ଜିଲ୍ଲା ପରିକ୍ରମା

ଚର୍ଚ୍ଚାରେ ବାସୁଦେବପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଜିଆଇଏସ ବିଲ୍ ତାଲିକା ପ୍ରସ୍ତୁତିରେ ତ୍ରୁଟି!

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଏବେ ଚର୍ଚ୍ଚାରେ। ହାତଗୁଞ୍ଜା ନଦେଲେ ଫାଇଲ ଘୁଞ୍ଚୁନି ବୋଲି ଚର୍ଚ୍ଚା ଜୋର ଧରିଛି। ଏପରିକି ଅବସର ପରେ ପେନସନ କାଗଜପତ୍ର ପ୍ରସ୍ତୁତିରେ ମଧ୍ୟ ବ୍ୟାପକ ତ୍ରୁଟି ରହୁଛି। ନିକଟରେ ନିୟମିତ ହୋଇଥିବା ଗଣ ଶିକ୍ଷକ(ଲେବୁଲ ଭି ଏକ୍ସ କେଡର)ଙ୍କ ଜିଆଇଏସ(ଗୃପ ଇନସୁ୍ୟରାନ୍ସ ସ୍କିମ) ବିଲ ତାଲିକା ପ୍ରସ୍ତୁତି ଏହି ଚର୍ଚ୍ଚାକୁ ଖୋରକ ଯୋଗାଇଛି। ବ୍ଲକ ଶିକ୍ଷାଧିକାରୀଙ୍କ ନାମ ବଦଳରେ ତଞ୍ଚକତା କରି ଟ୍ରେଜେରୀ ଚାଲାଣରେ ଜଣେ ଶିକ୍ଷକଙ୍କ ନାମ ଦରଜ କରାଯାଇଥିଲା। ଏପରିକି ହେଡ ଅଫ ଏକାଉଣ୍ଟ ନମ୍ବର ମଧ୍ୟ ଭୁଲ ଥିଲା। ଏହି ତାଲିକାକୁ ମଧ୍ୟ ବ୍ଲକ ଶିକ୍ଷାଧିକାରୀ ଅନୁମୋଦନ କରି ଟ୍ରେଜେରୀକୁ ପଠାଇଥିଲେ। ପରେ ଏହି ଘଟଣା ଜଣା ପଡିବାରୁ ନିୟମିତ ହୋଇଥିବା କିଛି ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଶିକ୍ଷା କାର୍ଯ୍ୟାଳୟରେ ପ୍ରତିବାଦ କରିଥିଲେ। ଶିକ୍ଷକଙ୍କ ଅଭିଯୋଗ ଅନୁସାରେ, ନିକଟରେ ୧୩୮ ଜଣ ଗଣଶିକ୍ଷକ ନିୟମିତ ହୋଇଥିଲେ। ନିୟମ ଅନୁସାରେ କାର୍ଯ୍ୟାଳୟ ପକ୍ଷରୁ ୭ ହଜାର ୫ ଶହ କରି ୧୩୮ ଜଣ ଶିକ୍ଷକଙ୍କଠାରୁ ୧୦ ଲକ୍ଷ ୩୫ ହଜାର ଟଙ୍କା କଟାଯାଇଥିଲା। ଟ୍ରେଜେରୀ ଚାଲାଣରେ ବ୍ଲକ ଶିକ୍ଷାଧିକାରୀଙ୍କ ନାମ ବଦଳରେ ଜଣେ ଶିକ୍ଷକଙ୍କ ନାମରେ ନାମିତ କରି ଟ୍ରେଜେରୀକୁ ଦିଆଯାଇଥିଲା। ଶିକ୍ଷକମାନେ ଏହି ଖବର ଜାଣିବା ପରେ ଶିକ୍ଷାଧିକାରୀଙ୍କ ନିକଟରେ ପ୍ରତିବାଦ ଜଣାଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଶିକ୍ଷାଧିକାରୀଙ୍କ ନାମ ବଦଳରେ ଶିକ୍ଷକଙ୍କ ନାମ କିପରି ନାମିତ କରାଗଲା। ସରକାରୀ ନୀତି ନିୟମକୁ ନମାନି କିଏ ଶିକ୍ଷକଙ୍କ ନାମକୁ ଦରଜ କଲା। ଏହି କାଗଜପତ୍ର ପ୍ରସ୍ତୁତ କରୁଥିବା କର୍ମଚାରୀ ଅଜାଣତରେ ଭୁଲ କରିଥିଲେ ନା ସଂପୃକ୍ତ ଶିକ୍ଷକ ତାଙ୍କ ନାମ ଜାଣିଶୁଣି ନାମିତ କରାଇଥିଲେ। ଅନ୍ୟପକ୍ଷରେ ବୀମା କଟା ଯାଇଥିବା ଶିକ୍ଷକଙ୍କ ପରିବାର ବିପଦଆପଦ ସମୟରେ ବୀମା ଅର୍ଥ ପାଇଁ ଶିକ୍ଷା ଅଧିକାରୀଙ୍କ ପାଖରେ ଦାବି କରିଥାନ୍ତେ ନା ସଂପୃକ୍ତ ଶିକ୍ଷକଙ୍କୁ ଗୁହାରୀ କରିଥାନ୍ତେ ବୋଲି ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି। ଏପରି ତ୍ରୁଟିକୁ ନେଇ ଶିକ୍ଷକମାନେ ଶିକ୍ଷାଧିକାରୀଙ୍କ ଦୃଷ୍ଟିକୁ ଆଣିବା ପରେ ଘଟଣାର ତର୍ଜମା ଆରମ୍ଭ ହୋଇଥିଲା। ଦୁଇ ଦିନ ତର୍ଜମା ପରେ ଆଜି ଏହି ତାଲିକାର ସଂଶୋଧନ କରାଯାଇଛି। ଶିକ୍ଷକଙ୍କ ନାମ ବଦଳରେ ବ୍ଲକ ଶିକ୍ଷାଧିକାରୀଙ୍କ ନାମ କରି କାଗଜପତ୍ର ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଏପଟେ ଏହି ପ୍ରସଙ୍ଗକୁ ନେଇ ବ୍ଲକ ବିଆରସିସି ରମାକାନ୍ତ ପାଢୀଙ୍କୁ ଯୋଗାଯୋଗ କରିବାରୁ ଯାହା ଲେଖା ଥିଲା ଠିକ ଅଛି, କିଛି ଭୁଲ ହୋଇନାହିଁ ବୋଲି ସେ କହିଛନ୍ତି। ଶିକ୍ଷକମାନଙ୍କ ସମସ୍ୟାକୁ ନେଇ ବିଆରସିସି ଶ୍ରୀ ପାଢୀ ଦେଇଥିବା ମନ୍ତବ୍ୟ ଯଦି ଠିକ ଥିଲା, ଆଜି ବଦଳିଲା କେମିତି। ଶିକ୍ଷକଙ୍କ ନାମ ବଦଳରେ ଆଜି ଶିକ୍ଷାଧିକାରୀଙ୍କ ନାମ ଦରଜ ହେଲା କାହିଁକି? ତେବେ ଯାହା ଭୁଲଥିଲା ସଂଶୋଧନ କରାଯାଇଛି ବୋଲି ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର ନାରାୟଣ ମଲ୍ଲିକ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top