୍ଥଳରେ ଡ଼୍ରେନେଜ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ଦାସ ଓ ଠିକାଦାର ରାଜକୁମାର ସାହୁ(କୁନୁ) ପହଞ୍ଚିଥିଲେ। ଉଭୟ ଉତ୍ୟକ୍ତ ଅବସ୍ଥାରେ ରିଆଜ ଓ ନମିତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କ ହେପାଜତରେ ଥିବା ୨ ନାବାଳିକା ଶିଶୁ ଶ୍ରମିକଙ୍କୁ ଛଡ଼ାଇ ନେଇ ଫେରାର କରାଇ ଦେଇଥିଲେ। ଏହା ବ୍ୟତୀତ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରଶାସନ ଦିନ ୧୧ଟା ପରେ କୌଣସି କଠିନ କାର୍ଯ୍ୟ କରିବାକୁ ବାରଣ କରିଥିବାବେଳେ, ମଧ୍ୟାହ୍ନ ୧୨ଟା ସମୟରେ ଏହି କଂକ୍ରିଟ କାର୍ଯ୍ୟ ଜାରୀ ରଖି ପ୍ରଶାସନିକ ନିୟମକୁ ମଧ୍ୟ ସେମାନେ ଉଲଂଘନ କରିଥିବା ଅଭିଯୋଗପତ୍ରରେ ସେମାନେ ଦର୍ଶାଇଛନ୍ତି। ଏହି ପ୍ରସଙ୍ଗରେ ପିସିଆରକୁ ରିଆଜ ଫୋନ କରିଥିଲେ। କିନ୍ତୁ ଉଭୟ ରିଆଜ ଓ ନମିତାଙ୍କୁ ଆବଶ୍ୟକ ସହାୟତା ଯୋଗାଇବାରେ ପୁଲିସ ବିଫଳ ହୋଇଥିଲା। ତେଣୁ ରିଆଜ ଭଦ୍ରକ ଚାଇଲ୍ଡଲାଇନର ମୁଖ୍ୟ ସୋଫିଆ ସେଖଙ୍କୁ ଏ ବିଷୟରେ ଅବଗତ କରିବା ପରେ ସେ ଉଭୟଙ୍କୁ ଥାନାରେ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦେବାପରେ ଥାନାରେ ଏ ସମ୍ପର୍କରେ ଅପରାହ୍ନ ୪ଟା ବେଳେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗକୁ ଅସ୍ୱୀକାର କରିବା ସହ ଏ ବିଷୟରେ କିଛି ଜାଣିନାହିଁ ଓ ମୁଁ କାର୍ଯ୍ୟସ୍ଥଳୀକୁ ୧୧ଟା ବେଳେ ଯାଇ ଫେରି ଆସିଥିବା କହିଛନ୍ତି ସହକାରୀ ଯନ୍ତ୍ରୀ ଶ୍ରୀ ଦାସ। ଅପରପକ୍ଷରେ ଠିକାଦାର ରାଜକୁମାର ନିଜ ପ୍ରତିକ୍ରିୟାରେ କହିଛନ୍ତିଯେ ଅଭିଯୋଗକାରୀ ୨ଜଣ ଡ଼୍ରେନେଜ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଅସଦ ବ୍ୟବହାର କରିଥିଲେ। ସେମାନେ କହୁଥିବା ୨ଜଣ ନାବାଳିକା ଚାଲିଥିବା ଡ଼୍ରେନ କାର୍ଯ୍ୟରେ ନିୟୋଜିତ ନଥିଲେ। ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଅଭଦ୍ରୋଚିତ ଆଚରଣ ପ୍ରଦର୍ଶନ କରିଥିବାରୁ ଥାନାରେ ଏ ସମ୍ପର୍କରେ ମଧ୍ୟ ୨ଅଭିଯୋଗକାରୀଙ୍କ ନାମରେ ଏତଲା ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top