ଓଡ଼ିଶା

ଗୋ-ଚାଲାଣ କରିଡର କେନ୍ଦ୍ରାପଡାରୁ ଭଦ୍ରକ, ଚାଲାଣ ହେଉଛି ପଶ୍ଚିମବଙ୍ଗ, ବାଂଲାଦେଶ

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ରାଜ୍ୟରେ ବଢି ଚାଲିଛି ବେଆଇନ୍ ଗୋ-ଚାଲାଣ। ଏହି ଚାଲାଣର କରିଡର ପାଲଟିଛି ୯ ରାଜପଥ ଓ ୧୬ ନଂ ଜାତୀୟ ରାଜପଥ। ଗୋ ଚାଲାଣକୁ ନେଇ ପ୍ରତିଦିନ ବ୍ୟବସାୟୀଙ୍କ ସହ ଗୋ ସୁରକ୍ଷା ସଂଗଠକ ମୁହାଁମୁହିଁ ହେଉଛନ୍ତି। ଏଥିରେ ଧନ ଜୀବନ ନଷ୍ଟ ହେଉଛି। ତଥାପି ଅଟକିନି ଗୋ ଚାଲାଣ। ବିଶେଷକରି କେନ୍ଦ୍ରାପଡାରୁ ଚାନ୍ଦବାଲି-ଭଦ୍ରକ ରାଜପଥ ଦେଇ ବହୁଳ ପରିମାଣରେ ଗୋରୁ ଚାଲାଣ ହେଉଛି। ଏହି ରାଜପଥ ଚୋରା ଗୋ-ଚାଲାଣର କରିଡର ସାଜିଛି। ପ୍ରତିମାସରେ ରାଜ୍ୟର ବିଭିନ୍ନ ଜିଲାରୁ ୨ ଲକ୍ଷ ୫୩ ହଜାରରୁ ଅଦôକ ଗୋରୁ ଚାଲାଣ ହେଉଛନ୍ତି ବୋଲି ପିପୁଲସ୍ ଫର ଆନିମଲ ରିପୋର୍ଟରୁ ଜଣାପଡିଛି। ପ୍ରତିମାସରେ ୧୦୨ କୋଟି ଟଙ୍କାରୁ ଅଦôକ ମୂଲ୍ୟର ଗୋ ଚାଲାଣ ବ୍ୟବସାୟ ହେଉଛି। ଗୋଟି ଗୋରୁର ବ୍ୟବସାୟୀଙ୍କୁ ମିଳୁଛି ପାଖାପାଖି ୧ ଲକ୍ଷରୁ ଅଧିକ ଲାଭ। ଏହା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ। ତେଣୁ ଚାଲାଣ କମିବା ବଦଳରେ ବଢିବାରେ ଲାଗିଛି। କେନ୍ଦ୍ରାପଡା ଜିଲାରୁ ସିଧା ସଳଖ ୯ନଂ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ଭଦ୍ରକକୁ ଆସୁଛି ଗୋରୁ। ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରୁ ଗୋରୁ କିଣାଯାଇ ପୁରୁଣାବଜାର ଏବଂ ବୁଧୁବାର ହାଟ ପଡିଆରେ ଗଚ୍ଛିତ ରଖାଯାଉଛି। ଏଠାରୁ ଗୋରୁ ଚାଲାଣ ହେଉଛନ୍ତି ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶକୁ। ଗୋରୁ ଚାଲାଣର ମୁଖ୍ୟ ପେଣ୍ଠସ୍ଥଳୀ ସାଜିଛି ଭଦ୍ରକ। ଏଥିପାଇଁ ୧୦୦ ରୁ ଅଧିକ ଟ୍ରକ୍ ନିୟୋଜିତ ହୋଇଛନ୍ତି। ଚାଲାଣ ଗୋରୁର ଲାଭ ସଂପର୍କରେ ମିଳିଥିବା ସୂଚନା ମୁତାବକ, ଗୋଟିଏ ଗୋରୁ କ୍ରୟ କରିବାରେ ଖର୍ଚ୍ଚ ହୋଇଥାଏ ୧୦ ରୁ ୨୦ ହଜାର ଟଙ୍କା। ଏହାପରେ କଂସେଇ ଖାନାରେ ଗୋରୁ ପହଞ୍ଚିବାକୁ ଗାଡି ଖର୍ଚ୍ଚ ସହ ପୁଲିସ୍ ଓ ଅସାମାଜିକ ଯୁବକଙ୍କୁ ସନ୍ତୁଷ୍ଟ କରିବାରେ ବ୍ୟବସାୟୀଙ୍କୁ ପାଖାପାଖି ୨୨ ହଜାର ଟଙ୍କା ଗୋଟିଏ ଗୋଟିଏ ଗୋରୁ ପାଇଁ ଖର୍ଚ୍ଚ କରିବାକୁ ପଡିଥାଏ। ଭଦ୍ରକ ଗୋରୁ ହାଟରେ ଜଣେ ବ୍ୟବସାୟୀ ନାମ ଗୋପନ ରଖିବା ସର୍ତ୍ତରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗୋଟିଏ ଗୋରୁର ମାଂସର ବଜାର ମୂଲ୍ୟ ୨୦ ହଜାର ଟଙ୍କା। ଏଥିସହ ମିଳିଥାଏ ୧୫୦ କିଲୋ ହାଡ। କିଲୋ ୨୦୦ ଟଙ୍କାର ବିକ୍ରି କରାଗଲେ ୩୦ ହଜାର ଟଙ୍କା। ଗୋଟିଏ ଗୋରୁର ଚମଡା ୨୦ ହଜାରରୁ ୨୮ ହଜାର ଟଙ୍କାରେ ବିକ୍ରି କରାଯାଇଥାଏ। ଏଥିସହିତ ଖୁରା ଓ ଶିଂଘର ମୂଲ୍ୟ ଏକ ହଜାର ଟଙ୍କାରେ ବିକ୍ରି କରାଯାଇଥାଏ। ଗୋଟିଏ ଗୋରୁରୁ ମିଳିଥାଏ ୩୦ ଲିଟର ରକ୍ତ, ବଜାର ମୂଲ୍ୟରେ ଏହି ଗୋରୁ ରକ୍ତ ଲିଟର ପିଛା ୨୨୦୦ ରୁ ୨୩୦୦ ଟଙ୍କାରେ ବିକ୍ରି କରାଯାଏ, ପାଖାପାଖି ଏଥିରୁ ୬୬ ହଜାର ଟଙ୍କା ମିଳିଥାଏ। ଚର୍ବି ମିଳିଥାଏ ୨୦ ରୁ ୩୦ କିଲୋ। ଚର୍ବି କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରାଗଲେ ସେଥିରୁ ୬ ହଜାର ଟଙ୍କା ମିଳିଥାଏ। ଏହି ସବୁ ହିସାବରୁ ଗୋଟିଏ ଗୋରୁରୁ ପାଖାପାଖି ମିଳିଥାଏ ୧ ଲକ୍ଷ ୫୭ ହଜାର ୨୦୦ ଟଙ୍କା। ଏଥିରୁ ଖର୍ଚ୍ଚ ବାବଦରେ ୪୦ ରୁ ୫୦ ହଜାର ଟଙ୍କା ଯାଇଥାଏ। ଲାଭକୁ ହିସାବ କଲେ ଗୋଟିଏ ଗୋରୁରୁ ପାଖାପାଖି ୧ ଲକ୍ଷ ଟଙ୍କା ଗୋରୁ ବେପାରୀଙ୍କୁ ମିଳିଥାଏ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top