ଘରପୋଡି ମାମଲାରେ ଅଭିଯୁକ୍ତଙ୍କୁ ୬ବର୍ଷ ଜେଲ

ଭଦ୍ରକ, ୧୩ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏକ ଘରପୋଡି ମାମଲାର ବିଚାର କରି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଯୁକ୍ତକୁ ୬ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଏହି ଜିଲାର ଧାମନଗର ଥାନା ଭଗବାନପୁର ଗ୍ରାମର ପ୍ରଫୁଲ ବେହେରାଙ୍କର ୨୦୧୩ରେ ସେହି ଗ୍ରାମର ନାଗା ଯେନାଙ୍କ ସହ ଝଗଡା ହୋଇଥିଲା। ଏହି ଶତ୍ରୁତାକୁ ନେଇ ନାଗା ଜେନା ପ୍ରଫୁଲ୍ଲ ବେହେରାଙ୍କ ଘରେ ନିଆଁ ଲଗାଇଦେଇଥିଲେ। ପ୍ରଫୁଲ୍ଲ ଧାମନଗର ଥାନାରେ ଏତଲା ଦେବା ପରେ କେଶ ନଂ ୧୮/୧୩ ରେ ମାମଲା ଋଜୁ ହୋଇଥିଲା। ଘଟଣାର ତଦନ୍ତ କରି ପୁଲିସ ନାଗା ଯେନାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମହଲତ ସ‘ଙ୍କ କୋର୍ଟରେ ମାମଲାର ବିଚାର ହୋଇଥିଲା। କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ନାଗା ଯେନାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତଙ୍କ ଠାରୁ ଆଦାୟ ଜରିମାନା ଅର୍ଥ ପ୍ରଫୁଲ ବେହେରାଙ୍କୁ ଦେବା ନିମିତ୍ତ କୋର୍ଟ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଜତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *