ଘୋଷଣା ସର୍ବସ୍ୱ ନବୀନ ସରକାର ଯୋଗୁ ନବରଙ୍ଗପୁର ମକା ଚାଷୀ ଅଭାବୀ ବିକ୍ରୀର ଶୀକାର : ବିଜେପି

– ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ମକା ଚାଷ ପାଇଁ ଯେଉଁ ଯୋଜନା ଓ ସମୟ ଧ୍ୟାର୍ଯ୍ୟ କରିଥିଲେ, ଯଦି ତାହା କାର୍ଯ୍ୟକାରୀ ହୋଇଥାନ୍ତା ଜିଲ୍ଲାର ମକା ଚାଷୀ ମାନଙ୍କୁ ବିପର୍ଯ୍ୟୟର ସାମନା କରିବାକୁ ପଡି ନ ଥାନ୍ତା
– ୧୪.୧୦.୨୦୧୫ରେ ମକା ମିଶନ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଓ ୨୨.୦୭.୨୦୧୬ରେ ନବରଙ୍ଗପୁର ଜିଲ୍ଲାର ବିକାଶ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଶୀର୍ଷକ ଦୁଇଟି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନାମାକୁ ଗଣମାଧ୍ୟମରେ କଲେ ଉପସ୍ଥାପିତ
– ୨୦୦୪ରେ ମନସାଂଟୋ ସହିତ ହୋଇଥିବା ଏମଓୟୁ କୁଆଡେ ଗଲା ?
– ସିସୋର ସହ ଏମଓୟୁ ପରେ କମ୍ପାନୀ ସରକାରୀ ସୁବିଧା ନେଇ ପଳାଇ ଯାଇଥିବା ବେଳେ ସରକାର ନୀରବ କାହିଁକି ?

ଭୁବନେଶ୍ୱର, ତା.୨୦/୧୨ (ଓଡ଼ିଆ ପୁଅ) : ନବରଙ୍ଗପୁର ଜିଲ୍ଲାରେ ମକା ଚାଷୀ ଅଭାବୀ ବିକ୍ରୀର ଶୀକାର ହେଉଥିବା ବେଳେ ଜିଲ୍ଲାର ଚାଷୀଙ୍କ ଦୁର୍ଦଶା ପାଇଁ ଘୋଷଣା ସର୍ବସ୍ୱ ନବୀନ ସରକାର ଦାୟୀ ବୋଲି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ମସିହାରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବା ପରେ ମକା ଚାଷ ପାଇଁ ଯେଉଁ ଯୋଜନା ଓ ସମୟ ଧ୍ୟାର୍ଯ୍ୟ କରିଥିଲେ ଯଦି ତାହା କାର୍ଯ୍ୟକାରୀ ହୋଇଥାନ୍ତା ଜିଲ୍ଲାର ମକା ଚାଷୀ ମାନଙ୍କୁ ବିପର୍ଯ୍ୟୟର ସାମନା କରିବାକୁ ପଡି ନ ଥାନ୍ତା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ୧୪.୧୦.୨୦୧୫ରେ ମକା ମିଶନ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଓ ୨୨.୦୭.୨୦୧୬ରେ ନବରଙ୍ଗପୁର ଜିଲ୍ଲାର ବିକାଶ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଶୀର୍ଷକ ଦୁଇଟି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନାମାକୁ ଗଣମାଧ୍ୟମ ସାମନାରେ ଶ୍ରୀ ମହାନ୍ତି ଉପସ୍ଥାପିତ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ପ୍ରଥମ ଘୋଷଣା ନାମାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଲିଖିତ ଭାବରେ କୁହା ଯାଇଥିଲା ଯେ, ନବରଙ୍ଗପୁର ଜିଲ୍ଲାରେ ‘ମକା ଚାଷର ବିକାଶ ଓ ଏହାର ବଜାର ସଂଯୋଗର ସଂପ୍ରସାରଣ ପାଇଁ ମକା ମିଶନ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।’ ଦ୍ୱିତୀୟ ଘୋଷଣା ନାମାରେ ମକା ମିଶନ ଅଧୀନରେ ଏକ ମକା ପ୍ରକ୍ରିୟାକରଣ କେନ୍ଦ୍ର ଫେବୃଆରୀ ୨୦୧୬ ମସିହାରେ କାର୍ଯ୍ୟକାରୀ କରାଯାଇଛି ବୋଲି କୁହାଯାଇଥିଲା। ଦୁଇଟି ଘୋଷଣାନାମାକୁ ଯଦି ସତରେ କାର୍ଯ୍ୟକାରୀ କରାଯାଇଥାନ୍ତା ତା ହେଲେ ମକା ଚାଷୀଙ୍କୁ ଦୁର୍ଦିନର ସାମନା କରିବାକୁ ପଡି ନ ଥାନ୍ତା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହା ସହ ରାଜ୍ୟ ସରକାର ମକା ମଣ୍ଡି ଖୋଲିଥିବା ବେଳେ ନିଜ ଘୋଷିତ ସହାୟକ ମୂଲ୍ୟ କାହିଁକି ଦେଉ ନାହାନ୍ତି ଓ ଏଥି ପାଇଁ ଚାଷୀମାନଙ୍କୁ ରାଜରାସ୍ତାରେ ଠିଆ ହୋଇ ପ୍ରତିବାଦ କରିବାକୁ କାହିଁକି ବାଧ୍ୟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ମକା ଚାଷ ନେଇ ସରକାରଙ୍କ ପୁରୁଣା ଘୋଷଣାନାମାକୁ ମନେ ପକାଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ବହୁରାଷ୍ଟ୍ରୀୟ କମ୍ପାନୀ ମନସାଂଟୋ ସହିତ ମକା ଚାଷ ଓ ମକା ପକ୍ରିୟାକରଣ ନେଇ ରାଜ୍ୟ ସରକାର କରିଥିବା ଯୋଜନା ୨୦୦୪ ମସିହାରୁ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ଚିଟ ଫଣ୍ଡ କମ୍ପାନୀ ସିସୋର ସହ ଓଡିଶା ସରକାର ମକା ଚାଷ ଓ ପ୍ରକ୍ରିୟାକରଣ ପାଇଁ ବୁଝାମଣା କରିଥିବା ବେଳେ ଏହି ଠକ ଚିଟଫଣ୍ଡ କମ୍ପାନୀ ସରକାରଙ୍କ ଅହେତୁକ ଅନୁକମ୍ପାର ଲାଭ ଉଠାଇ ପଳାଇ ଯାଇଥିବା ବେଳେ ମକା ଚାଷ ଓ ପ୍ରକ୍ରିୟାକରଣ ପାଇଁ ରାଜ୍ୟ ସରକାର ଚାଷୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏହାର ବିକଳ୍ପ ବ୍ୟବସ୍ଥା କାହିଁକି କଲେ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଗୋବିନ୍ଦ ଦାସ ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *