ଜିଲ୍ଲା ପରିକ୍ରମା

ଚନ୍ଦନ ବଜାରରୁ ଆର୍ଏମ୍ସି ମାର୍କେଟ ରାସ୍ତା ଶୋଚନୀୟ, ୧୨ରେ ରାସ୍ତାରୋକୋ ଚେତାବନୀ

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ ୧୭ ନଂ ୱାର୍ଡର ଚନ୍ଦନବଜାର ଠାରୁ ଆର୍ଏମ୍ସି ମାର୍କେଟ ଗେଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ସହ ଲୋକଙ୍କ ଯାତାୟତ ହେଉଛି। ପୁଣି ଏହି ରାସ୍ତା ଦେଇ ଦୁଇଟି ମସ୍ଜିଦ୍ଙ୍କୁ ଶ୍ରଦ୍ଧାଳୁମାନେ ନିୟମିତ ନମାଜ ପାଠ ପାଇଁ ଯାଇଥାନ୍ତି। ରାସ୍ତା ଦେଇ ଶ୍ମଶାନ, ଏକ ମଣ୍ଡପ ଓ ୟୁନାନୀ ରିସର୍ଚ୍ଚ ସେଣ୍ଟର, ବଡବାବା ଓ ସାନବାବାଙ୍କ ମଜାରକୁ ଲୋକମାନେ ଯିବା ଆସିବା କରନ୍ତି। ମାତ୍ର ଏହି ରାସ୍ତାଟି ଗମନାଗମନ ଅନୁପଯୋଗୀ ହୋଇ ପଡିଛି। ଖାଲ ଢିପରେ ପଡି ସାଧାରଣ ଲୋକଙ୍କ ସହ ବାଇକ ଆରୋହୀ, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି। ଅଭିଯୋଗ ପରେ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଏହି ରାସ୍ତା ଉପରେ ପଡୁ ନାହିଁ। ଏ ନେଇ ଗତ ଅଗଷ୍ଟ ୧୭ ତାରିଖରେ ଜିଲ୍ଲାପାଳଙ୍କ ସମେତ ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଭଦ୍ରକ ପୌରାଧ୍ୟକ୍ଷଙ୍କୁ ୧୭ ନଂ ୱାର୍ଡର ଇସଫପୁର, ଗୌସୀୟା ନଗର, ଚନ୍ଦନ ବଜାର ଆଦି ଅଞ୍ଚଳର ବହୁ ଜନସାଧାରଣ, ନେତା, ବୁଦ୍ଧିଜୀବୀ ମିଳିତ ହୋଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ତାହାର କୌଣସି ସୁଫଳ ମିଳିଲା ନାହିଁ। ଯାହା ଫଳରେ ବାଧ୍ୟ ହୋଇ ଆସନ୍ତା ୧୨ ତାରିଖ ଭଦ୍ରକ ଚାନ୍ଦବାଲି ରାସ୍ତାର ଆର୍ଏମ୍ସି ଗେଟ ସମ୍ମୁଖ ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବରୋଧ କରାଯିବ ବୋଲି ଶତାଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ, ଏସ୍ପିଙ୍କୁ ପ୍ରଦାନ କରାଯାଇଛି। ଅଖ୍ତର ଅଲ୍ଲୀ ଖାଁ, ସୁରେଶ ଶର୍ମା, ରାଜକୁମାର ଗୁପ୍ତା, ପୁଷ୍ପରାଜ ଲାହା, ସେକ ମହମ୍ମଦ ନିଆଜ, ଅଲ୍ତାପ ଖାଁ, ବୈରାଗୀ ଚରଣ ବାରିକ, କୟୁମ ଅଲ୍ଲି ଖାଁ, ସେକ ସକିଲୁର ରହେମାନ, ସେକ ମଇରାଜ, ସେକ କମିରୁଦ୍ଦିନ ପ୍ରମୁଖ ହେବାକୁ ଥିବା ରାସ୍ତାରୋକୋ ଆନ୍ଦୋଳନକୁ ସଫଳ କରାଇବା ପାଇଁ ଭଦ୍ରକର ସମସ୍ତ ରାଜନୈତିକ ନେତୃମଣ୍ଡଳୀ, ସମସ୍ତ କାଉନସିଲର, ଗାଁ ସର୍ଦ୍ଦାର, ଚଉଦ ମହଲା ମୁସଲିମ ଜମାତର ସଭାପତି ଓ ସଦସ୍ୟ, ବୁଦ୍ଧିଜୀବୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top