ଓଡ଼ିଶା

ଗ୍ରାମାଚଂଳରେ ବାଟ ହୁଡ଼ିଛି ସ୍ୱାସ୍ଥ୍ୟସେବା!

ରାଉରକେଲା ୨-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପ୍ରତିବର୍ଷ ସାରାବିଶ୍ୱରେ ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏହି ଦିବସକୁ ବିଭିନ୍ନ ସାମାଜିକ, ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପାଳନ କରାଯାଇ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସଚେତନତା ଲାଗି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧରେ ଅବଗତ କରାଯାଉଛି। ହେଲେ ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ଏବେ ମଧ୍ୟ କିଛି ଅପହଂଚ ଇଲାକା ନିକଟ ଗ୍ରାମାଚଂଳ ଗୁଡ଼ିକରେ ସ୍ୱାସ୍ଥ୍ୟସେବାରୁ ବଂଚିତ ହୋଇ ଦହଗଂଜ ହେଉଛନ୍ତି ଦାରିଦ୍ର୍ୟ ଶ୍ରେଣୀର ନିରୀହ ଗ୍ରାମବାସୀ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ପର୍କୀତ ଯୋଜନାର ସୁଫଳ ପାଇବାକୁ ଏଭଳି ଅଂଚଳର ଗ୍ରାମବାସୀ ମାନେ ବହୁ ଦିନରୁ ଦାବି କରି ଆସୁଥିଲେ ସୁଦ୍ଧା ଏହା ବିଫଳ ସାବସ୍ତ୍ୟ ହେଉଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଅପରପକ୍ଷରେ ସରକାରୀ କଳର ଅବ୍ୟବସ୍ଥା ଦ୍ୱାରା ସ୍ୱାସ୍ଥ୍ୟ ସେବା ଅପହଂଚ ଇଲାକା ଗୁଡ଼ିକରେ ପହଂଚି ନପାରିବା ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ପ୍ରତି କୁଠାରଘାତ ସଦୃଶ ହୋଇଛି।ଲାଠିକଟା ବ୍ଲକର ରାମଯୋଡ଼ି ଗ୍ରାମ ପଂଚାୟତରେ ସ୍ୱାସ୍ଥ୍ୟସେବା ଲୋକଙ୍କୁ ଠିକଭାବରେ ମିଳି ପାରୁନାହିଁ ବୋଲି ବହୁ ସମୟରୁ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇ ଆସୁଛି। ଯଦିଓ ଏହି ପଂଚାୟତ କାର୍ଯ୍ୟାଳୟ ନିକଟରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ମାତ୍ର ବର୍ଷର ଅନେକ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସୁବିଧା ଲୋକଙ୍କୁ ଏତେଟା ମିଳି ପାରେ ନାହିଁ ବୋଲି ଅଭିଯୋଗ ହୋଇଥାଏ। ସେହିପରି ବିଭିନ୍ନ ଜଟିଳ ରୋଗର ଚିକିତ୍ସା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯାଇ ପାରି ନଥାଏ। ଏହି କାରଣ ନେଇ ଗ୍ରାମାଂଚଳର ଅଧିକାଂଶ ଗ୍ରାମବାସୀ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ଲାଗି ଗୁଣିଆ ଓ କ୍ୱାର୍କ ମାନଙ୍କ ଉପରେ ନିର୍ଭର କରିବାକୁ ଏକ ରକମର ବାଧ୍ୟ ହୋଇଥାନ୍ତି। ଯାହାକି ସମୟ ସମୟରେ ଅର୍ଥହାନୀର ପୀଡ଼ା ସୃଷ୍ଟି କରିବା ସହ ରୋଗୀର ଜୀବନ ପ୍ରତି ମଧ୍ୟ ଆଶଙ୍କା ଦେଖାଦେଇଥାଏ। ରାମଯୋଡ଼ି ଗ୍ରାମ ପଂଚାୟତ ଠାରୁ ରାଉରକେଲା ସରକାରୀ ହସ୍ପିଟାଲର ଦୂରତ୍ୱ ପ୍ରାୟ ୨୫ କିଲୋମିଟରରୁ ଉର୍ଦ୍ଧ। ଏହି କାରଣରୁ କୌଣସି ରୋଗରେ ପିଡ଼ିତ ବ୍ୟକ୍ତି ଏତେଦୂର ଆସିବା ସମ୍ଭବପର ହୋଇ ପାରିନଥାଏ। ଅପରପକ୍ଷରେ ସରକାରଙ୍କ ଦ୍ୱାରା ପ୍ରଦତ ୧୦୮ ଆମ୍ବୁଲାନ୍ସ ଗାଡ଼ି ମଧ୍ୟ ଏହି ଅଂଚଳରେ ପ୍ରାୟ ସମୟ ଦେଖାଦର୍ଶନ ମିଳୁ ନଥିବାରୁ ଗ୍ରାମବାସୀ ମାନଙ୍କୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କିଛି ଗ୍ରାମବାସୀଙ୍କ ମୁହଁରୁ ଶୁଣିବାକୁ ମିଳେ। ଏପରିକି କିଛି ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଜରୁରୀ ଔଷଧର ଅଭାବ ପରିଲିକ୍ଷିତ ହୋଇଥାଏ। ଫଳରେ ଗ୍ରାମବାସୀ ସହରକୁ ଯାଇ ଔଷଧ କ୍ରୟ କରିବାକୁ ବାଧ୍ୟ ହୋଇଥାନ୍ତି। ସରକାର ସ୍ୱାସ୍ଥ୍ୟ ସମ୍ପର୍କୀତ ବିଭିନ୍ନ ଯୋଜନା ଯେପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ମମତା ଯୋଜନା ଆଦି ସମ୍ବନ୍ଧରେ ଏଠାକାର ଗ୍ରାମବାସୀ ଅଜ୍ଞ ତଥା ସଚେତନ ହୋଇ ନପାରିବା କାରଣରୁ, ଏସବୁର ସୁବିଧା ପାଇବାରେ ଅସମର୍ଥ ହୋଇଥାନ୍ତି। ଗ୍ରାମର ଅଧାରୁ ଅଧିକ ବିପିଏଲ ଶ୍ରେଣୀର ଅର୍ନ୍ତଭୁକ୍ତ ହୋଇଥିଲେ ସୁଦ୍ଧା ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟସେବା ଏମାନଙ୍କ ପାଖରେ ପହଂଚିବା ପାରିବା ସ୍ପଷ୍ଟ ଭାବେ ଦୃଶ୍ୟମାନ ହୁଏ। ଏହି ଅଂଚଳର ପାରିପାର୍ଶୀକ ବିକାଶ ଲାଗି କୌଣସି ଶିଳ୍ପାନୁଷ୍ଠାନ ଯତ୍ନବାନ ହେଉନଥିବାରୁ ଏଠାରେ କେବେ ନିଶ୍କୁକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇନଥାଏ ବୋଲି କିଛି ଗ୍ରାମାବାସୀ ମତ ଦିଅନ୍ତି। ବିଶ୍ୱ ସ୍ଥାସ୍ଥ୍ୟ ଦିବସ ପାଳନ କରିବା ନିହାତି ଭାବେ ଗର୍ବ ଓ ଗୌରବର କଥା ମାତ୍ର, ଏହି ଦିବସର ଯଥାର୍ଥତାକୁ ଉପଲବ୍ଧି କରି ସ୍ୱାସ୍ଥ୍ୟସେବାକୁ ସହର ଠାରୁ ଆରମ୍ଭ କରି ମଫସଲ ଓ ଅପହଂଚ ଇଲାକା ପର୍ଯ୍ୟନ୍ତ ସୂଦୁରପ୍ରସାରୀ କରିବା ନିହାତି ଭାବେ ଜରୁରୀ, ଏଥିରେ ଦ୍ୱିମତ ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top