ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧୀନରେ ୧୭ ହଜାର ନଳକୂପ ତଥାପି ଟଳୁନି ଜଳାଭାବ ଆଶଙ୍କା

ଭଦ୍ରକ, ୧୮ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରୁ ଜିଲାରେ ଜଳାଭାବ ଦେଖା ଦେଲାଣି । ଆଗାମୀ ଦିନରେ ଏହି ସମସ୍ୟା ଆହୁରି ଉକôଟ ଆକାର ଧାରଣ କରିବାର ସମ୍ଭାବନା ଦେଖାଦେଇଛି । କାରଣ ଏବେଠାରୁ ଭୂତଳ ଜଳସ୍ତର କମିବାରେ ଲାଗିଲାଣି । ବିଭିନ୍ନ ସ୍ଥାନରେ ଥିବା ପୋଖରୀ, ନଦୀ, କେନାଲ କ୍ରମେ ଶୁଖିବା ଆରମ୍ଭ କଲାଣି । ବିଭିନ୍ନ କୋଠାଘର ଉପରେ ଥିବା ପାଣିଟାଙ୍କିକୁ ମଧ୍ୟ ପାଣି ଉଠିବା ମଧ୍ୟ ବିଳମ୍ବ ହେଉଛି । ଆଗାମୀ ଦିନରେ ଜଳାଭାବକୁ ନେଇ ଆଶଙ୍କା ପ୍ରକାଶ ପାଉଥିବା ବେଳେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର (ଆରଡବ୍ଲୁ୍ୟଏସ୍ଏସ) ଅଧିକାରୀମାନେ ଏ ପ୍ରକାର ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି । ବିଭାଗୀୟ ଅଧିକାରୀ ଇଂ ରମାକାନ୍ତ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ଜିଲାର ୭ଟି ବ୍ଲକ୍ ଅଂଚଳରେ ମୋଟ ୧୬ ହଜାର ୯୫୦ ନଳକୂପ ରହିଛି । ସେଥିମଧ୍ୟରୁ ଭଦ୍ରକ ବ୍ଲକ୍ରେ ୨ ହଜାର ୫୨୧, ଭଣ୍ଡାରିପୋଖରୀରେ ୧ ହଜାର ୯୪୪, ଚାନ୍ଦବାଲିରେ ୨ ହଜାର ୮୦୪, ତିହିଡି ବ୍ଲକ୍ରେ ୨ ହଜାର ୯୨୫, ବାସୁଦେବପୁରରେ ୨ ହଜାର ୫୨୯, ବନ୍ତର ୧ ହଜାର ୯୨୩, ଧାମନଗର ବ୍ଲକ୍ରେ ୨ ହଜାର ୩୦୪ ନଳକୂପ ରହିଛି । ଏହା ବ୍ୟତୀତ ବିଧାୟକ ଓ ସାଂସଦଙ୍କ ହାତ ପାଣ୍ଠିରେ ନିର୍ମିତ ତଥା ବ୍ୟକ୍ତିଗତ ନଳକୂପ ସଂପର୍କରେ ବିଭାଗ ନିକଟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ । ଏହାକୁ ମିଶାଇଲେ ସଂଖ୍ୟା ବହୁତ ବଢିଯିବ । ଗତ ୧ ବର୍ଷ ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ମୋଟ ୪ ହଜାର ୮୫୯ ଟି ନଳକୂପ ଖରାପ ହୋଇଥିବା ଜଣାପଡିବା ପରେ ସେ ସମସ୍ତ ସ୍ଥାନରେ ଆବଶ୍ୟକ ମରାମତି କରାଯାଇଛି । ତେଣୁ ସମସ୍ତ ନଳକୂପ ଏବେ କାର୍ଯ୍ୟକ୍ଷମ ରହିଛି । ଏହା ବ୍ୟତୀତ ଜିଲାରେ ୧୮୦ କାର୍ଯ୍ୟକ୍ଷମ ଜଳ ଉସôରୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଚାଲିଛି । ଏଥିମଧ୍ୟରେ ୨୮ ଟି ଓଭରହେଡ୍ ଟାଙ୍କି ରହିଛି । ସମସ୍ତ ଜଳଉସôର ରକ୍ଷଣାବେକ୍ଷଣ ଦାୟିତ୍ୱ ଏବେ ଗ୍ରାମପଞ୍ଚାୟତଗୁଡିକ ଉପରେ ନ୍ୟସ୍ତ ରହିଛି ଓ ଅଭିଯୋଗ ପାଇବା ପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀମାନେ ଏହାର ତଦାରଖ କରୁଛନ୍ତି । ବିଗତ ୬ ମାସ ମଧ୍ୟରେ ଜିଲାର ୫୨ ଟି ପଞ୍ଚାୟତ ପକ୍ଷରୁ ଅଭିଯୋଗ ଆସିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ଏଗୁଡିକର ମରାମତି କରାଯାଇଥିବା ସେ ସୂଚନା ଦେଇଛନ୍ତି । ଯାହା ଜଣାଯାଏ ଜିଲାର ସାଳନ୍ଦୀ ନଦୀର ଅବବାହିକାରେ ଥିବା ଅଂଚଳରେ ସର୍ବନିମ୍ନ ୪୦ ଓ ସର୍ବାଧିକ ଜଳସ୍ତର ୯୦ ରୁ ୧୧୦ ଫୁଟ୍ ରହିଥାଏ । ମାତ୍ର ଜିଲାର ବୈତରଣୀ ନଦୀର ଅବବାହିକାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ପାନୀୟ ଜଳ ପାଇଁ ୪ ଶହରୁ ୫ ଶହ ଫୁଟ୍ ପର୍ଯ୍ୟନ୍ତ ବୋରିଂ କରିବାକୁ ପଡୁଛି । ଜିଲାର ୭ ଟି ବ୍ଲକ୍ର ଧାମନଗର, ତିହିଡି ଓ ବାସୁଦେବପୁର ବ୍ଲକ୍ରେ ଆଂଶିକ ଅଂଚଳରୁ ଲୁଣାଜଳ ବାହାରିଥାଏ । ମାତ୍ର ଚାନ୍ଦବାଲି ବ୍ଲକ୍ରେ ଅଧିକାଂଶ ସ୍ଥାନ ଲୁଣା ଅଂଚଳ । ତେଣୁ ସେ ସମସ୍ତ ଅଂଚଳରେ ବହୁ ଅଧିକ ବୋରିଂ କରି ଲୋକଙ୍କୁ ମଧୁର ଜଳ ଯୋଗାଇ ଦିଆଯାଉଥିବା ଇଂ ପାଣିଗ୍ରାହୀ କହିଛନ୍ତି । ବାସ୍ତବ ସ୍ଥିତି ହେଲା ୭ ବ୍ଲକ୍ର ଯେଉଁ ସ୍ଥାନକୁ ଗଲେ ଦେଖିବାକୁ ମିଳୁଛି ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇପଡି ରହିଥିବା ବହୁ ନଳକୂପ । କେତେକ ସରକାରୀ ନଳକୂପ ବ୍ୟକ୍ତିଗତ ମାଲିକାନାକୁ ବି ଚାଲିଯାଇଛି । ବହୁ ସ୍ଥାନରେ ପାନୀୟ ଉପଯୋଗୀ ଜଳ ବାହାରୁ ନାହିଁ । ଚାନ୍ଦବାଲିର ବିଭିନ୍ନ ଅଂଚଳରେ ସ୍ଥାପନ କରାଯାଇଥିବା ନଳକୂପରୁ ଲୁଣା ପାଣି ବାହାରୁଥିବା ଅଭିଯୋଗ କରିଛନ୍ତି ସିପିଆଇ ଏମ୍ଏଲ୍ ନେତା ସମର ବଳ । କାରଣ ନଳକୂପ ପାଇଁ ଯେଉଁ ଏଷ୍ଟିମେଟ୍ ହେଉଛି, ସେହି ଅନୁଯାୟୀ କାର୍ଯ୍ୟ ହେଉନାହିଁ । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି  । ସରକାରଙ୍କ ମଧୁର ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍ ମାରୁଛି । ତେଣୁ ଏଷ୍ଟିମେଟ୍ ଅନୁଯାୟୀ ଏହି ଗଭୀର ନଳକୂପର ବୋରିଂ ହେଉନଥିବା ଓ ସାମାନ୍ୟତମ ବୈଷୟିକ ଜ୍ଞାନ ନଥିବା ଗ୍ରାମାଞ୍ଚଳ ଅଧିବାସୀଙ୍କୁ ଭୁଆଁ ବୁଲାଇ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ଏପରି ପରିସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ତେଣୁ ଜିଲାରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ସରକାର ଯେଉଁ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି, ତାହାର ସଦ୍ ବିନିଯୋଗ ହେଲେ ଜଳକଷ୍ଟ ସମସ୍ୟା ହୁଏତ ଦୂର ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *