ଗ୍ରାମଂଚଳରେ ରାତି ହେଲେ ହାତୀ ଭୟ!

ରାଉରକେଲା/୧୪/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଗ୍ରାମରେ ହାତୀପଲଙ୍କ ଉତ୍ପାତ ବଢିବାରେ ଲାଗିଛି । ହାତୀପଲଙ୍କ ଉତ୍ପାତରେ ଗ୍ରାମବାସୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ବିଭିନ୍ନ ଗ୍ରାମ ଯଥା ଡୋଲାକୁଦର, ମୁଣ୍ଡାଯୋର, ବେତଡରା, ମନକୋ, ନୂଆଟୋଲି, ସୋନାପର୍ବତ, କନରସୁଆଁରେ ହାତୀଙ୍କ ଉତ୍ପାତ ବଢିବାରେ ଲାଗିଛି । ସଂଜ ନଇଁଲେ ୧୫ ଜଣିଆ ହାତୀପଲ ଜଙ୍ଗଲରୁ ବାହାରି ଆସି ଜନବସତି ମୁହାଁ ହେଉଛନ୍ତି । ହାତୀ ମାନେ ଧାନଫସଲ ଖାଇଯିବା ସହିତ ଦଳିଚକଟି ଧାନ ଫସଲ ଖାଇଦେବା ସହିତ ଘରେ ପଶି ଧାନଚାଉଳ ମଧ୍ୟ ଖାଇ ଦେଉଛନ୍ତି । ଏପରିକି ସମୟ ସମୟରେ ଗ୍ରାମ ମଧ୍ୟକୁ ପ୍ରବେଶ କରି ଘରଦ୍ୱାର ଭାଙ୍ଗି ଆତଙ୍କ ଖେଳାଇ ଦେଇଥିବା ପ୍ରକାଶ ପାଇଛି । ଗତକାଲି ସଂଧ୍ୟାରେ ହାତୀ ହାବୁଡରେ ପଡିଥିଲେ ମୁଣ୍ଡାଯୋର ପଂଚାୟତର ପୂର୍ବତନ ସମିତି ସଭ୍ୟ ଜଗନ୍ନାଥ ସିଂ । ସେ ଅଳ୍ପକେ ନିଜର ଜୀବନ ବଂଚାଇ ହାତୀ ଆକ୍ରମଣରୁ ବଂଚି ଯାଇଛନ୍ତି । ସେ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ, ହାତୀ ହାବୁଡରେ ପଡ଼ିଥିଲେ । ହାତୀ ତାଙ୍କ ଆଡକୁ ମାଡି ଆସିବା ସମୟରେ ସେ ନିଜ ବାଇକ ଛାଡି ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ବହୁ ସମୟ ଦୂରରେ ଅପେକ୍ଷା କରିବା ପରେ ଶ୍ରୀ ସିଂ ନିଜ ବାଇକ ଧରି ଘରକୁ ଫେରିଥିଲେ । ଏଠାରେ ପ୍ରକାଶ ଥାଉକି, ଗତ ପ୍ରାୟ ଦୁଇ ମାସ ହେବ ଏକ ୧୫ ଜଣିଆ ହାତୀପଲ ଗ୍ରାମଂଚଳରେ ନିଜର ଆତଙ୍କ ଜାହିର କରିଛି । ଏହି ଦଳରେ ୩ଟି ଦନ୍ତା, ୧୦ଟି ମାଈ ହାତୀ ସହିତ ୨ଟି ଛୁଆ ହାତୀ ଥିବା ବେଳେ ସେମାନେ ବିଭିନ୍ନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବାର ଅଭିଯୋଗ ହୋଇଛି । ହାତୀ ଉତ୍ପାତରେ ଡୋଲାକୁଦର ଗ୍ରାମର ଶୁକ୍ରୁ ଓରାମ, ଶୁକ୍ରା ସିଂ, ରାମଚନ୍ଦ୍ର ସିଂ, କ୍ଷୀରମୋହନ ସିଂଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଛି । ରାତି ହେଲେ ହାତୀ ଭୟ ଗ୍ରାମବାସୀଙ୍କୁ ଘାରୁଛି । ଭୟରେ ଲୋକେ ଘର ଛାଡି ହାତୀ ଜଗିବାକୁ ବାହାରୁଛନ୍ତିି । ଅପରପକ୍ଷରେ ବନବିଭାଗର ହାତୀ ଘଉଡାଇବା ଉଦ୍ୟମ ଫସର ଫାଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ହାତୀଙ୍କୁ ଜନବସତି ଠାରୁ ଦୂରକୁ ନିଆଯାଉଥିଲେ ମଧ୍ୟ ସେମାନେ ପୁଣିଥରେ ଗ୍ରାମ ମଧ୍ୟକୁ ପ୍ରତ୍ୟାବର୍ତନ କରୁଛନ୍ତି । ଯାହା ଫଳରେ ଗ୍ରାମବାସୀ ମାନେ ସର୍ବଦା ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *