ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ; ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ଓ ଆୟୁଷ ଡାକ୍ତରଙ୍କ ହାତରେ ରୋଗୀଙ୍କ ଭାଗ୍ୟ

ଯାଜପୁର -୩/୮(ଓଡିଆ ପୁଅ/ଏ.ରାଉତ) ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ହାତରେ ରୋଗୀଙ୍କ ଭାଗ୍ୟ ଥିବା ଦେଖିବାକୁ ମିଳିଛି। ଡାକ୍ତରଖାନାକୁ ଚିକିତ୍ସିତ ହେବାପାଇଁ ରୋଗୀ ଆସି ନାହିଁନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏପରିକି କେତେକ ଡାକ୍ତରଖାନାରେ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି। ଡାକ୍ତରଖାନାକୁ ଗୁରୁତର ରୋଗୀ ଚିକିତ୍ସା ନିମନ୍ତେ ଆସି ନାହିଁନଥିବା ହଇରାଣ ହେଉଛନ୍ତି। ଏପରି ଦୁର୍ଘଟଣାର ଶିକାର ହେଉଥିବା ଲୋକ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ଆସି ଡାକ୍ତର ନଥିବା କି କର୍ମଚାରୀ ନଥିବାରୁ ହଇରାଣ ହେଉଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ସବୁ ଜାଣି ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଯାଜପୁର ବ୍ଲକ୍ର ଲୋକଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ମାର୍କଣ୍ଡପୁରଠାରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୩ ଗୋଟି ସ୍ଥାନରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ସୁଜନପୁର ପଞ୍ଚାୟତର ସୁଜନପୁରଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ) ଖୋଲାଯାଇଛି। କିନ୍ତୁ ଦୀର୍ଘଦିନ ହେବ ସୁଜନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ଡାକ୍ତରଖାନାରେ ଥିବା ଫାର୍ମାସିଷ୍ଟ ରୋଗୀ ଦେଖୁଥିବା ଅଭିଯୋଗ ହେଉଛି। ଏହି ସୁଜନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସୁଜନପୁର ପଞ୍ଚାୟତ ସମେତ ରୁଦ୍ରପୁର, ଏରବାଙ୍କ, ସାହାସପୁର, ଛତିଶଦେବିଲ ଓ ଝାଲପଡ଼ା ପଞ୍ଚାୟତର ଅଧିବାସୀମାନେ ନିର୍ଭର କରିଥାନ୍ତି। କିନ୍ତୁ ଦୀର୍ଘଦିନ ହେବ ଡାକ୍ତର ନଥିବାରୁ ରୋଗୀ ନାହିଁନଥିବା ହଇରାଣ ହେଉଛନ୍ତି। ଉକ୍ତ ଅଞ୍ଚଳର ଗର୍ଭବତୀ ଚିକିତ୍ସା ନିମନ୍ତେ ସୁଜନପୁର ଡାକ୍ତରଖାନାକୁ ଆସି ଚିକିତ୍ସିତ ହୋଇନପାରି ଖର୍ଚ୍ଚାନ୍ତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। ବରୁଆଁ-ବରୀ ରାସ୍ତାର ମଧ୍ୟଭାଗରେ ସୁଜନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ। ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟିଲେ ଦୁର୍ଘଟଣାରେ ଆହାତ ହୋଇଥିବା ବ୍ୟକ୍ତିକୁ ତୁରନ୍ତ ଚିକିତ୍ସା ନିମନ୍ତେ ସୁଜନପୁର ଡାକ୍ତରଖାନାକୁ ନିଆଯାଇଥାଏ। କିନ୍ତୁ ଡାକ୍ତର ନଥିବାରୁ ଆହତଙ୍କ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ସେହିପରି ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ଝାଡ଼ାବାନ୍ତି ଓ ଜ୍ୱର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଏପରିସ୍ଥଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଡାକ୍ତର ନିଯୁକ୍ତି ନିମନ୍ତେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି। ସେହିପରି ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ମାର୍କଣ୍ଡପୁର ପଞ୍ଚାୟତ ସମେତ ଖଣ୍ଡରା, ବାସୁଦେବପୁର, ଜାହାନପୁର, ସାନସୁଆର, ବଡ଼ସୁଆର ପଞ୍ଚାୟତର ଅଧିବାସୀ ନିର୍ଭର କରୁଥିବାବେଳେ ପଡ଼ୋଶୀ ବରୀ ବ୍ଲକ୍ର ଭଅଁରା ଓ ବୋଦୁଅ ପଞ୍ଚାୟତ, ବିଞ୍ଝାରପୁର ବ୍ଲକ୍ର କେତୋଟି ପଞ୍ଚାୟତର ଅଧିବାସୀ ନିର୍ଭର କରିଥାନ୍ତି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକଠାରୁ କମ୍ ଡାକ୍ତର ଅଛନ୍ତି। ଯାହାଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଅସ୍ଥାୟୀଭାବେ ଆସିଲେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା ସୃଷ୍ଟି ହେଉଛି। ଦିନା ୧୨ଟା ଠାରୁ ସକାଳ ୯ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ଡାକ୍ତର ରହୁନଥିବା ଗୁରୁତର ଅଭିଯୋଗ ହେଉଛି। କେବଳ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ୨ ଜଣ ଡାକ୍ତର ଉପସ୍ଥିତ ରହୁଥିବା ଅଭିଯୋଗ ହେଉଛି। ରାତିରେ ଚିକିତ୍ସା ନିମନ୍ତେ ରୋଗୀ ଆସିଲେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ହଇରାଣ ହୋଇ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଆସିବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ସମୟରେ ଡାକ୍ତରଖାନାକୁ ଜାଣିଶୁଣି ବନ୍ଦ କରିଦିଆଯାଉଥିବା ଗୁରୁତର ଅଭିଯୋଗ ହେଉଛି। ବର୍ଷାଦିନେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସର୍ପ ଦଂଶନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଥାଏ। ଏପରିସ୍ଥଳେ ଡାକ୍ତରଙ୍କ ଅନୁପସ୍ଥିତି ସ୍ଥାନୀୟ ଅଧିବାସୀଙ୍କୁ ଚିନ୍ତାରେ ପକାଇଛି। ସେହିପରି ବର୍ଷାଦିନେ ଝାଡ଼ା ବାନ୍ତି ଆଶଙ୍କା ମଧ୍ୟ ସୃଷ୍ଟି ହୋଇପାରେ। ସେହିପରି ଦୀର୍ଘଦିନ ହେବ ରୋଗୀ କଲ୍ୟାଣ ସମିତି ବୈଠକ ହୋଇନଥିବା ଅଭିଯୋଗ ହେଉଛି। ବୈଠକ ହୋଇନଥିବା ବା ବୈଠକ କରିବାକୁ ବିଭାଗର ଇଚ୍ଛା ନଥିବା କେତେକ ଅଭିଯୋଗ କରିଛନ୍ତି। ରୋଗୀ କଲ୍ୟାଣ ସମିତି ବୈଠକ ଡକାଯାଉନଥିବାରୁ କୌଣସି ଜନକଲ୍ୟାଣ ଯୋଜନା ଆଲୋଚନା କରାଯାଇ ପାରୁନାହିଁ। ରୋଗୀ କଲ୍ୟାଣ ସମିତି ବିନା ପରାମର୍ଶରେ ଅର୍ଥ ଖର୍ଚ୍ଚ କରାଯାଉଥିବା ଗୁରୁତର ଅଭିଯୋଗ ଆସିଛି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ନିଦା ବିଷ୍ଣୁ ପାଲଟିଥିବା ଦେଖିବାକୁ ମିଳିଛି। ସେହିପରି ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଯାଜପୁର ବ୍ଲକ୍ ନାଥସାହି ପଞ୍ଚାୟତର ଆଦାମପୁରଠାରେ ଆଦମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ) ଖୋଲାଯାଇଛି। ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନାଥସାହି ପଞ୍ଚାୟତ ସମେତ ଚଇନପୁର, ଖଇରାବାଦ, ଜାଫରପୁର, ବେରୁଦା, ଭୁବନେଶ୍ୱରପୁର ପଞ୍ଚାୟତର ଅଧିବାସୀମାନେ ନିର୍ଭର କରିଥାନ୍ତି। ଏଠି କିନ୍ତୁ ସମାନ ଅବସ୍ଥା। ଅଧିକାଂଶ ସମୟରେ ଡାକ୍ତର ଅନୁପସ୍ଥିତ ରହୁଥିବାରୁ ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ ରୋଗୀଙ୍କୁ ସେବା ଯୋଗାଇ ଦେଇଥାନ୍ତି। ଗୁରୁତର ରୋଗୀ ଆସିଲେ ନାହିଁନଥିବା ହଇରାଣ ହୋଇଥାନ୍ତି। ଡାକ୍ତରଖାନା ଚାରିପଟ ସଫା କରାଯାଉନଥିବାରୁ ଗଛଲତା ମାଡ଼ିବସିଲାଣି। ରୋଗୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ବର୍ଷାଦିନେ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ଆଶଙ୍କା ଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗର୍ଭବତୀ ମହିଳା ଚିକିତ୍ସା ନିମନ୍ତେ ଆଦମପୁର ଡାକ୍ତରଖାନାକୁ ଆସି ଡାକ୍ତର ନଥିବାରୁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଅଧିକାଂଶ ସମୟରେ ଆଦମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତରଙ୍କୁ ସପ୍ତାହରେ ୩ ଦିନ ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଦେଖିବାପାଇଁ କୁହାଯାଇଥିବାରୁ ଆଦମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିଗୁଡ଼ୁଛି ବୋଲି ଅଭିଯୋଗ ହେଉଛି। ବରୁଆଁଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ରହିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଉପର ବରୁଆଁ, ମହେଶ୍ୱରପୁର, ଜମଧର, ଶ୍ୟାମଦାସପୁର ପଞ୍ଚାୟତ ସମେତ ଅନ୍ୟ କେତେକ ପଞ୍ଚାୟତର ଅଧିବାସୀ ନିର୍ଭର କରିଥାନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଓ ଜଣେ ଆୟୁଷ ଡାକ୍ତର ନିଯୁକ୍ତି ପାଇଛନ୍ତି। ଅଧିକାଂଶ ସମୟରେ ମାର୍କଣ୍ଡୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ସମ୍ପୃକ୍ତ ଡାକ୍ତରଙ୍କୁ ମାର୍କଣ୍ଡପୁରକୁ ସପ୍ତାହରେ ୩ ଦିନ ଆସିବାପାଇଁ କହିଥିବାରୁ ବରୁଆଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା ସୃଷ୍ଟି ହେଉଛି। ଏପରିକି ବରୁଆଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଫାର୍ମାସିଷ୍ଟ ରୋଗୀଙ୍କୁ ଦୁର୍ବବ୍ୟବହାର କରୁଥିବା ଗୁରୁତର ଅଭିଯୋଗ ହୋଇଛି। ଦିନ ୧୨ଟା ପରେ ଡାକ୍ତର ଆସୁନଥିବାରୁ ରୋଗୀ ସେବା ଠପ୍ ହେଉଥିବା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଯୋଗାଇ ଦେବାପାଇଁ ବିଭିନ୍ନ ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଦାବି କରାଯାଉଛି ବୋଲି ଯାଜପୁର ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଦେଲେ ହେଲେ ଡାକ୍ତରଖାନାରେ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *