ଚକଡ଼ା ପୋକ ଜନିତ ଚାଷୀ ଆତ୍ମହତ୍ୟା ବିରୁଦ୍ଧରେ ଓ ୨୩ ଦଫା ଦାବି ନେଇ ଭାରତୀୟ କିଶାନ ସଂଘର ବିକ୍ଷୋଭ

ସମ୍ବଲପୁର, ୧୩/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଆଜି ସୋମବାର ଦିନ ଭାରତୀୟ କିଶାନ ସଂଘ ତରଫରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବକ୍ତାମାନେ ଏମଏସ୍ପି ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରର୍ଯ୍ୟାପ୍ତ ବୋନସ ଘୋଷଣା, ରାଜନୀତିରୁ ଉଦ୍ଧ୍ୱର୍ରେ ରହି କେନ୍ଦ୍ର ଓ ରାଜ୍ୟର କୃଷିମନ୍ତ୍ରୀଙ୍କ ଦ୍ୱାରା ମିଳିମିଶି ଚାଷୀଙ୍କ ସମସ୍ୟାର ସମାଧାନ, ଚାଷୀଙ୍କୁ ଜଳସେଚନ, ବଜାର ପ୍ରଭୃତି ଆନୁସାଙ୍ଗିକ ସୁବିଧା ବ୍ୟବସ୍ଥା କରାନଗଲେ ଚାଷୀମାନେ ତା’ର ଜବାବ ଦେବେ ବୋଲି ଚେତାବନୀ ଦେଇଥିଲେ। ସଭାରେ ଓଡ଼ିଶାର ୧୧ଟି ଜିଲ୍ଲାରୁ ପ୍ରାୟ ହଜାର ହଜାର ଚାଷୀ ଏକତ୍ରିତ ହୋଇ ବର୍ତ୍ତମାନ ସ୍ଥିତିରେ ଚାଷୀର ଅସୁବିଧା, ମରୁଡ଼ି ଘୋଷଣା, ଚକଡ଼ା ପୋକର ନିରାକରଣ ବ୍ୟବସ୍ଥା, ତା’ସହ ଜଳସେଚନ, ଶୀତଳଭଣ୍ଡାର, କୃଷକ ପାଇଁ କୃଷକ ଭବନ, ଚିନି କଳ, ସୂତାକଳ ପୁନଃ ଉଦ୍ଧାର, ଧାନର ଏମଏସ୍ପି ୫୦୦ ଟଙ୍କା ବୋନସ, ପ୍ରତ୍ୟେକ କୃଷି ଉତ୍ପାଦିତ ପଦାର୍ଥର ଲାଭକାରୀ ମୂଲ୍ୟ, ଚାଷୀ ଆତ୍ମହତ୍ୟା ପରି ସମ୍ବେଦନଶୀଳ ବିଷୟକୁ ରାଜନୀତିରୁ ଉଦ୍ଧ୍ୱର୍ରେ ବିଚାର କରିବା, ଜୈବିକ କୃଷିକୁ ପ୍ରାଧାନ୍ୟ ଦେବା ଆଦି ବିଷୟକୁ ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ତହିଁରେ ଦିଲ୍ଲୀସ୍ଥିତ ସର୍ବଭାରତୀୟ କିଶାନ ସଂଘର ରାଷ୍ଟ୍ରୀୟ ସମ୍ପାଦକ ମୋହିନୀ ମୋହନ ମିଶ୍ର, ଭାରତୀୟ କିଶାନ ସଂଘ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ରାଧାକୃଷ୍ଣ ମେହେର, ସାଧାରଣ ସମ୍ପାଦକ ଜାନକୀ ବଲ୍ଳଭ ସ୍ୱାଇଁ, ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ପ୍ରଦୀପ ମହନ୍ତ, ଜୟଶ୍ୱର କର୍ଣ୍ଣ, କୁଶ ପଣ୍ଡା, କୈଳାସ ବାରିକ, ସୂର୍ଯ୍ୟ କୁମାର ପୁରୋହିତ ଓ ଜିଳ୍ଲା ସ୍ତରୀୟ କାର୍ଯ୍ୟକାରୀ ସଭାପତି ସୁଶୀଲ ବାରିକ, ଅପର୍ଣ୍ଣା ବାଗ, ବରଗଡ଼ ଜିଲ୍ଲା ସଭାପତି ଶ୍ରୀମୁଖ ପ୍ରଧାନ, ଜିଲ୍ଲା ସଂଯୋଜକ କେଦାରନାଥ ମିଶ୍ର, ବଲାଙ୍ଗିର ଜିଲ୍ଲାରୁ ସ୍ୱାଧୀନ ମିଶ୍ର, ବୌଦ୍ଧର ବିଶିକେଶନ ପ୍ରଧାନ, ଭୋଳଗିରି ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଦାବିଗୁଡ଼ିକ ହେଲା କୃଷକକୁ ତାର ଉତ୍ପାଦନର ଲାଭକାରୀ ମୂଲ୍ୟ, କୃଷକ ସଂଗଠନ ପ୍ରତିନିଧିମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇ ମିଳୁ, ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ, ଜୈବିକ କୃଷିକୁ ସମ୍ପୂର୍ଣ୍ଣ ସରକାରୀ ପ୍ରୋତ୍ସାହନ ମିଳୁ ଓ ରାଜ୍ୟରେ ତୁରନ୍ତ ଦୁଇଟି ଜୈବିକ କୃଷି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା କରାଯାଉ, ସ୍ଥାନୀୟ ହାଟକୁ ସୁଦୃଢ଼ କରାଯାଉ, କୃଷକ ପାଇଁ ନିର୍ଦ୍ଧାରିତ ସମସ୍ତ ଅନୁଦାନ ସିଧା କୃଷକର ବ୍ୟାଙ୍କ ଖାତାକୁ ଯାଉ, ମରୁଡ଼ି କ୍ଷତିପୂରଣ ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଉ, ବିନା ସୁଧରେ ଚାଷୀମାନଙ୍କୁ ଋଣ ପ୍ରଦାନ କରାଯାଉ ଓ ଋଣ ଛାଡ଼ କରାଯାଉ, ଧାନର ବର୍ତ୍ତମାନର ଏମଏସପି ଉପରେ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୋନସ ରାଜ୍ୟ ସରକାର ଦିଅନ୍ତୁ, ହୀରାକୁଦ ବନ୍ଧର ରାଇଟ ଡାଇକ ଧରରୁକୁସୁମ ଠାରୁ ଏକ କେନାଲ ବାହାର କରାଯାଇ ବରଗଡ଼ ଜିଲ୍ଲାର ଭଟଲି, ବିଜେପୁର, ଅମ୍ବାଭୋନା, ସୋହେଲା ଓ ଗାଈସିଲେଟର ଚାଷଜମିକୁ ଜଳସେଚିତ କରାଯାଉ, ମହାନଦୀ ଜଳ ଠୋକ କେନାଲରେ ପକାଇ ସୋନପୁର ଜିଲ୍ଲାର ଉଲୁଣ୍ଡା ଓ ବୀରମାହାରାଜପୁର ବ୍ଲକକୁ ପାଣି ଯୋଗାଯାଉ, ହୀରାକୁଦ ଡ୍ୟାମର କିଲାସମାରେ ନିର୍ମାଣ ହେଉଥିବା ଉପଜଳସେଚନ ପ୍ରକଳ୍ପକୁ ମେଗା ପ୍ରୋଜେକ୍ଟରେ ପରିଣତ କରି ରେଙ୍ଗାଲି, ଧନକଉଡ଼ା ଓ ମାନେଶ୍ୱର ବ୍ଲକକୁ ଜଳସେଚିତ କରାଯାଉ, ତେଲ ନଦୀ ଉପରେ ଗୌଡ଼ତୋଲା ଠାରେ ଏକ ଡ୍ୟାମ ନିର୍ମାଣ କରାଯାଇ ବୌଦ୍ଧ, ସୋନପୁର, କଳାହାଣ୍ଡି ଓ ବଲାଙ୍ଗିରକୁ ଜଳସେଚନ କରାଯାଉ, ଅଏଲ ଓଡ଼ିଶାକୁ ପୁନର୍ଗଠନ କରାଯାଇ ଚାଷୀଙ୍କୁ ଚିନାବାଦାମ ଓ ସୋରିଷ ଚାଷ ପାଇଁ ପ୍ରୋତ୍ସାହନ ମିଳୁ, ଫସଲର କିଣା ମୂଲ୍ୟଠାରୁ ବଜାର ମୂଲ୍ୟ କେତେଗୁଣ ହେବା ଉଚିତ ସରକାର ଚାଷୀ ସଂଗଠନ ଓ ବେପାରୀ ସଂଘ ସହ ଆଲୋଚନା କରି ନିର୍ଣ୍ଣୟ କରନ୍ତୁ, ତା’ଠାରୁ ଅଧିକ ହେଲେ ବିକ୍ରି କରୁଥିବା ବେପାରୀଙ୍କୁ କଠୋର ଦଣ୍ଡ ବ୍ୟବସ୍ଥା ହେଉ, ବଲାଙ୍ଗିର ଜିଲ୍ଲାର ଦେଓଗାଁ ଠାରେ ଥିବା ଚିନିକଳର ପୁନରୁଦ୍ଧାର ସହ ଆଖୁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉ, ରାଜ୍ୟର ଅଣଜଳସେଚିତ ପ୍ରତ୍ୟେକ ଅଞ୍ଚଳକୁ ମରୁଡ଼ି ଘୋଷଣା କରି କୃଷକକୁ କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରାଯାଉ, ବରଗଡ଼, ସୋନପୁର ଓ ଢ଼େଙ୍କାନାଳ ଜିଲ୍ଲାର ସୂତାକଳଗୁଡ଼ିକୁ ପୁନରୁଦ୍ଧାର କରି କାର୍ଯ୍ୟକାରୀ କରାଯାଉ, ଚାଷୀମାନଙ୍କୁ ମିଳୁଥିବା କ୍ଷତିପୂରଣ ରାଶି ବଢ଼ାଯାଉ, ଚକଡ଼ା ପୋକ ରୋଗକୁ କୃଷି ବୀମାଭୁକ୍ତ କରାଯାଉ ଓ ଚକଡ଼ା ପୋକ ହୋଇଥିବା ଅଞ୍ଚଳର ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଉ, ସମ୍ବଲପୁର ମହାନଗର ନିଗମକୁ ଚକର ଅନ୍ତର୍ଭୁକ୍ତ କରାନଯାଉ, ରେଙ୍ଗାଲିର ଦକ୍ଷିଣପାର୍ଶ୍ୱ ଓ ବାମପାର୍ଶ୍ୱ କେନାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ, ନକଲି ବିହନ, ସାର ଓ ଔଷଧ ବିକ୍ରିକରୁଥିବା କମ୍ପାନୀ ଓ ବେପାରୀମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଯୋଗାଯୋଗର ସୁବିଧା ଦୃଷ୍ଟିରୁ ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧୀନକୁ ଅଣାଯାଉ ଓ ବୌଦ୍ଧ ଜିଲ୍ଳାର ସାଲୁଙ୍କି ନଦୀ ଉପରେ ଗୁରୁଜୀମୁଣ୍ଡା ଠାରେ ଏକ ବହୁମୁଖୀ ଜଳଭଣ୍ଡାର ନିର୍ମାଣ କରାଯାଇ ଜିଳ୍ଲାକୁ ମରୁଡ଼ିମୁକ୍ତ କରାଯାଉ ପ୍ରଭୃତି ଦାବି ଏଥିରେ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ରକୁ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଠାରେ ସଂଘର ଏକ ପ୍ରତିନିଧି ଦଳ ହସ୍ତାନ୍ତର କରିଥିଲେ।

Leave a Reply

Your email address will not be published. Required fields are marked *