ଜିଲ୍ଲା ପରିକ୍ରମା

ଚର୍ଚ୍ଚାରେ ଭଦ୍ରକ ପୌରପାଳିକା କମ୍ୟୁନିଟି ସେଣ୍ଟର ନାମରେ ମାର୍କେଟ୍ କମ୍ପ୍ଲେକ୍ସ

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରପାଳିକାର ପାରିଷଦମାନେ ଜନସେବା ନାମରେ ନିଜର ସ୍ୱାର୍ଥ ହାସଲ କରିବାରେ ଲାଗିପଡିଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଜନସାଧାରଣଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ଏମାନେ ନିଜର ସ୍ୱାର୍ଥ କିଭଳି ପୂରଣ ହେବ, ସେ ଦିଗରେ କାର୍ଯ୍ୟ କରୁଥିବା ଚର୍ଚ୍ଚାରେ ସ୍ଥାନ ପାଇଛି। ଭଦ୍ରକ ବନ୍ତଛକ ଠାରେ ଥିବା ଏକ ବିବାଦୀୟ ସରକାରୀ ଜାଗାରେ କମ୍ୟୁନିଟି ସେଣ୍ଟର ନିର୍ମାଣ ଆଳରେ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି। ଯେଉଁ ମାର୍କେଟ୍ କମ୍ପ୍ଲେକ୍ସକୁ କେବଳ ବର୍ତ୍ତମାନର ପାରିଷଦମାନଙ୍କ ମଧ୍ୟରେ ବଣ୍ଟନ କରାଯିବାର ସୁଚିନ୍ତିତ ଯୋଜନା କରାଯାଇଛି। ଏହି ଉଦ୍ଦେଶ୍ୟରେ ମ୍ୟୁନିସିପାଲଟି ନିର୍ବାଚନ ଆଗରୁ ଯେଭଳି ମାର୍କେଟ୍ କମ୍ପ୍ଲେକ୍ସ କାମ ସରିବ, ସେନେଇ ତତ୍ପରତା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଭଦ୍ରକ ବନ୍ତଛକ ନିକଟ ରାଜ୍ୟ ରାଜପଥକୁ ଲାଗି ରହିଥିବା ୩୪ ଡି. ପରିମିତ ସରକାରୀ ଲିଜ୍ ଜମି ଉପରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ସକାଶେ ଗତ ୨୦୧୧ ମସିହାରେ ରାଜସ୍ୱ ବିଭାଗ ଠାରୁ ୧୧ ଲକ୍ଷ ଟଙ୍କା ପ୍ରିମିୟମ୍ ବିନିମୟରେ ଭଦ୍ରକ ପୌରପାଳିକା ଏହି ଜମିକୁ ଲିଜ୍ ନେଇଥିଲା। ତେବେ ଏହି ଜମି ଲିଜ୍ ଗ୍ରହଣ ହେବା ପରଠାରୁ ଏହାର ମାଲିକାନା ଏବଂ କମ୍ୟୁନିଟି ସେଣ୍ଟର ନିର୍ମାଣ ନେଇ ବିବାଦ ଆରମ୍ଭ ହୋଇଥିଲା। ଲିଜ୍ ପୂର୍ବରୁ କର୍ମଜୀବୀ ମହିହା ହଷ୍ଟେଲ ନିର୍ମାଣ ସକାଶେ ଏହି ଜାଗାକୁ ମା’ ଇନ୍ଦିରା ମହିଳା ମଣ୍ଡଳ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଦିଆଯାଇଥିବା କଥା ସଂଗଠନର ମୁଖ୍ୟ ପରିଚାଳିକା ଜମ୍ବୁବତୀ ଦାସ ଉଠାଇଛନ୍ତି। ବର୍ତ୍ତମାନ ଏଠାରେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି, ତା ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି। ତେବେ ଜାଗା ଯାହା ଅଧୀନରେ ଥାଉ ନା କାହିଁକି ଭଦ୍ରକ ପୌର ପରିଷଦ ପକ୍ଷରୁ ଚଳିତବର୍ଷ ଆରମ୍ଭରେ ପୌରପାଳିକା ଡିଭୋଲୁ୍ୟସନ ଫଣ୍ଡରେ ତବବା ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୌରପାଣ୍ଠି ବୃଦ୍ଧି ସକାଶେ ଥିବା ଏହି ପାଣ୍ଠିରେ ଏବେ ପୌରପାଳିକାର ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। କମ୍ୟୁନିଟି ସେଣ୍ଟର ନିର୍ମାଣ ଆଳରେ ଏଠାରେ ମାର୍କେଟ୍ କମ୍ପ୍ଲେକ୍ସ ତିଆରି କରାଯାଇ ପାରିଷଦମାନଙ୍କୁ ଥଇଥାନ କରାଯିବାର ସୁଚିନ୍ତିତ ଯୋଜନା କରାଯାଉଥିବା ସାଧାରଣରେ କୁହାଯାଇଛି। କମ୍ପ୍ଲେକ୍ସ ମଝିରେ ଏକ ଛୋଟକାଟର କମ୍ୟୁନିଟି ସେଣ୍ଟର କରାଯାଇ ଉଭୟ ପାର୍ଶ୍ୱରେ ଦ୍ୱିତଳ ବିଶିଷ୍ଟ ଏକ ମାର୍କେଟ୍ କମ୍ପ୍ଲେକ୍ସ କାମ ଚାଲିଥିବା କୁହାଯାଉଛି। ପୌର ପରିଷଦର ସମସ୍ତ ୩୦ ଜଣ ପାରିଷଦଙ୍କ ସହିତ ଏହି ମାର୍କେଟ୍ କମ୍ପ୍ଲେକ୍ସ ର ପୃଷ୍ଠପୋଷକ ସାଜିଥିବା ଶାସକ ଦଳର ଜଣେ ଯୁବନେତାଙ୍କୁ ମଧ୍ୟ ତୁଷ୍ଟିକରଣ କରାଯିବାର ସମସ୍ତ ପଦକ୍ଷେପ ନିଆଯାଉଛି। କେଉଁ ଆଇନ୍ ବଳରେ ପୌରପାଳିକା ଅର୍ଥରେ ନିର୍ମିତ ଏହି ମାର୍କେଟ୍ କମ୍ପ୍ଲେକ୍ସର ଘରକୁ ସାଧାରଣ ଲୋକଙ୍କୁ ଦିଆନଯାଇ ପାରିଷଦମାନଙ୍କୁ ବଣ୍ଟନ କରାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ସାମଲଙ୍କୁ ପଚାରିବାରେ ସେ ଏହାକୁ ଅସ୍ୱୀକାର କରିଥିଲେ। ସେ କହିଥିଲେ ଯେ, ପୌର ଆଇନ୍ରେ ସେମିତି କୌଣସି ବ୍ୟବସ୍ଥା ନଥିବାରୁ ନିର୍ମାଣାଧୀନ ମାର୍କେଟ୍ କମ୍ପ୍ଲେକ୍ସ ଦୋକାନ ଘରକୁ ପାରିଷଦଙ୍କୁ ଦିଆଯିବାର ପ୍ରଶ୍ନ ଉଠୁନାହିଁ। ତେବେ ଏକ ଅସମର୍ଥିକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପାରିଷଦଙ୍କୁ ତେବେ ଏହି ମାର୍କେଟ୍ କମ୍ପ୍ଲେକ୍ସ ବଣ୍ଟନ ନେଇ ପାରିଷଦ ବୈଠକରେ ପ୍ରସ୍ତାବ ଗୃହୀତ ହେବାପରେ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top