ଓଡ଼ିଶା

ଘାଇ ମରାମତି ସତ୍ତ୍ୱେ ଶାସନ କେନାଲର ତଳମୁଣ୍ଡରେ ପାଣି ନ ପହଞ୍ଚିବାରୁ ଚିନ୍ତାରେ ଚାଷୀ

ସମ୍ବଲପୁର, ୨୦/୨ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ସଦର ସବ୍ଡ଼ିଭିଜନ ଅନ୍ତର୍ଗତ ହୀରାକୁଦ ବନ୍ଧରୁ ବାହାରି ଥିବା ଶାସନ ମୁଖ୍ୟ କେନାଲର ହେଡ଼୍ ରେଗୁଲେଟର ପାଖରେ ଗତ ୧୦ ତାରିଖ ଦିନ ବଡ଼ଧରଣର ଘାଇ ହୋଇଥିଲା। ତାଲବ – ବଲବସପୁର ପାଖ ସାଇଫନ୍ରେ ହୋଇଥିବା ଏହି ଘାଇ ଯୋଗୁଁ ଏବେ ମଧ୍ୟ ସ୍ୱାଭାବିକ ଅବସ୍ଥା ଫେରିନାହିଁ। କେନାଲରେ ମରାମତି ଉତ୍ତାରୁ ଧାର୍ଯ୍ୟ ୬୩୦ କ୍ୟୁସେକ ପାଣି ଛଡ଼ା ଯାଉଥିଲେ ମଧ୍ୟ ତଳ ମୁଣ୍ଡରେ ଏହା ପହଞ୍ଚି ପାରି ନାହିଁ। ଫଳରେ ହଜାର ହଜାର ଏକଡ଼ ଜମିରେ ରୋପଣ କରାଯାଇଥିବା ଧାନ ଓ ପଲ୍ହାକୁ ପାଣି ମିଳିପାରୁ ନଥିବା ଅଭିଯୋଗ ହୋଇଛି। ଯଦ୍ୱାରା ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଶାସନ କେନାଲର ପାଣି ପରମାଣପୁର ଡିଷ୍ଟ୍ରିବ୍ୟୁଟାରୀରୁ ମାନେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳକୁ ପହଞ୍ଚି ପାରିନଥିବା ଅଭିଯୋଗ ନେଇ ଆଜି ସେ ଅଞ୍ଚଳର ବହୁ ସଂଖ୍ୟକ ଚାଷୀ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ପ୍ରମୁଖଙ୍କୁ ବଲବସପୁର ଘାଇ ହୋଇଥିବା ସ୍ଥାନରେ ଭେଟି ଉଦ୍ବେଗ ପ୍ରକାଶ କରିଥିଲେ। ଅସନ୍ତାକାଲି ସୁଦ୍ଧା ପାଣି ନ ପହଞ୍ଚିଲେ ଆନ୍ଦୋଳନ କରାଯିବ ବୋଲି ଏହି ଚାଷୀ ପ୍ରତିନିଧିମାନେ ଚେତାବନୀ ଶୁଣାଇଛନ୍ତି। ମାନେଶ୍ୱର, ବଦୁଆପାଲି, ଛତାବର, ସାହାସପୁର, କଟକ ରୋଡ଼ର ବିଭିନ୍ନ ଗ୍ରାମରେ ଚାଷ କାର୍ଯ୍ୟ ଆରମ୍ଭରୁ ପାଣି ପହଞ୍ଚି ନଥିବା ଯୋଗୁଁ ଚାଷ ଜମି ଓ ପଲ୍ହା ଘାରି ଏକପ୍ରକାର ଶୁଖିଲା ଅବସ୍ଥାକୁ ଆସିଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ପ୍ରତିନିଧି ଦଳରେ ଜଗନ୍ନାଥ ଦିକ୍ଷୀତ, ସୁଶାନ୍ତ ପଣ୍ଡା, ଯୋଗେଶ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ କେନାଲ ଘାଇ ଯୋଗୁଁ କ୍ଷତିଗ୍ରସ୍ତ ଜମି ନେଇ ଯୁଗ୍ମ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ସ୍ଥିର କରିଥିବା ଜଣାପଡ଼ିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ରିଲିଫ କୋଡ଼୍ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top