ଘର ଭିତରୁ ମହିଳାର ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ଯାଜପୁର,(ଓଡିଆପୁଅ/ମାନସ ରାଉତ):ବୈରୀ ଥାନା ଅନ୍ତର୍ଗତ ସୋଲର ପଞ୍ଚାୟତ ମୂଳିଝର ଗାଁରେ ଘର ଭିତରୁ ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରି ତଦନ୍ତ ଚଳାଇଛି । ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ମୃତ ମହିଳାଙ୍କ ପୁତୁରା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ବାବୁଲି ଗାଗରାଇଙ୍କ ସ୍ତ୍ରୀ ଗଙ୍ଗା ଗାଗରାଇ(୩୦)ର ମୃତଦେହ ତା ଘରଭିତରୁ ପୁଲିସ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା । ବୈରୀ ଥାନାଧିକାରୀ ନିରଞ୍ଜନ ଶବର ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି । ରବିବାର ରାତିରେ ବାବୁଲି ଓ ତାଙ୍କ ସ୍ତ୍ରୀ ଗଙ୍ଗା ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା ଏବଂ ବାବୁଲି ତାକୁ ମାଡ ମାରିଥିବା କୁହାଯାଉଥିବା ବେଳେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବା ପରେ ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ବାବୁଲି ତାର ସ୍ତ୍ରୀକୁ ହତ୍ୟା କରିଥିବା ମୃତ ଗଙ୍ଗାର ପୁତୁରା ଚଗୁ ଗୁଇଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତ । ମୃତଦେହକୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ମିଳିବା ପରେ ମୃତୁ୍ୟର ପ୍ରକୃତ କାରଣ ଲୋକଲୋଚନକୁ ଆସିପାରିବ ବୋଲି ଆଲୋଚନା ହେଉଛି । ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ରକରି ଗଙ୍ଗାକୁ ତାର ସ୍ୱାମୀ ହତ୍ୟା କରିଥିବା ମୃତ ଗଙ୍ଗାର ପୁତୁରା ଥାନାରେ ବୟାନ ରଖିଛନ୍ତି । ପୁଲିସ ଏକ ମାମଲା ଦାୟର କରି ମୃତକର ସ୍ୱାମୀ ବାବୁଲିକୁ ଅଟକ ରଖି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *