ଗୋଷ୍ଠି ବିବାଦର ସମାଧାନ ସହିତ ସାମ୍ପ୍ରଦାୟିକ ସଦ୍ଭାବନା ପାଇଁ ଶାନ୍ତି କମିଟିର ନିଷ୍ପତି

ଯାଜପୁର-୨୭/୬(ଓଡିଆ ପୁଅ/ଏ.ରାଉତ) ଗତ ୧୮ ତାରିଖ ଦିନ ବରୀ ଥାନା ଅର୍ନ୍ତଗତ ବାଇଁଶିରିଆ ପଂଚାୟତରୁ ଦୁଇଜଣ ନାବାଳିକାଙ୍କୁ ଅପହରଣ କରାଯାଇଥିଲା। ଏ ନେଇ ଗତ ୧୯ ତାରିଖଦିନ ବରୀ ପୁଲିସ ନିକଟରେ ଉଭୟ ନାବାଳିକାଙ୍କ ଅବିଭାବକ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଉଭୟଙ୍କୁ ଉଦ୍ଧାର କରିବାକୁ ତନାଘନା ଆରମ୍ଭ ହୋଇଥିଲା। ପୁଲିସ ଯାଜପୁର ଜିଲା ସହିତ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ସେମାନେ ପଶ୍ଚିମବଙ୍ଗ ମେଦିନାପୁରରରେ ରହିଥିବା ଖବର ପାଇ ସେଠାରେ ଚଢାଉ କରି ଉଭୟ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଏହି ଘଟଣାରେ ସଂପୃକ୍ତ ୩ ଜଣ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହି ଘଟଣାରେ ଉଭୟ ହିନ୍ଦୁ ଓ ସଂଖ୍ୟାଲଘୁ ଯୁବକ ସାମିଲ ଥିଲେ। ଏହି ଘଟଣା ପରେ ଉକ୍ତ ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେବା ସହିତ ଉଭୟ ଉଭୟଙ୍କୁ ଆକ୍ଷେପ ଓ ପ୍ରତିଆକ୍ଷେପ କରିଥିଲେ। ଯାହା ଉକ୍ତ ଗ୍ରାମରେ ଚାପା ଉତେଜନା ସୃଷ୍ଟି କରିଥିଲା। ଏହାକୁ ନେଇ ପୁଲିସ ଆଜକୁ ଦୁଇଦିନ ହେଲା ସେଠାରେ ପହରା ଦେଉଥିଲାବେଳେ ଗତକାଲି ବରୀ ଆଇଆଇସି ରୋଜାଲିନ ପଟେଲ ଘଟଣାର ସ୍ଥାୟୀ ସମାଧାନ କରିବାକୁ ନିକଟସ୍ଥ ଦୁଇଟି ପଂଚାୟତର ମୁରବୀ ମାନଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରିଥିଲେ। ଆଜି ଉକ୍ତ କମିଟି ଥାନା ପରିସରରେ ବସି ଏହି ଘଟଣାର ଆଲୋଚନା କରିବା ସହିତ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ପୁଲିସକୁ ସାଧୁବାଦ ଦେବା ସହିତ ଏହି ଘଟଣାକୁ ନେଇ ଯେଭଳି କୈାଣସି ବିବାଦ ଦେଖା ନଦିଏ ସେ ନେଇ ନିଷ୍ପତି ଗ୍ରହଣ କରିଥିଲେ। ଆଲୋଚନା ସମୟରେ ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଉଭୟ ସଂପ୍ରଦାୟ ସହମତି ପ୍ରକାଶ କରିଥିଲେ। ଆଇଆଇସିଙ୍କ ଉଦ୍ୟମରେ ଏହି ବିବାଦର ସମାଧାନ ହୋଇଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ। ଆଜିର ଏହି ବୈଠକରେ ଉଭୟ ସଂପ୍ରଦାୟର ବହୁ ବୁଦ୍ଧିଜୀବି ଯୋଗଦେବା ସହିତ ବାଇଁଶିରିଆ ଓ କିମ୍ଭିରିଆପାଳ ପଂଚାୟତର ନିର୍ବାଚିତ ଲୋକପ୍ରତିନିଧି ଓ ପୂର୍ବତନ ଲୋକପ୍ରତିନିଧି ମାନେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *