ଓଡ଼ିଶା

ଚଳିତ ଖରିଫ୍ ଚାଷ ବ୍ୟାହତ – ନାଲି ଫିତା ତଳେ ଯୋଜନା, ପ୍ରଚାର ଓ ପ୍ରସାର ସାଜିଛି ସରକାର ଗତବର୍ଷର ୧୦ ଲକ୍ଷରୁ ଉର୍ଦ୍ଧ ଚାଷୀ ଫସଲ ବୀମା ପାଇବାରୁ ବଂଞ୍ଚିତ।

୨୦୦ କୋଟି ଟଙ୍କା କୃଷି ଇନ୍ ପୁଟ୍ ସବସିଡ୍ ପାଇଲେ ନାହିଁ ଚାଷୀ।
ଖରିଫ୍ ଋଣ ଲଗାଣ ଠପ୍, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଫେଲ୍।
ସରକାରଙ୍କ ପକ୍ଷରୁ ଆସନ୍ତା ୭ ଦିନ ମଧ୍ୟରେ ଏହାର ପ୍ରତିକାର କରା ନ ଗଲେ ଜିଲ୍ଲା ପ୍ରଶାସନକୁ ଘେରିବ କଂଗ୍ରେସ କୃଷକ ସେଲ୍।

ଭୁବନେଶ୍ୱର, ୩୦/୬ (ଓଡ଼ିଆ ପୁଅ) – ରାଜ୍ୟ ବିଜେଡ଼ି ଓ କେନ୍ଦ୍ର ବିଜେପି ସରକାର ଚାଷ ଓ ଚାଷୀର ବିକାଶ ପାଇଁ ଯେତେଗୁଡ଼ିଏ ଯୋଜନା ଘୋଷଣା କରିଛନ୍ତି ଓ ବିକାଶର ନାରା ଦେଇ ଚାଷୀର ଆୟ ଦୁଇଗୁଣା ସହିତ କୃଷି କର୍ମଣ ପୁରସ୍କାର ହାତେଇବାରେ ବାହାପା ନେଉଛନ୍ତି ଏହାକୁ ଚଳିତ ବର୍ଷ ଖରିଫ ଚାଷରେ ଚାଷୀକୁଳ ଠିକଣା ଭାବରେ ଆତ୍ମସମୀକ୍ଷା କରି ସାରିଲେଣି ବୋଲି ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ସହିତ ବିଭିନ୍ନ ଜିଲ୍ଲାର ଚାଷୀମାନେ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ଗତବର୍ଷ ଖରିଫରେ ରାଜ୍ୟର ୧୮ଲକ୍ଷ ୪୨ ହଜାର ଚାଷୀ ବୀମାଭୂକ୍ତ ହୋଇ ପ୍ରିମିୟମ ବାବଦକୁ ମୋଟ ୮୩୯.୬୮ କୋଟି ଟଙ୍କା ବୀମା କମ୍ପାନୀଠାରେ ଆଗୁଆ ଜମା କରିଥିଲେ। ଗତବର୍ଷ ଚକଡ଼ା ପୋକ, ଅଦିନିଆ ବର୍ଷା, ମରୁଡ଼ି ଯୋଗୁ ରାଜ୍ୟରେ ୧୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେଲା। ଯାହାକି ପ୍ରଧାନମନ୍ତ୍ରୀ ଫସଲବୀମା ସର୍ତାବଳୀ ଅନୁଯାୟୀ ବର୍ତମାନ କ୍ଷତିଗ୍ରସ୍ତଚାଷୀ ପ୍ରାୟ ୨ହଜାର କୋଟି ଟଙ୍କା ବୀମା କ୍ଷତିପୂରଣ ସହାୟତା ପାଇବା କଥା କିନ୍ତୁ ଦୁର୍ଭାଗ୍ୟର ବିଷୟ ଗତ ଜୁନ୍ ୨୫ ତାରିଖ ସୁଦ୍ଧା ସମ୍ପୃକ୍ତ ବୀମା କମ୍ପାନୀ ମାତ୍ର ୨୮୭ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରିଛନ୍ତି, ଯାହାକି ସମୁଦ୍ରକୁ ସଙ୍ଖେ। ରାଜ୍ୟ ସରକାରଙ୍କ କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗର ତାଳମେଳ ନ ଥିବା, ଠିକଣା ସମୟରେ ଫସଲ କଟା ରିପୋର୍ଟ ପ୍ରସ୍ତୁତ ନ କରିବା ଓ କମ୍ପାନୀମାନଙ୍କର ଲାଭ ଖୋର ମନୋବୃତି ଓ ଚଂଚକତା ଫଳରେ ୧୦ ଲକ୍ଷରୁ ଉର୍ଦ୍ଧ ଚାଷୀ ଗତବର୍ଷ ବୀମା ସହାୟତା ପାଇବାରୁ ବଂଚିତ ହୋଇଛନ୍ତି। ବୀମା କମ୍ପାନୀଗୁଡ଼ିକର ଖୋଜ୍ ଖବର ପାଇବାରେ ଚାଷୀ ସନ୍ଦିହାନ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କମ୍ପାନୀ ପ୍ରିତିରେ ଚାଷୀ ଶିକାର। ଗୋଟିଏ ପଟେ ପରିସଂଖ୍ୟାନ ନ ଦେଖି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୨୦୧୭ରେ ୧୬୦୩କୋଟି ଟଙ୍କା ରାଜ୍ୟର ଚାଷୀଙ୍କୁ ବୀମା ସହାୟତା ଦିଆଗଲା ବୋଲି ଘୋଷଣା କରିବା କଟା ଘାରେ ଚୁନ ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏପରିକି ଗତବର୍ଷର ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୨୦୦କୋଟି ଟଙ୍କାରୁ ଉର୍ଦ୍ଧ କୃଷି ଇନ୍ ପୁଟ୍ ସବସିଡ୍ ଆଜି ପର୍ଯ୍ୟନ୍ତ ମଧ୍ୟ ବଂଟନ କରା ଯାଇ ନାହିଁ। ଘରୋଇ ବିହନ ଛଡ଼ା ରାଜ୍ୟରେ ଚାଷୀଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ୭ ଲକ୍ଷ କ୍ୱିଣ୍ଟାଲ ବିହନରୁ ସରକାର ଚଳିତ ଖରିଫରେ ମାତ୍ର ୪ ଲକ୍ଷ ୭୫ ହଜାର କୁଇଂଟାଲ ବିହନ ବାଟାିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ଜୁନ୍ ମାସ ୨୫ ତାରିଖ ମଧ୍ୟରେ ମାତ୍ର ଦେଢ଼ ଲକ୍ଷ କ୍ୱଇଂଟାଲ ବିହନ ବାଂଟିିବାରେ ସକ୍ଷମ ହୋଇ ପାରି ନାହାନ୍ତି। ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିବା ଫଳରେ ଚାଷୀ ନେଇଥିବା ବିହନର ଗଜା ମରୁଡ଼ି ହୋଇଛି। ବର୍ତମାନ ସରକାର ବିହନ ପାଇଁ ବାହାର ରାଜ୍ୟର ନକଲି ବ୍ୟବସାୟୀଙ୍କ ଉପରେ ହାତ ଚିକ୍କଣ ପାଇଁ ନିର୍ଭର କରି ରହିଛନ୍ତି। ଯେଉଁ ଯାଗାରେ ସରକାରୀ ବିହନ ବିକ୍ରି କରାଯାଉଛି ସେଠାରେ ୨୦ କେଜି ପ୍ୟାକେଟକୁ ୩୨୦ ଟଙ୍କା ପରିବର୍ତେ ୪୦୦ରୁ ୫୦୦ ଟଙ୍କାରେ ଘରୋଇ ଡିଲରମାନେ ବିକୁଛନ୍ତି। ପ୍ରାଥମିକ ସମବାୟ ସମିତି ଜରିଆରେ ବିହନ ବିକ୍ରୟ କେବଳ ପ୍ରଚାର ସର୍ବସ୍ୱ ହୋଇଛି। କୃଷିମନ୍ତ୍ରୀ କେବଳ ଡାଇଲଗ ମାରିବାରେ ଓସ୍ତାଦ। ବାସ୍ତବ ସ୍ଥିତିକୁ ଆସିଲେ ଚାଷୀ ଏହାର ଠିକଣା ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହା ବ୍ୟତୀତ ଚଳିତ ଖରିଫରେ ଚାଷୀଙ୍କୁ ସରକାର ୭ ହଜାର କୋଟି ଟଙ୍କା କୃଷି ଋଣ ସମବାୟ ବ୍ୟାଙ୍କମାନଙ୍କ ଜରିଆରେ ପ୍ରଦାନ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଜୁନ୍ ୨୫ ତାରିଖ ସୁଦ୍ଧା ମୋଟ ଖରିଫ ଋଣ ଲଗାଣ ଟଙ୍କାର ୨ ପ୍ରତିଶତ ଟଙ୍କା ଚାଷୀଙ୍କୁ ଯୋଗାଇ ଦିଆ ଯାଇ ପାରି ନାହିଁ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚଳିତବର୍ଷ ଚାଷୀ ଫସଲବୀମା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ସରକାର ଚଳିତବର୍ଷ ୨୫ ଲକ୍ଷ ଋଣୀ ଓ ଅଣଋଣୀ ଚାଷୀଙ୍କୁ ବୀମାଭୂକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏବେ ଏହା ୨ ପ୍ରତିଶତରେ ପହଞ୍ଚିନାହିଁ। ବିଶେଷ କରି ଅଣଋଣୀ ଚାଷୀ ଅଥବା ଭାଗଚାଷୀ ବୀମା ଯୋଜନାରୁ ସମ୍ପୂର୍ଣ୍ଣ ବଂଞ୍ଚିତ। ପ୍ରଶାସନର ସରକାରୀ ବଡ଼ବାବୁ, ଶାସକ ଓ କମ୍ପାନୀମାନଙ୍କ ପ୍ରୀତିରେ ଫସଲବୀମା ଯୋଜନା କାର୍ଯ୍ୟକାରୀ ହେଉଛି। ଯଦି ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ଉଭୟ ସରକାରଙ୍କ ଘୋଷଣା ଅନୁଯାୟୀ ଚାଷୀଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ଆବଶ୍ୟକ କୃଷି ଋଣ, ଫସଲ ବୀମାଭୂକ୍ତ, ଗତ ବର୍ଷର ଫସଲବୀମା କ୍ଷତିପୂରଣ ସହାୟତା, କୃଷି ଇନ୍ ପୁଟ୍ ସବସିଡ୍ ଓ ଆବଶ୍ୟକ ପରିମାଣର ପ୍ରାମାଣିକ ବିହନ ଚାଷୀଙ୍କୁ ଯୋଗାଇ ଦିଆ ନ ଯାଏ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଆସନ୍ତା ୮ ତାରିଖଠାରୁ ପର୍ଯ୍ୟାୟକ୍ରମେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସମସ୍ତ ଜିଲ୍ଲା କିଷାନ କ୍ଷେତ ମଜଦୁର କଂଗ୍ରେସ ଘେରିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଉଭୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ କୃଷକ ସେଲ୍ ନେତା ଜଗନ୍ନାଥ ଜେନା, ଚୈତରାମ ନାଏକ, ସଚ୍ଚିଦାନନ୍ଦ ମହାକୁଡ଼, ନିତ୍ୟାନନ୍ଦ ପଣ୍ଡା, ଖଗେଶ୍ୱର ଜେନା, ଉମେଶ ସାହୁ, ଜତି ପ୍ରଧାନ, ଅଶୋକ ସାହୁ, ସନ୍ତୋଷ ସାହୁ, ଦୟାସାଗର ମେଣ୍ଡଲୀ, ଗୋବିନ୍ଦ ପଟେଲ, ରବିନ୍ଦ୍ର କୁମାର ପାଣିଗ୍ରାହୀ, ରଘୁନାଥ ପଲିଆ, କୃଷ୍ଣ ଚନ୍ଦ୍ର ନେପାକ, ରବିନ୍ଦ୍ର ହୋତା ସୁକେଶ ପଟ୍ଟନାୟକ, ପ୍ରେମାନନ୍ଦ ସ୍ୱାଇଁ, ସୁବାଷ ରାଉତ, ସେକ୍ . ମୋବିନ୍, କାର୍ତିକ ଚନ୍ଦ୍ର ଦାସ, ସୁଧିର ପରିଚ୍ଛା, ନିରଞ୍ଜନ ମହାନ୍ତ, ସୁଧିର ଦାସ, ବୃନ୍ଦାବନ ଖଟେଇ, ପ୍ରମୋଦ ବେବର୍ତା ପଟ୍ଟନାୟକ, ରାମ ନାରାୟଣ ବିଶ୍ୱସରାୟ ପ୍ରମୁଖ ଚାଷୀଙ୍କ ଏପରି ଦୁର୍ଦଶା ପାଇଁ କେନ୍ଦ୍ରରେ ମୋଦି ଓ ରାଜ୍ୟର ନବୀନ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top