– ସାନ ନଇରୀ ଗ୍ରାମର ଗୋଲକ ଚନ୍ଦ୍ର ବେହେରାଙ୍କ ଘରେ ରାତ୍ର ଭୋଜନ ଏବଂ ରାତ୍ରୀ ଯାପନ
– କେନ୍ଦ୍ର ସରକାରଙ୍କ ସବୁ ଗ୍ରାମାଭିମୁଖୀ ଜନକଲ୍ୟାଣ ଯୋଜନା ଗୁଡ଼ିକ ସଠିକ ଭାବରେ ଲୋକଙ୍କ ପାଖରେ ପହଂଚିବା ଉଚିତ – ଜୁଏଲ ଓରାମ
ଭୁବନେଶ୍ୱର, ତା.୪.୫.୨୦୧୮ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ଦେଶ ବ୍ୟାପୀ ଗ୍ରାମ ସ୍ୱରାଜ ଅଭିଯାନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ସାନ ନଇରୀ ଗ୍ରାମକୁ ଗସ୍ତ କରିଥିଲେ। ମନ୍ତ୍ରୀ ଶ୍ରୀ ଓରାମ ଗତକାଲି ଗୁରୁବାର ଦିନ ସାନ ନଇରୀ ଗ୍ରାମର ଗୋଲକ ବେହେରାଙ୍କ ଘରେ ରାତ୍ରୀ ଭୋଜନ କରିବା ସହିତ ରାତ୍ରୀ ଯାପନ ମଧ୍ୟ କରିଥିଲେ। ଶ୍ରୀ ବେହେରାଙ୍କ ପରିବାର ବର୍ଗଙ୍କ ଆତିଥ୍ୟ ତଥା ଆପଣାର ଭାବନାରେ ମନ୍ତ୍ରୀ ଶ୍ରୀ ଓରାମ ଅତ୍ୟନ୍ତ ଖୁସି ହୋଇଥିଲେ। ରାତ୍ର ସମୟ ହୋଇଥିଲେ ମଧ୍ୟ ସାନ ନଇରୀ ଗ୍ରାମବାସୀମାନେ ଶ୍ରୀ ଓରାମଙ୍କୁ ଅତ୍ୟନ୍ତ ଆନନ୍ଦର ସହିତ ବାଜା ବଜାଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଆଜି ଶୁକ୍ରବାର ସକାଳେ ମନ୍ତ୍ରୀ ଶ୍ରୀ ଓରାମ ଚିଲିକା ମଧ୍ୟସ୍ଥ କଙ୍କଣ ଶିଖରୀ ପୀଠ (ଯାହାକି ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଦଳା ପାଞ୍ଜିର ୧୭୩୧ ମସିହାର ଲୀଳାକ୍ଷେତ୍ର) ଯାଇ ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ।
ଆଜି ସକାଳ ୧୧ ଘଟିକା ସମୟରେ ସାନ ନଇରୀଠାରେ ଆୟୋଜିତ ଏକ ସାଧାରଣ ସଭାରେ ମନ୍ତ୍ରୀ ଶ୍ରୀ ଓରାମ ଉଦବୋଧନ ଦେଇ କେନ୍ଦ୍ ରସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡ଼ିକ ବିଷୟରେ ଅବଗତ କରାଇଥିଲେ। ଶ୍ରୀ ଓରାମ କହିଥିଲେ ଯେ, ଗ୍ରାମାଂଚଳର ଅସୁବିଧା ସମ୍ପର୍କରେ ମୁଁ ଭଲ ଭାବେ ଜାଣିଛି। ମୁଁ ଜଣେ ଗରୀବ ଘରୁ ଜନ୍ମ ନେଇଥିବାରୁ ଗରୀବ କ’ଣ ତାହା ମୁଁ ନିଜେ ଅଙ୍ଗେ ନିଭାଇଛି। ବହୁ ଘାତ ପ୍ରତିଘାତ ସତ୍ୱେ ସାଧାରଣ ଜନତା ତଥା ଭଗବାନଙ୍କ ଆର୍ଶିବାଦରୁ ଆଜି କେନ୍ଦ୍ରରେ ମନ୍ତ୍ରୀ ହୋଇ ଆପଣମାନଙ୍କର ସେବା କରିବା ପାଇଁ ସୁଯୋଗ ମିଳିଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜଣେ ଚା ବିକାଳିରୁ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ତେଣୁ ସେ ସର୍ବଦା ଗ୍ରାମାଂଚଳର ବିକାଶ ପାଇଁ ଦୃଷ୍ଟି ଦେଇଆସିଛନ୍ତି। ତେଣୁ ଗ୍ରାମାଂଚଳର ମହିଳା, ଶିଶୁ, ଛାତ୍ରଛାତ୍ରୀ, ଯୁବକଯୁବତୀ, କୃଷକ, ଆଦିବାସୀ, ହରିଜନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଆଦି ସମସ୍ତ ବର୍ଗଙ୍କର ବିକାଶ ପାଇଁ ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି। ସେହି ଯୋଜନାଗୁଡ଼ିକ ଯଦି ଠିକଭାବରେ କାର୍ଯ୍ୟକାରୀ ହୋଇପାରିବ ନିଶ୍ଚିତ ଭାବରେ ଗ୍ରାମର ବିକାଶ ହେବା ସହିତ ପରିବର୍ତ୍ତନ ହୋଇପାରିବ। ତେଣୁ ମୋଦୀଙ୍କର ସମସ୍ତ ଯୋଜନାଗୁଡ଼ିକୁ ସାଧାରଣ ଜନତାଙ୍କ ପାଖରେ ପହଂଚାଇବା ଏବଂ ସାଧାରଣ ଜନତା ସେଥିରୁ କିପରି ଲାଭାନ୍ୱିତ ହୋଇପାରିବେ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ଶ୍ରୀ ଓରାମ କହିଥିଲେ। ଶେଷରେ ଶ୍ରୀ ଓରାମ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଚୟନ ହୋଇଥିବା ହିତାଧିକାରୀମାନଙ୍କୁ ସେମାନଙ୍କର କାଗଜପତ୍ର ପ୍ରଦାନ କରିବା ସହିତ ଗ୍ୟାସଚୂଲା, ସିଲିଣ୍ଡର ଓ ତା’ର ଉପକରଣ ବଂଟନ କରିଥିଲେ।
