ଗୋ-ମିତ୍ର କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦାବି ଅବହେଳା ପ୍ରଦର୍ଶନ କଲେ ଆନ୍ଦୋଳନ ଧମକ

ଭୁବନେଶ୍ୱର, ତା ୧୪-୭ (ଓଡ଼ିଆ ପୁଅ) : ରାଜ୍ୟସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରେ ଦୀର୍ଘ ୧୪ ବର୍ଷ ଧରି କାର୍ଯ୍ୟରତ ଥିବା ୪୫୦ ଗୋ-ମିତ୍ର କର୍ମଚାରୀଙ୍କୁ ୧୫ ଦିନ ମଧ୍ୟରେ ସ୍ଥାୟୀ ନିଯୁକ୍ତିରେ ଅବସ୍ଥାପିତ ନ କଲେ ଆଗାମୀ ବିଧାନସଭା କାଳରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି।

ରାଜ୍ୟ ଗୋ-ମିତ୍ର ମହାସଂଘ ତରଫରୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘ ପରିସରରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ପ୍ରଫୁଲ୍ଲ କୁମାର ବେହେରା ଓ ସମ୍ପାଦକ ଅଶୋକ କୁମାର ନାୟକ କହିଛନ୍ତି ଯେ, ରାଜ୍ୟ ସରକାର ୪୫୦ ଗୋ-ମିତ୍ର କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ଦେବାପାଇଁ ୨୦୧୭ ମସିହା ମଇ ମାସ ୧୨ତାରିଖରେ ଏକ ସଂକଳ୍ପ ପ୍ରକାଶ କରିଥିଲେ। ସଂକଳ୍ପରେ ଉଲ୍ଲେଖ ଥିଲା ଯେ, ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସମ୍ପନ୍ନ କ୍ଷମତା କମିଟି ଗଠନ କରାଯାଇ ଆଟେଣ୍ଡାଣ୍ଟ ଭାବେ ଗୋମିତ୍ର କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏହି କର୍ମଚାରୀମାନଙ୍କୁ ନିଯୁକ୍ତି ଦେବାପାଇଁ ରାଜ୍ୟ ଅର୍ଥ ବିଭାଗ ୭୫୩ ଆଟେଣ୍ଡାଣ୍ଟ ପଦବୀ ଗତ ମଇ ମାସରେ ସୃଷ୍ଟି କରିଥିବାର ସଂଘ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦୁଇମାସ ସମୟସୀମା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ନିଯୁକ୍ତି ଦେବାରେ ଅବହେଳା ପ୍ରଦର୍ଶନ କରୁଥିବାରୁ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି।

ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସଂଗଠନର ପ୍ରମୁଖ କର୍ମଚାରୀ ନେତା ଅଜୟ ନାୟକ, ଗଗନ ଭଞ୍ଜ, ଗଙ୍ଗାଧର ସ୍ୱାଇଁ, ଶ୍ୟାମସୁନ୍ଦର ଦାସଙ୍କ ସମେତ ସଂଘ କର୍ମକର୍ତ୍ତା ପ୍ରଶାନ୍ତ ବେହେରା, ଜ୍ୟୋତିରଂଜନ ଜେନା, ଯଶୋବନ୍ତ ନାୟକ, ଶେଖର ନାୟକ, ଅଶୋକ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *