ଚଳିତ ବନ୍ୟାରେ ଭଦ୍ରକ ଜିଲାର ୪ଟି ବ୍ଲକ୍ କ୍ଷତିଗ୍ରସ୍ତ, ଏବେବି ଲୋକେ ପାଣିଘେରରେ, ଜିଲା ପ୍ରଶାସନ ସଜାଗ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଲଘୁଚାପ ଜନିତ ଗତ ତିନିଦିନର ଅବିଶ୍ରାନ୍ତ ବର୍ଷା ଫଳରେ ଭଦ୍ରକ ଜିଲାର ଧାମନଗର, ଭଣ୍ଡାରିପୋଖରୀ, ତିହିଡି, ଚାନ୍ଦବାଲି ସମେତ ଭଦ୍ରକ ବ୍ଲକ୍ର ବହୁ ତଳିଆ ପଂଚାୟତ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲାର ବୈତରଣୀ ଓ ତାର ଶାଖାନଦୀ କୋଚିଳା, ଗେଂଗୁଟି, ରେବ-କପାଳୀ ଓ ଯ’ ଭଳି ନଦୀରେ ବନ୍ୟା ଆସିବା ଫଳରେ ଏହି ବିପତ୍ତି ଦେଖାଦେଇଛି। ତେବେ ଜିଲା ପ୍ରଶାସନ ପକ୍ଷରୁ ଆଜି ଭଦ୍ରକ ପୌରାଞ୍ଚଳରେ ୩ ହଜାର ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବାବେଳେ ଚାନ୍ଦବାଲିର ୩ ଶହ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ଆବଶ୍ୟକ ପଡିଲେ ଜଳବନ୍ଦୀରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ସମେତ କେତେକ ସ୍କୁଲରେ ଥଇଥାନ କରାଯିବାର ବ୍ୟବସ୍ଥା ହୋଇଛି। ଆବଶ୍ୟକ ପଡିଲେ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ୍ ଦିଆଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏବେ ବିଭିନ୍ନ ଅଂଚଳକୁ ମୋବାଇଲ୍ ହେଲଥ୍ ଟିମ୍ ଓ ଭେଟେନାରୀର ମୋବାଇଲ୍ ଟିମ୍ ବନ୍ୟା କ୍ଷତିଗ୍ରସ୍ତ ଅଂଚଳରେ ପହଞ୍ଚି ଜନସାଧାରଣ ଓ ପଶୁସଂପଦର ଚିକିତ୍ସା ଆରମ୍ଭ କରିଥିବାବେଳେ ଆସନ୍ନ ବନ୍ୟାର ମୁକାବିଲା ପାଇଁ ଅଗ୍ନିଶମ ସେବାସଂସ୍ଥା ଓ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି ବୋଲି ଜିଲାପାଳ ଜ୍ଞାନ ଦାସ ଓ ଜରୁରୀ କାଳୀନ ଅଧିକାରିଣୀ ଜୟଶ୍ରୀ ସେନାପତି ଗଣମାଧ୍ୟମକୁ କହିଛନ୍ତି। ବୈତରଣୀର ଶାଖା ନଦୀ କପାଳିରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ଭଦ୍ରକ ବ୍ଲକ୍ର କଲେଇ ପଂଚାୟତର ୧୯ ଓ ୨୦ ନଂ ୱାର୍ଡର ଚୁନିଦା, ସଦାବର୍ତ୍ତ, କୁମ୍ଭାରସାହି, ବେହେରାସାହି, ହରିଜନ ସାହିର ଲୋକେ ଘରୁ ବାହାରି ନପାରି ଜଳବନ୍ଦୀରେ ରହିଛନ୍ତି। ଏହି ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମା’ କ୍ଷେତ୍ରବାସିନୀଙ୍କ ମନ୍ଦିର ଏବେବି ପାଣିଘେରରେ ରହିଥିବାରୁ ଏହା ସମ୍ମୁଖ ଦେଇ ଯାଇଥିବା ରାସ୍ତାଟି ସଂପୂର୍ଣ୍ଣ ଭାବେ ବୁଡି ରହିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ କପାଳୀର ବନ୍ୟାଜଳ ଶହ ଶହ ହେକ୍ଟର ଚାଷଜମିକୁ ବୁଡାଇ ରଖିବା ଫଳରେ ସେଗୁଡିକ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଏହି ଅଂଚଳର ପ୍ରଭାସ ପରିଡା, ଦାମୋଦର ସାହୁ, ବାବୁରାମ ଜେନା, ନାରାୟଣ ମହାରଣା ପ୍ରମୁଖଙ୍କ ଘର ଏବେବି ପାଣିଘେରରେ ରହିବା ଫଳରେ ସେମାନେ ପଦାକୁ ବାହାରି ପାରୁନାହାଁନ୍ତି। ବିଶେଷକରି ଏହି ଅଂଚଳର ରାଧାଶ୍ୟାମ ମହାରଣା ନାମକ ଜଣେ ଚାଷୀଙ୍କ କହିବା ଅନୁସାରେ ସେ ଋଣ କରି କରିଥିବା ବାଇଗଣ ଚାଷ ଏପର୍ଯ୍ୟନ୍ତ ଜଳଘେରରେ ରହିଥିବାରୁ ତାହା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଭାଗଚାଷୀ ହୃଷିକେଶ ବେହେରା କରିଥିବା ଚାଷ ଉଜୁଡିଯାଇଥିବାବେଳେ ବେହେରାସାହିର ବନମାଳୀ ବେହେରାଙ୍କର ସମ୍ବଳ ଏକମାଣ ଜମି ନଷ୍ଟ ହୋଇଛି। ଏବେବି ରାସ୍ତାଗୁଡିକ ଜଳମଗ୍ନ ହୋଇରହିଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବା ସହ ବିଦ୍ୟୁତ୍ ସରବରାହ ଜନିତ ସଂକଟରେ କାଳ କାଟୁଛନ୍ତି। ଏପରିକି ଲୋକେ ସଉଦାଟିଏ ପାଇଁ ବଜାରକୁ ବାହାରିପାରୁନାହାଁନ୍ତି। ବିଶେଷକରି ଏହି ଅଂଚଳର ପଶୁ ଡାକ୍ତରଖାନାଟି ସଂପୂର୍ଣ୍ଣ ରୂପେ ଜଳଘେରରେ ରହିଥିବାରୁ ଲୋକେ ସେମାନଙ୍କର ପଶୁ ସଂପଦର ଚିକିତ୍ସା ରୁ ବଂଚିତ ହୋଇଛନ୍ତି। ସେହିଭଳି ଏହି ବ୍ଲକ୍ର ଗୁଜିଦରଡା, ବେନ୍ତାଳ, ଖଣ୍ଡତଡା ସମେତ ପୌରାଞ୍ଚଳର ବହୁ ତଳିଆ ଅଂଚଳ ଏହି ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳମଗ୍ନ ହୋଇ ରହିଛି। ସହରର ଅସ୍ଥଳ, ନରିପୁର କଲୋନୀବାସୀ ସମେତ ସାଳନ୍ଦୀ ଆବାସିକ ମହାବିଦ୍ୟାଳୟ ପରିସର ଓ ତାର ଚତୁଃପାର୍ଶ୍ୱ ସଂପୂର୍ଣ୍ଣ ଜଳମଗ୍ନ ହୋଇପଡିବା ଫଳରେ ଲୋକଙ୍କ ଘରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି। ସେହିଭଳି ସହରର ସହୀଦ ସ୍ମୃତି ଭବନ ପଛପାଖ କଲେଜ ରୋଡ୍ ପାଶ୍ୱର୍ରେ ଥିବା ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ମଧ୍ୟରେ ପାଣି ଜମି ରହିବା ଫଳରେ ଏହାର ଜରୁରୀ କାଗଜପତ୍ର ନଷ୍ଟ ହେବା ସହ ରେକର୍ଡରୁମ୍ ଓ ବ୍ୟାଙ୍କ ପରିଚାଳକଙ୍କ କାର୍ଯ୍ୟାଳୟ ଏବେବି ପାଣିରେ ବୁଡିରହିଛି। ଫଳରେ ବ୍ୟାଙ୍କ କାର୍ଯ୍ୟ ସଂପୂର୍ଣ୍ଣ ଅଚଳ ହୋଇପଡିଛି। ଆଜି ଦିନ ତମାମ୍ ବ୍ୟାଙ୍କ ପରିଚାଳକ ଅଶ୍ୱିନୀ କୁମାର ନାୟକ ମୋଟର ପମ୍ପ ଚଲାଇ ଜଳଗୁଡିକୁ ନିଷ୍କାସନ କରିଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ହୋଇପାରିନାହିଁ।

Leave a Reply

Your email address will not be published. Required fields are marked *