ଜିଲ୍ଲା ପରିକ୍ରମା

ଚର୍ଚ୍ଚାରେ ଚାନ୍ଦବାଲି ତହସିଲ ସରିପାରୁନି ୨୦୧୬-୧୭ ଆର୍ଥିକ ବର୍ଷର ରାଜସ୍ୱ ଆଦାୟ ହିସାବ

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ତହସିଲରେ ୨୦୧୬-୧୭ ଆର୍ଥିିକ ବର୍ଷ କେବେ ସରିବ ସେ ନେଇ କଳ୍ପନା ଜଳ୍ପନା ଚାଲିଛି। ଏହି ତହସିଲରେ ବିଗତ ବର୍ଷଗୁଡିକରେ କେଉଁ ରାଜସ୍ୱ ଅଧିକାରୀ ରାଜସ୍ୱ ଆଦାୟରେ ଅବହେଳା କରିଛନ୍ତି, ଅଧିକ ଅଭିବୃଦ୍ଧି ଦେଖାଇଛନ୍ତି ଅଥବା କିଏ ରାଜସ୍ୱ ଅର୍ଥକୁ ନିଜ ଘର ଖର୍ଚ୍ଚ କରିଛନ୍ତି, ତାହା ଏବେ ପ୍ରଶ୍ନ ହୋଇ ଉଭା ହୋଇଛି। ଚାନ୍ଦବାଲି ତହସିଲର ୧୪ଟି ରାଜସ୍ୱ ସର୍କଲ ଥିବା ବେଳେ ୨୦୧୬-୧୭, ୨୦୧୭-୧୮ରେ ଆଜି ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ରାଜସ୍ୱ ଆଦାୟ ହୋଇଛି କି ନାହିଁ ସେନେଇ ଚାନ୍ଦବାଲି ତହସିଲଦାରଙ୍କ ପାଖରେ କିଛି ଖବର ନଥିବା ବେଳେ ଏହା ଜିଲାପାଳଙ୍କ ହସ୍ତଗତ କେବେ ହେବ ବୋଲି ଚର୍ଚ୍ଚା ଚାଲିଛି। ୧୪ଟି ରାଜସ୍ୱ ସର୍କଲର ରାଜସ୍ୱ ସଂପୃକ୍ତ ଆରଆଇମାନେ ଆଦାୟ କରୁଥିବା ବେଳେ ସେଗୁଡିକର ସମସ୍ତ ହିସାବ ତଦାରଖ କରିବା ଦାୟିତ୍ୱ ତହସିଲ ସୁପରଭାଇଜର କରିଥାନ୍ତି। ୨୦୧୬-୧୭ ଆର୍ଥିକ ବର୍ଷର ୧୪ଟି ରାଜସ୍ୱ ସର୍କଲ ମଧ୍ୟରୁ ୧୧ଟି ରାଜସ୍ୱ ସର୍କଲର ରାଜସ୍ୱ ହିସାବ ସୁପରଭାଇଜର ଚୂଡାନ୍ତ କରି ଚାନ୍ଦବାଲି ତହସିଲଦାରଙ୍କୁ ଦେଇଥିଲେ। ବାକି ଥିବା କରଞ୍ଜମାଳ, ଧାମରା ଏବଂ ନାଲଗୁଣ୍ଡା ସର୍କଲର ହିସାବ ସୁପରଭାଇଜର ଚୂଡାନ୍ତ କରି ଏହାର ରିପୋର୍ଟ ତହସିଲଦାରଙ୍କୁ ଦେଇ ନଥିବା ଜଣାଯାଇଛି। ଇତି ମଧ୍ୟରେ ୨୦୧୬-୧୭ ଯାଇ ୨୦୧୭- ୧୮ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ କେଉଁ ପରିସ୍ଥିତିରେ ଏହି ୩ଟି ରାଜସ୍ୱ ସର୍କଲକୁ ବାଦ୍ ଦିଆଯାଇଛି ତାହାର କାରଣ ଦର୍ଶାଇବାକୁ ଚାନ୍ଦବାଲି ତହସିଲଦାର ରାଜି ନାହାନ୍ତି। ଏହି ୩ଟି ରାଜସ୍ୱ ସର୍କଲ ମଧ୍ୟରୁ ଧାମରା ସର୍କଲର ରାଜସ୍ୱ ଆଶାତୀତ ଭାବରେ ବୃଦ୍ଧି ପାଇଥିବା କଥା ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ଧାମରା ଅଞ୍ଚଳରୁ ଆଦାୟ ହୋଇଥିବା ରାଜସ୍ୱ ଅର୍ଥ ଆଜି ପର୍ଯ୍ୟନ୍ତ କାହା ପାଖରେ ଅଛି ସେନେଇ ପ୍ରଶ୍ନ ଉଠିଛି। ଇତିମଧ୍ୟରେ ଧାମରା ରାଜସ୍ୱ ଅଧିକାରୀ ପ୍ରମୋଶନରେ ଅନ୍ୟ ତହସିଲକୁ ଯାଇସାରିଛନ୍ତି। କରଞ୍ଜମାଳ ଆରଆଇ ସାଧାରଣ ଲୋକଙ୍କ ଜମିକୁ ଜଣେ କୋଟି ତିଙ୍କ ନାମରେ ପାଉତି କାଟି ଲକ୍ଷାଧିକ ଟଙ୍କା ରାଜସ୍ୱ ଦର୍ଶାଇବା ଆଳ କରି ବହୁ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହେବା ପରେ ଚାନ୍ଦବାଲି ତହସିଲଦାର ସଂପୃକ୍ତ ଆରଆଇଙ୍କୁ ପ୍ରଥମେ କଇଥଖୋଲାକୁ ବଦଳି କରିଥିଲେ, ସେଠାର ଲୋକେ ଏହି ଆରଆଇଙ୍କୁ ଗ୍ରହଣ ନକରିବାରୁ ତହସିଲଦାର ତାଙ୍କୁ ପୁନଶ୍ଚ ଅନ୍ୟ ସ୍ଥାନକୁ ବଦଳି କରିଛନ୍ତି। ସେହିପରି ନାଲଗୁଣ୍ଡା ଆରଆଇ ମାଇନର ମିନେରାଲ କେସରେ(ଏମଏମସି) ପାଉତି ଜାଲିଆତି କରିଥିବାରୁ ଭଦ୍ରକ ଜିଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ପରେ ଜିଲାପାଳ ସଂପୃକ୍ତ ଆରଆଇଙ୍କ କାରନାମାକୁ ଭିଜିଲାନ୍ସରେ ଦେବା ପାଇଁ ଚାନ୍ଦବାଲି ତହସିଲଦାରଙ୍କୁ ଆଦେଶ ଦେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନଥିବା ଜଣାଯାଇଛି। ଏ ସଂପର୍କରେ ତହସିଲଦାର ପ୍ରେମାଂଶୁ ଚାନ୍ଦଙ୍କୁ ପଚାରିବାରୁ ସେ ଏହି ତିନି ଆରଆଇ ସର୍କଲରେ ଅନିୟମିତତା ହୋଇଥିବାକ କଥାକୁ ସ୍ୱୀକାର କରିବା ସହ ଦୋଷୀ ଉପଯୁକ୍ତ ଦଣ୍ଡ ପାଇବ ବୋଲି କହି ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି। ତେବେ ସନ୍ଦେହ ଘେରରେ ଥିବା ଏହି ତିନି ଆରଆଇଙ୍କ ପାଖରୁ କେଉଁ ପରିସ୍ଥିତିରେ ଦୀର୍ଘଦିନ ହେଲା ରାଜସ୍ୱ ଆଦାୟର ହିସାବ ନିଆ ନଯାଇ ସେମାନଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଗଲା, ତାହା ଏବେ ତଦନ୍ତ ସାପେକ୍ଷ। ଦୁଇଟି ଆର୍ଥିକ ବର୍ଷ ଶେଷ ହୋଇଥିଲେ ମଧ୍ୟ ରାଜସ୍ୱ ଆଦାୟର ହିସାବ ଚାନ୍ଦବାଲି ତହସିଲଦାର କାହିଁକି ରାଜ୍ୟ ସରକାରଙ୍କୁ ଦେଇ ନାହାନ୍ତି ତାହାର ବିଧିବଦ୍ଧ ତଦନ୍ତ ସହ ରାଜସ୍ୱ ବାଟମାରଣା କରିଥିବା ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top