ଘଟଗାଁ ତହସିଲଦାରଙ୍କ ବଦଳି ଉପରେ ରହିତାଦେଶ ଦେଲେ କୋର୍ଟ

କେନ୍ଦୁଝର, ୧୮ା୫(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଲଘୁ ଖଣିଜ ସଂପଦ ଚୋରୀରେ ଲିପ୍ତ ଥିବା ଜଣେ ରାଜନେତାଙ୍କ କ୍ରସର ଏବଂ କ୍ୱାରୀ ଉପରେ ଚଢଉ କରି ଶାସକ ଦଳର ନେତାଙ୍କ ଆକ୍ରୋଶର ଶୀକାର ହୋଇ ଗତ ୨ମାସ ତଳେ ଆସିଥିବା ତହସିଲଦାରଙ୍କ ରାତିଅଧିଆ ହଠାତ୍ ବଦଳି ହୋଇଥିଲା। ଏହି ବଦଳିକୁ ଚ୍ୟାଲେଞ୍ଚ କରି ଘଟଗାଁ ତହସିଲଦାର ମାନ୍ୟବର ସ୍ୟାଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ପକ୍ଷରୁ ଘଟଗାଁ ତହସିଲଦାରଙ୍କ ବଦଳି ଆଦେଶ ଉପରେ ରହିତାଦେଶ ପ୍ରଦାନ କରି ପୂର୍ବବତ ସେ ଘଟଗାଁ ତହସିଲରେ କାର୍ଯ୍ୟ କରିବେ ବୋଲି ଆଦେଶ ପ୍ରଦାନ କରିଛନ୍ତି। ଫଳରେ ଘଟଗାଁ ଅଞ୍ଚଳରେ ଏହି ଘଟଣାକୁ ନେଇ ଆଲୋଚନା ହେବା ସଂଙ୍ଗେ ଆନନ୍ଦର ଲହରୀ ଖେଳିଯାଇଛି। ଘଟଗାଁ ତହସିଲଦାର ପ୍ରମୋଦ କୁମାର ପୃଷ୍ଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଆଧାରରେ ସରକାରୀ ଦଳ ରାଜନେତାଙ୍କ ପୃଷ୍ଠପୋଷକତାରେ ଚାଲିଥିବା କାନ୍ଝାରୀ ଡ୍ୟାମ ନିକଟ ମୁଣ୍ଡାଟାଙ୍ଗର ଗାଁ ନିକଟରେ ଥିବା ବେଆଇନ କ୍ୱାରୀ ଏବଂ କ୍ରସର ଉପରେ ଚଢାଉ କରିଥିଲେ। ପରେ ପରେ କେତେ ଟଙ୍କାର ଲଘୁଖଣିଜ ସଂପଦ କ୍ରସର ମାଲିକ ଇଜିଲାସରେ ଚୋରୀ ହୋଇଛି ତାହାର ଆକଳନ କରି ଡିମାଣ୍ଡ ନୋଟିସ ଜାରୀ କରିଥିଲେ। ଏହି ଘଟଣାଟି ସରକାରୀ ଦଳର ଜଣେ ମନ୍ତ୍ରୀଙ୍କ ପାଖ ଲୋକଙ୍କ ପାଇଁ କାଳ ସାଜିଥିଲା। ତେଣୁ ସେ ଉପରେ ଚାପ ପକାଇ ଘଟଗାଁ ତହସିଲଦାରଙ୍କୁ ଅନ୍ୟତ୍ର ବଦଳୀ କରିବାରେ ସଫଳ ହୋଇଥିଲେ। ଘଟଗାଁ ତହସିଲଦାର ପ୍ରମୋଦ କୁମାର ପୃଷ୍ଟି ତାଙ୍କର ବଦଳୀ ସଂପର୍କରେ ଗତ ୧୦ତାରିଖ ନିର୍ଦ୍ଦେଶନାମା ପାଇଥିଲେ। ଏହି ବଦଳୀ ଆଦେଶ ବିରୋଧରେ ଶ୍ରୀ ପୃଷ୍ଟି ମାନ୍ୟବର ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ଏହି ବଦଳୀ ଆଦେଶ ଉପରେ ୧୬ତାରିଖ ବୁଧବାର ଦିନ ରହିତାଦେଶ ପ୍ରକାଶ କରିଥିବାବେଳେ ସ୍ଥିତାବସ୍ଥା ଆଦେଶ ପ୍ରଦାନ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ଦକ୍ଷ ଏବଂ ସଚ୍ଚୋଟ ଅଧିକାରୀଙ୍କ ବିରୋଧରେ ସରକାରୀ ଦଳର ଆକ୍ରୋଶମୂଳକ ଭୂମିକାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଏହି ପଦକ୍ଷେପ ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରିବ ବୋଲି ପିସିସି ସଂପାଦକ ଆଲୋକ ମିଶ୍ର ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *