ଭୋଗରାଇ, ୧୧/୩/୨୦୧୮(ଓଡିଆ ପୁଅ/ରାଧାକାନ୍ତ ପ୍ରଧାନ)ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବ ମନ୍ଦିରର ବିଶାଳକାୟ ନାଲି ବୃଷଭର ଶନିବାର ଅପରାହ୍ନରେ ମୃତ୍ୟୁ ହୋଇଯାଇଛି। ତାର ମୃତ ଶରୀରକୁ ଏକ ଟ୍ରାକ୍ଟରରେ ଫୁଲ, ଧୂଣା, ଧୂପ, ଅବିର ଦେଇ ସଂକିର୍ତନ କରି ଚନ୍ଦନେଶ୍ୱର ପରିକ୍ରମା କରି ତାଳସାରୀ ବେଳାଭୂମିକୁ ନେଇ ପୋତି ଦିଆ ଯାଇଛି। ‘ଲାଲା ଅମର ରହେ’ ଆଦି ଧ୍ୱନିରେ ପ୍ରକମ୍ପିତ କରି ମନ୍ଦିରର ଯୁବ ସେବାୟତ ମାନେ ତାର ଅନ୍ତିମ ସଂସ୍କାର କରିଛନ୍ତି। ସୂଚନା ଥାଉକି, ପ୍ରାୟ ୧୫ଦିନ ଧରି ସେ ଅସୁସ୍ଥ ହୋଇଥିଲା। ଏଠାକାର ଚିକିତ୍ସକଙ୍କ ଚିକିତ୍ସାରେ ସୁସ୍ଥ ନହେବାରୁ ଭୋଗରାଇ ବିଧାୟକ ଅନନ୍ତ ଦାସ ବାଲେଶ୍ୱରରୁ ଏକ ୪ଜଣିଆ ଡାକ୍ତରୀ ଦଳ ଆଣି ଚିକିତ୍ସା କରୁଥିଲେ। ହେଲେ ଆଜି ତାର ମୃତ୍ୟୁ ହୋଇଯାଇଛି। ଏହି ଷଣ୍ଢକୁ ବଜାରର ସମସ୍ତ ଦୋକାନୀ ବେଶ ଭଲ ପାଉଥିଲେ। ପନିପରିବା, ଫଳ ଆଦି ଖାଇବାକୁ ମଧ୍ୟ ଦେଉଥିଲେ। ତାର ଚିକିତ୍ସାରେ ମୁଖ୍ୟ ଦାୟିତ୍ୱ ନେଇଥିବା ସରୋଜ ପଣ୍ଡା ଲାଲାର ମୃତ୍ୟୁପରେ ଲଣ୍ଡା ହୋଇଛନ୍ତି। ଏହି ଲାଲାକୁ କେହି ଜଣେ ଇଲେକ୍ଟ୍ରିକ ସକ୍ ଦେଇ ଏପରି ଅସୁସ୍ଥ କରାଇଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
