ଅନୁଗୁଳ

ଘାତକ କ୍ୟାନସରରେ ଆକ୍ରାନ୍ତ ଅରମାନ୍ ଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

ତାଳଚେର,୭/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯଦି କୋମଳମତି ବୟସରେ ଘାତକ ରୋଗ ମାଡ଼ି ବସେ ତେବେ ଏହାକୁ ପ୍ରକୃତିର ବିଡ଼ମ୍ବନା ହିଁ କୁହାଯିବ । ତେବେ ସେହି ରୋଗକୁ ଯଦି ଉପଚାର କରିବାର ଅର୍ଥ ପାଖରେ ନଥିବ ତେବେ ତାଠାରୁ କଷ୍ଟ ବୋଧେ ଜୀବନରେ ଆଉ କିଛି ନଥିବ । ବିଶେଷ କରି ଏପରି ଦୂରାରୋଗ୍ୟ ରୋଗରେ ପଡ଼ିଥିବା ପୁଅର ମାତାପିତା ଟଙ୍କା ଖର୍ଚ୍ଚ କରି କରି ନୟାନ୍ତ ହୋଇଗଲେ ମଧ୍ୟ ଦିନକୁ ଦିନ ଅଧିକ ଅର୍ଥର ଆବଶ୍ୟକତା ସେମାନଙ୍କୁ ତଟସ୍ଥ କରି ଦେଇଥାଏ । କେଉଁଠୁ ଟଙ୍କା ଆସିବ ଏବଂ ପୁଅର ଚିକିତ୍ସା କରାଯିବ ତାହାର ଚିନ୍ତା ହିଁ ସଦସର୍ବଦା ଘେରି ରହିଥାଏ ଅଭିଭାବକଙ୍କୁ । ଏପରି ଏକ ହୃଦୟସ୍ପର୍ଷୀ ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ପୈାରାଂଚଳ ଅନ୍ତର୍ଗତ ହାଟତୋଟା ଅଂଚଳରେ । ସ୍କୁଲ ଯିବା ତଥା ଖେଳିବା,ବୁଲିବା ସମୟରେ ହିଁ ନାବାଳକ ଜଣକ ବ୍ରେନ ଟୁ୍ୟମରର ଶୀକାର ହୋଇଛନ୍ତି । ଯାହାକି ପରବର୍ତୀ ସମୟରେ କ୍ୟାନସରରେ ରୁପାନ୍ତରିତ ହୋଇଛି । ଏହିପରି ଦୁର୍ଭାଗ୍ୟଜନକ ଜୀବନ କାଟୁଥିବା ବ୍ୟକ୍ତି ଜଣକ ହେଲେ କାବୁଲି ଜେନା । ପେଷାରେ ଜଣେ ଗାଡ଼ିଚାଳକ । ମୂଳତଃ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁଲେଇ ଗ୍ରାମର ବାସିନ୍ଦା । ଏବେ ତାଳଚେରର ହାଟତୋଟା ଅଂଚଳରେ ରହି ଏକ ବେସରକାରୀ ଗାଡ଼ି ଚଳାଉଛନ୍ତି । ପରିବାର କହିଲେ ସ୍ତ୍ରୀ ଅବନ୍ତୀ ଜେନା ଏବଂ ଦୁଇଟି ପୁଅ । ତେବେ ଆରମ୍ଭରୁ ସବୁ ଠିକ୍ ଠାକ୍ ଚାଲିଥିବା ବେଳେ ଦିନେ ଯେପରି ତାଙ୍କର ହସିଖୁସିର ପରିବାରକୁ ଗ୍ରହଣ ଲାଗି ଯାଇଥିଲା । ଯେତେବେଳେ ମାତ୍ର ୯ବର୍ଷ ଚାରିମାସ ବୟସରେ ବଡ଼ ପୁଅ ଅରମାନ ବ୍ରେନ୍ ଟୁ୍ୟମରରେ ଆକ୍ରାନ୍ତ ହୋଇଗଲା । ବର୍ତମାନ ଅରମାନକୁ ୧୩ ବର୍ଷ ହେଲାଣି । ଯଦିଓ ସେ ନିଜର ଦୁରାରୋଗ୍ୟ ସମ୍ପର୍କରେ ଜାଣିନାହାନ୍ତି । କିନ୍ତୁ ଏଥିଯୋଗୁଁ ପାଉଥିବା କଷ୍ଟକୁ ଅନୁଭବ କରୁଛନ୍ତି । ସପ୍ତମ ଶ୍ରେଣୀରେ ନାମ ଲେଖାଇଥିଲେ ସୁଦ୍ଧା ଚିକିତ୍ସିତ ହେଉଥିବା ଯୋଗୁଁ ଆଉ ସ୍କୁଲକୁ ଯାଇ ପାରୁନାହାନ୍ତି । ଅପରପକ୍ଷେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ସତ୍ୱେ କାବୁଲି ନିଜ ପୁଅର ଉପଯୁକ୍ତ ଚିକିତ୍ସା କରିବାକୁ ଦିନରାତି ଏକ କରି ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏକ ଘରୋଇ ହସପିଟାଲରେ ପୁଅ ମୁଣ୍ଡର ଆଗ ଓ ପଛ ପଟରେ ୨ ଥର ଅପରେସନ କରାଇଲେ । ଯାହାକି ସହଜ ନଥିଲା । ଜମିବାଡ଼ି ବିକ୍ରି,ଧାର ଉଧାର କରିବାସହ ଘର ଜିନିଷପତ୍ର ବନ୍ଧା ପକାଇ ପୁଅର ଅପରେସନ କରାଇଥିଲେ । ଭାବିଥିଲେ ପୁଅ ଏଥର ସୁସ୍ଥ ହୋଇଯିବ । କିନ୍ତୁ ବିଧିର ବିଧାନ ବିଚିତ୍ର । କିଛି ମାସର ବ୍ୟବଧାନ ପରେ ତାହା ଘାତକ କ୍ୟାନସର ରୋଗକୁ ରୁପାନ୍ତରିତ ହୋଇଥିଲା । ରୋଗ ଏବେ ଜଟିଳ ଅବସ୍ଥାରେ ପହଂଚିଥିବା ବେଳେ ଡାକ୍ତରୀ ପରାମର୍ଶ ଅନୁସାରେ ଅରମାନର ଏବେ କେମୋଥେରାପି ଚିକିତ୍ସା ଆଚାର୍ଯ୍ୟ ହରିହର କ୍ୟାନସର ଚିକିତ୍ସାଳୟରେ ଜାରି ରହିଛି । ତେବେ ଅଦ୍ୟାବଧି ୧୭ରୁ ୧୮ଲକ୍ଷ ଟଙ୍କା ଅର୍ଥ ଖର୍ଚ୍ଚ କରି ସାରିଥିବା ଏହି ପରିବାର ଏବେ ପୁଅର ଅଧିକ ଚିକିତ୍ସା କରିବାକୁ ଅସମର୍ଥ ପ୍ରାୟ ହୋଇଗଲେଣି । ଏପରି ସ୍ଥଳେ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି,ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଠାରୁ ଆର୍ଥିକ ସହାୟତା ମିଳି ପାରିଲେ ଅରମାନର ଜୀବନ ରକ୍ଷା ହୋଇପାରିବ ବୋଲି ସମାଜସେବୀ ବାପି ମହାନ୍ତି ଆଶାବ୍ୟକ୍ତ କରିଛନ୍ତି । କାବୁଲିଙ୍କ ମୋବାଇଲ ନଂ -୯୯୩୭୪୨୬୬୬୨ ରେ ଯୋଗାଯୋଗ କରି ଷ୍ଟେଟ୍ ବ୍ୟାଙ୍କ ଆକାଉଂଟ ଆଇ.ଏଫ୍.ଏସ୍.ସି କୋଡ଼ ଏସ୍.ବି.ଆଇ.ଏନ୍ ୦୦୧୦୨୪୬, ଆକାଉଂଟ ନଂ-୩୫୭୯୧୫୭୭୧୬୮ରେ ଅର୍ଥ ରାଶି ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top