ଚଣ୍ଡିଖୋଲ ନିକଟସ୍ଥ ଜାତୀୟ ରାଜ ପଥରେ ଓମ୍ ମା’ ବସ ପଲଟିଲା: ୨୫ ଆହତ, ୪ ଗୁରୁତର

ଯାଜପୁର, ୧୯/୦୩, (ଓଡିଆପୁଅ/ମାନସ ରାଉତ):-ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ବଡଚଣା ମଧ୍ୟବର୍ତ୍ତୀ ମଙ୍ଗଳା ମନ୍ଦିର ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଏଥିରେ ଥିବା ୨୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ବସଟି ଓଲଟି ପଡିବା ଫଳରେ ୧ ଘଣ୍ଟା ଧରି ଜାତୀୟ ରାଜପଥ ଅଚଳ ହୋଇପଡିଥିଲା। ବଡଚଣା ପୋଲିସ ଘଟଣା ସ୍ଥଳରେ ପହଂଚି ଆହାତ ମାନଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଓଲଟି ପଡିଥିବା ବସକୁ ରାସ୍ତାରେ ହଟାଇଲା ପରେ ଚଳାଚଳ ସ୍ୱାଭାବିକ ହୋଇଥିଲା। ସୂଚନା ଥାଉକି କଟକରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ଫକୀରପୁରକୁ ବସ ନମ୍ବର ଓଆର୦୫ ଏଜି- ୦୧୩୮ ବିଶିଷ୍ଟ ଓମ ମା ବସ ୫୦ରୁ ଉର୍ଦ୍ଧ ଯାତ୍ରୀ ଧରି ଆନନ୍ଦପୁର ଅଭିମୁଖେ ଯାଉଥିଲା। ସୋମବାର ସନ୍ଧ୍ୟା ସାଢେ ୬ଟା ସମୟରେ ବଡଚଣା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ମଙ୍ଗଳା ମନ୍ଦିର ନିକଟରେ ଏକ ମଦ୍ୟପ ଟ୍ରଲି ଚାଳକ ରାସ୍ତା ଉପରକୁ ଉଠି ଆସିବାରୁ ତାକୁ ବଂଚାଇବାକୁ ଯାଇ ଆସୁଥିବା ବସର ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଓ ୧୦୮ ଗାଡି ପହଂଚି ଆହତ ମାନଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଏଥିରେ ପାଣିକୋଇଲ ଅଂଚଳର ଦୁଃଖୀରାମ ବେହେରା, କେନ୍ଦୁଝର ଜିଲାର ଫକୀରପୁର ଗ୍ରାମର ଅନିଲ କୁମାର ସାହୁ, ଚଢେଇଧରା ଅଂଚଳରେ ଥିବା ବ୍ୟାଙ୍କ ମ୍ୟାନେଜର ହେମନ୍ତ କୁମାର ନାୟକ ଓ ଦିପ୍ତୀମୟୀ ସାହୁ ଗୁରୁତର ରହିଥିବା ବେଳେ ଅନ୍ୟ ୨୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ସାମାନ୍ୟ ଆହାତ ହୋଇଥିବା ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା। ବଡଚଣା ପୋଲିସ ଘଟଣା ସ୍ଥଳରେ ରହି ଓଲଟି ପଡିଥିବା ବସଟିକୁ ରାସ୍ତାରୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *