ଚରମ ସୀମାରେ ଧାମରା ଜମି ଜାଲିଆତି, ୭୦୦ ଏକର ଘରୋଇ ଚାଷ ଜମି ଗାଏବ

ଭଦ୍ରକ, ୪ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମରା ଅଂଚଳ ଉପରେ ଏବେ ସମସ୍ତଙ୍କ ଆଖି। ଧାମରା ବନ୍ଦର ପାଇଁ ବିଭିନ୍ନ ଛୋଟ ବଡ କାରଖାନା ତିଆରି କରିବାକୁ ବିଭିନ୍ନ ଶିଳ୍ପପତି ଧାମରା ମୁହାଁଇଛନ୍ତି। ଏହି ଶିଳ୍ପପତିମାନଙ୍କୁ ଏବେ ଲୋଭ ଦେଖାଇଛନ୍ତି ୨୫ ରୁ ଅଧିକ ଅଣ ପଂଜିକୃତ ବେନାମୀ କଂପାନୀ। ଏହି ବେନାମୀ କଂପାନୀ ସ୍ଥାନୀୟ ଅଂଚଳର ଚାଷ ଜମିକୁ ଶାଗ ମାଛ ଦରରେ କିଣି ଦୁଇ ବର୍ଷ ହେଲା ନିଜ କବ୍ଜାକୁ ନେଇଛନ୍ତି। ପ୍ରାୟ ୭୦୦ ଏକର ଚାଷ ଜମି ଏହି ଅଣ ପଂଜିକୃତ ଜମି କିଣାବିକା ନିଜସ୍ୱ ଘୋଷିତ କଂପାନୀଙ୍କ କବ୍ଜାରେ ରହିଲେଣି। ଜମି କିଣିଥିବା ଏହି ୨୫ କଂପାନୀ ମଧ୍ୟରୁ ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ହରିୟାନା, ହାଇଦ୍ରାବାଦ ୧୦ଟି କଂପାନୀ ରହିଥିବାବେଳେ ବାକି ୧୫ଟି ରାଜ୍ୟ ଭିତରେ। ତିହିଡି ଓ ଚାନ୍ଦବାଲି, ଧାମରା ଅଂଚଳର କେତେକ ଜମି ଦଲାଲ ଏହି ବାହାର ରାଜ୍ୟର କଂପାନୀଙ୍କ ନାମରେ ଶହ ଶହ ଏକର ଜମି କିଣି ନିଜ କବ୍ଜାକୁ ନେଇଛନ୍ତି। ଏହି ଜମି ଦଲାଲମାନେ ଏବେ ହରଡଘଣାରେ ପଡିଛନ୍ତି କେବେ ଚାନ୍ଦବାଲି ତହସିଲଦାରଙ୍କ କଡା ଆଇନ୍ ଯୋଗୁଁ। ରାଜସ୍ୱ ବିଭାଗର ନିୟମ ଅନୁସାରେ ଜମି କିଣିବା ପରେ ନାମଜାରୀ ତଥା ପଟ୍ଟା ହାତେଇବା ଜରୁରୀ। କିନ୍ତୁ ଜମି କିଣିବା ବେଳେ ଏହି ବେନାମୀ କଂପାନୀ ଦଲାଲ ମାନେ ସରକାରୀ ଆଦୋ ନେଇ ନଥିବାରୁ ନାମଜାରୀ ପାଇପାରୁନାହାଁନ୍ତି। ଏହି ନାମଜାରୀକୁ ପୂର୍ବ ଚାନ୍ଦବାଲି ତହସିଲଦାର ଚିତ୍ତରଂଜନ ସାହୁ ବିରୋଧ କରିଥିବା ବେଳେ ଏବେକାର ତହସିଲଦାର ପ୍ରେମାଂଶୁ ଚାନ୍ଦ ମଧ୍ୟ ବିରୋଧ କରିଛନ୍ତି। ୧୦ ବର୍ଷ ହେଲା ଧାମରାରେ ଥିବା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ କୋମାରେ ଥିବା ବେଳେ ଏବେ ଧାମରା ବନ୍ଦର କଂପାନୀର ଚାପ ସୃଷ୍ଟି ହୋଇ ଧାମରା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। କିଣାଯାଇଥିବା ଏହି ୭୦୦ ଏକର ଘରୋଇ ଚାଷ ଜମି ନାମଜାରୀ ହେବା ଜରୁରୀ ହୋଇଥିବାରୁ ଧାମରା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟରେ ଏବେ ଭିଡ ଜମୁଛି। ଅନ୍ୟପକ୍ଷରେ ଧାମରା ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଏବେ ବିବାଦୀୟ ହୋଇପଡିଛି। କଡା ମନୋଭାବ ପୋଷଣ କରୁଥିବା ଅଧିକାରୀଙ୍କୁ ଏହି କାର୍ଯ୍ୟାଳୟରୁ ଉପରୁ ଚାପ ପଡି ହଟାଇ ଦିଆଗଲାଣି। ନକଲି କାଗଜପତ୍ର ବଳରେ ଏହି ନାମଜାରୀ କରିବାକୁ ଚାଲିଛି ପ୍ରୟାସ। ଏଥିପାଇଁ ନକଲି ଭୋଟ୍, ଆଇକାର୍ଡ, ନକଲି ଆଧାର କାର୍ଡ ଓ ନକଲି ବିକ୍ରି କବଲା ଏବେ ପ୍ରସ୍ତୁତ ହେଉଛି। ଏହି ନକଲି କାରବାର ଯୋଗୁଁ ଚାନ୍ଦବାଲି ସବ୍ରେଜେଷ୍ଟି୍ରଙ୍କ ନାମରେ କେଶ୍ ନଂ ୨୦୬/୧୫ ରେ ଏକ ମାମଲା ରୁଜୁ ହୋଇ ହଇଚଇ ସୃଷ୍ଟି କରିଥିଲା। ଧାମରା ବନ୍ଦର ସନ୍ନିକଟ ବିଭିନ୍ନ ପଞ୍ଚାୟତ ଚାଷୀଙ୍କ ଚାଷ ଜମି ଦଲାଲଙ୍କ ଲୋଲୁପ ଦୃଷ୍ଟିରେ ପଡିଛି। କରଂଜମାଳ ମୌଜାର ଏକ ମିଛ ମିଶ୍ କେଶ୍ ଜରିଆରେ ୬୪ ଜଣ ଭୂମିହୀନଙ୍କ ପ୍ରାୟ ୭୫ ଏକର ଜମିକୁ ନକଲି କାଗଜପତ୍ର ଜରିଆରେ ହଡପ କରାଯାଇଥିବା ପ୍ରସଙ୍ଗ ଏବେ ବେଶ୍ ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *