ଚମ୍ପୁଆ ବିଧାୟକ ସନାତନଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ

ଯୋଡା- ତା ୨୦/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦିନ ଥିଲା ଚମ୍ପୁଆ ସ୍ୱାଧିନ ବିଧାୟକ ସନାତନ ମହାକୁଡଙ୍କ ବିନା ଅନୁମୋଦନରେ ଏ ଅଞ୍ଚଳରେ ଡାଳ ପତ୍ର ହଲୁନଥିବା ସାଧାରଣରେ କୁହାଯାଉଥିବା ବେଳେ ଏବେ ତାଙ୍କରି ନିଜ ଘର ଉଚ୍ଚବାଲି ଗ୍ରାମବାସୀମାନେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି। ଗ୍ରାମବାସୀମାନେ ଯୋଡାସ୍ଥିତ ଯୋଡା ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଅଭିଯୋଗ କରିଛନ୍ତି ଯେ, ୨୦୧୦ ମସିହାରେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଖୋଲିବା ସମୟରେ ଏହି ଖଣି କମ୍ପାନୀ ଗ୍ରାମବାସୀଙ୍କୁ କର୍ମନିଯୁକ୍ତି, ବିଜୁଳି ଆଲୋକ, ଜଳ ଯୋଗାଣ, ଶିକ୍ଷା, ଡାକ୍ତରି ସୁବିଧା ଯୋଗାଇଦେବା ସହ ପରିବହନ, ରେଳ ବୋଝେଇ କ୍ଷେତ୍ରରେ ଗ୍ରାମବାସୀମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ଜନଶୁଣାଣୀ ସମୟରେ ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତ୍ତମାନର ବିଧାୟକ ଶ୍ରୀ ସନାତନ ମହାକୁଡଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଖଣି କମ୍ପାନୀକୁ ସମର୍ଥନ ଦେଇଥିଲେ। ଏହି ଖଣିରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବା ନିମନ୍ତେ ଚତୁର୍ଭୁଜ ଡେଭେଲପମେଣ୍ଟ କମିଟି ନାମରେ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ଏହି ଖଣି ଦ୍ୱାରା ପ୍ରଭାବିତ ୬ଟିପଞ୍ଚାୟତ ଯଥା ପଳସା, ବଳଦା, କାଳିମାଟି, ଜଲହରି, ଜଜାଙ୍ଗ ଏବଂ ନୟାଗଡର ପ୍ରାୟ ୫ ଶହ ଗ୍ରାମବାସୀଙ୍କୁ ଏଥିରେ ସଦସ୍ୟ କରାଯାଇଥିଲା। ଏଥି ମଧ୍ୟରୁ କେବଳ ବିଧାୟକଙ୍କ ନିଜ ଗ୍ରାମ ଉଚ୍ଚବାଲିରୁ ୪୧ ଜଣଙ୍କୁ ମଧ୍ୟ ସଦସ୍ୟ ଭାବେ ନିଆଯାଇଥିଲା। ଏହି ସଦସ୍ୟମାନଙ୍କୁ ସେୟାର ପ୍ରତି ୫୦ ହଜାର ଟଙ୍କା ରସିଦ୍ ଦିଆଯାଇ ମେମ୍ବର ଫିସ୍ ଗ୍ରହଣ କରାଯାଇଥିଲା। ତେବେ ଏ ବାବଦକୁ କେବଳ ଉଚ୍ଚବାଲି ଗ୍ରାମରୁ ୮୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଏବଂ ମୋଟ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଏହି ଚତୁର୍ଭୁଜ ଡେଭେଲପମେଣ୍ଟ କମିଟିର ଅଧ୍ୟକ୍ଷ ବିଧାୟକ ମହାକୁଡଙ୍କ କହିବା ଅନୁଯାୟୀ ଗ୍ରାମବାସୀମାନେ ଜମିବାଡି, ଗାଈଗୋରୁ, ସୁନାବାନା ବିକ୍ରି କରି ପୈଠ କରିଥିଲେ। ସେମାନଙ୍କୁ ଲୁହା ପଥର ପରିବହନ ଲାଭାଂଶରୁ ସେୟାର ମୁତାବକ ଭାଗ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପରିବର୍ତ୍ତି ମୁହୁର୍ତରେ ପ୍ରଥମ କେଇ ମାସ ଲାଭାଂଶ ଦେବା ପରେ ବିଧାୟକ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଏବଂ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମବାସୀମାନଙ୍କୁ ସେମାନଙ୍କର ଜମା ରାଶି ଫେରସ୍ତ କିମ୍ବା ଲାଭାଂଶର ହିସାବ ଦିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଅଦ୍ୟାବଧି ଏହି ଚତୁର୍ଭୁଜ ଡେଭେଲପମେଣ୍ଟ କମିଟି ଇନ୍ଦ୍ରାଣୀ ପଟ୍ଟନାୟକ ଓ ସିରାଜ୍ଜୁଦ୍ଧିନ ଖଣିରେ ଏକଚାଟିଆ ପରିବହନ ଜାରି ରଖିଥିବା ଜଣାପଡିଛି। ଖଣିଟିରେ ଶ୍ରୀ ମହାକୁଡଙ୍କର ପତିଆରା ଯୋଗୁଁ ଗ୍ରାମବାସୀମାନେ ପ୍ରତିଶ୍ରୁତି ମୁତାବକ ମୌଳିକ ସୁବିଧା ପାଇବାରୁ ମଧ୍ୟ ବଞ୍ଚିତ ହୋଇଥିବା ବାବା ଧବଳେଶ୍ୱର ସଂଗ୍ରାମ କମିଟି ପକ୍ଷରୁ ଶାନ୍ତିଲତା ରାଉତ, ପାର୍ବତୀ ନାଏକ, ସଞ୍ଜୟ ବାରିକ, ଅପର୍ଣ୍ଣା ନାଏକ, ସିଦ୍ଦେଶ୍ୱର ନାଏକ ପ୍ରମୁଖ ଗଣମାଧ୍ୟମରେ ଅଭିଯୋଗ କରିଥିଲେ। ସେମାନେ ବିଧାୟକଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା କ୍ଷୋଭର ସହ ପ୍ରକାଶ କରିବା ସହିତ ଜୀବିକା ନିର୍ବାହ କରିବାରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇପଡିଥିବା କହିଥିଲେ। ସମଗ୍ର ରାଜ୍ୟରେ ଚିଟ୍ ଫଣ୍ଡ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ଘଟଣାଟି ଚିଟ୍ ଫଣ୍ଡ ଠକେଇଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ସେମାନେ କେନ୍ଦ୍ର ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଙ୍କ ସମେତ କେନ୍ଦୁଝର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପୁଲିସ ଆରକ୍ଷୀ ଅଧିକ୍ଷକ ଏବଂ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା କହିଥିଲେ ମଧ୍ୟ ଫଳ କିଛି ମିଳିନଥିବା କହିଥିଲେ। ତେବେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଏବଂ ସିରାଜ୍ଜୁଦ୍ଧିନ ଖଣି ୨ଟିରେ ଗ୍ରାମବାସୀମାନଙ୍କୁ ସିଧାସଳଖ କାମ ଯୋଗାଇଦିଆନଗଲେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ବିଧାୟକ ଶ୍ରୀ ମହାକାଡଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ବିଧାୟକ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ରାଜ୍ୟ ବାହାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *