ଗ୍ରାମ ସମୃଦ୍ଧି ଏବଂ ସ୍ୱଚ୍ଛତା ପକ୍ଷ ପାଳନ ପ୍ରସ୍ତୁତି ବୈଠକ

ଦେବଗଡ ୨୨-୯ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦେଶମତେ ଆସନ୍ତା ଅକ୍ଟୋବର ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଗ୍ରାମ ସମୃଦ୍ଧି ଏବଂ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଠୀଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପାଠୀ ପକ୍ଷ ପାଳନର ଉଦ୍ଦେଶ୍ୟ ଏବଂ ଏହି ଅବସରରେ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଯେଭଳି ଜିଲ୍ଲାରେଏହି କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରାଯାଇ ପାରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବ୍ଲକସ୍ତରରେ ଏହି ପକ୍ଷ ପାଳନ ନିମନ୍ତେ ଯଥାଶୀଘ୍ର କାର୍ଯ୍ୟଖସଡା ପ୍ରସ୍ତୁତକରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ସୂଚନାନୁଯାୟୀ ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ସମସ୍ତ ଗ୍ରାମପଂଚାୟତରେ ଏହି ଅଭିଯାନ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ, ୨ତାରିଖ ଦିନ ପ୍ରଭାତଫେରୀ, ଗ୍ରାମସଭା ଆୟୋଜନ କରାଯିବା ସଙ୍ଗେ ସଙ୍ଗେ ପଂଚାୟତସ୍ତରରେ ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଅକ୍ଟୋବର ୩ ତାରିଖଠାରୁ ୭ ତାରିଖ ପର୍ଯ୍ୟନ୍ତ ଶୈାଚାଳୟ ନିର୍ମାଣ ନିମନ୍ତେ ଆଦେଶପତ୍ର ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ସ୍ୱଚ୍ଛତା କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ସ୍ୱଚ୍ଛତା ଚମ୍ପିୟାନମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହା ବ୍ୟତୀତ ଟ୍ୱିବ୍ୱେଲର ଚାରିପାଖରେ ସଫା ସୁତରାଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ହିତକର ପରିବେଶ ଉପରେ ସଚେତନତା ସୃଷ୍ଟି କରାଯିବ। ଅକ୍ଟୋବର ୮ ତାରିଖ ଓ ୯ ତାରିଖ ଦିନ କୃଷିସଭା ଆୟୋଜନ କରାଯାଇ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଉପରେ ସୂଚନା ପ୍ରଦାନ କରାଯିବ ଏବଂ ବିଭିନ୍ନ ଯୋଜନା ନିମନ୍ତେ ହିତାଧିକାରୀ ଚୟନ କରାଯିବ। ଅକ୍ଟୋବର ୧୦ ତାରିଖ ଦିନ ଗ୍ରାମପଂଚାୟତର ବିକାଶ ନିମନ୍ତେ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯିବ। ଅକ୍ଟୋବର ୧୧ ତାରିଖ ଦିନ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟଖସଡା ପ୍ରସ୍ତୁତ ସଙ୍ଗେ ସଙ୍ଗେ ବର୍ଯ୍ୟବସ୍ତୁ ପରିଚାଳନା ଉପରେ ମଧ୍ୟ ଆଲୋଚନା କରାଯିବ। ଅକ୍ଟୋବର ୧୩ ତାରିଖ ଓ ୧୪ ତାରିଖ ଦିନ ଯୁବକ,ଯୁବତୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ କାର୍ଯ୍ୟକ୍ରମ କରାଯିବାକୁ ଥିବାବେଳେ ୧୫ ତାରିଖ ଦିନ ବିଶ୍ୱ ହାତଧୂଆ ଦିବସ ଅବସରରେ ଉଦ୍ୟାପନୀ କାର୍ଯ୍ୟକ୍ରମ କରାଯିବ।

Leave a Reply

Your email address will not be published. Required fields are marked *