ଗୋଲକ ଧନ୍ଦାରେ ବିଜେଡି ଓ ବିଜେପି !

ଭୁବନେଶ୍ୱର ୧-୧୧ (ଓଡିଆ ପୁଅ- ପ୍ରିୟରଂଜନ ସାହୁ)ଗଞ୍ଜାମର ବହୁ ଚର୍ଚ୍ଚିତ ଲକ୍ଷ୍ମୀ ପ୍ରଧାନ ମର୍ଡର କେଶ୍ ଏବେ ରୋଚକ ସ୍ଥିତିରେ। ଘଟଣାକୁ ନେଇ ଉଭୟ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ। ଏହି ହତ୍ୟାକାଣ୍ଡର ମାଷ୍ଟମାଇଣ୍ଡ କୁହାଯାଉଥିବା କୃଷ୍ଣ ଓ ଦୁର୍ଯ୍ୟୋଧନ ଏବେ ବ୍ରହ୍ମପୁର ପୋଲିସ ହେପାଜତରେ। ଏମାନଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ବିଜେପି ମୁଖପ୍ରାତ୍ର ଓ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ପୋଲିସ ସମନ କରି ହାଜିରା ଦେବା ପାଇଁ କହିଛି। ଗୋଲକ ମହାପାତ୍ର ହାଜର ହୋଇ ନିଜ ବୟାନ ରଖିବା ପରେ ଘଟଣା କେଉଁ ମୋଡ ନେଉଛି ତାକୁ ଅପେକ୍ଷା।

ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଏହି ଘଟଣାକୁ ନେଇ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗା ରାଜନିତୀ କରୁଛନ୍ତି କାହିଁକି ? ଲକ୍ଷ୍ମୀ ପ୍ରଧାନ ହତ୍ୟାକାଣ୍ଡ ରାଜନୈତିକ ଉଦେ୍ଦ୍ୟଶରେ ହେଉ ବା ଆଉ କେଉଁ କାରଣରୁ ହେଉ ଏହାର ଗୁରୁତ୍ୱ କଣ ରାଜ୍ୟର ସ୍ୱାର୍ଥ ଠାରୁ ଉଦ୍ଧ୍ୱର୍ରେ ? ଏପରି ଅନେକ ଘଟଣା ଘଟୁଛି ରାଜ୍ୟରେ। ମାତ୍ର ସେ ସବୁ ଘଟଣାର କଣ ଏପରି ତଦନ୍ତ କରାଯାଉଛି। ଯାହା ଏହି ଘଟଣାରେ ଦେଖିବାକୁ ମିଳୁଛି। ଏହି ଘଟଣାର ପର୍ଦ୍ଦାଫାଶ କରିବାକୁ ଗଞ୍ଜାମପୋଲିସ ଏତେ ତତ୍ପର କାହିଁକି ? କାରଣ ହତ୍ୟାକାଣ୍ଡର ଶୀକାର ହୋଇ ଥିବା ବ୍ୟକ୍ତି ଜଣକ ଶାସକ ବିଜେଡିର କାଉନ୍ସିଲର୍। ଯଦି ସେ ସାଧାରଣ ଲୋକ ହୋଇଥାନ୍ତା ବା ଅନ୍ୟ କୋଉ ଦଳର ହୋଇଥାନ୍ତା ତେବେ ତଦନ୍ତ ଏତେ ପ୍ରଖର ହୋଇ ନଥାନ୍ତା। କୃଷ୍ଣ ଓ ଦୁର୍ଯ୍ୟୋଧନ ଘଟଣା ପରେ କୋଲକତା ଦେଇ ଡେରାଡୁନରେ ଯାଇ ପହଁଚିଲେ। ସେଠାରୁ ତାଙ୍କୁ ଓଡିଶା ପୋଲିସ ଗିରଫ କଲା। ଗିରଫ ହେଲା ପରେ କୃଷ୍ଣ ଫୋନ୍ ରେକର୍ଡକୁ ଯାଞ୍ଚ ପରେ ଜଣା ପଡିଲା ବିଜେପି ନେତା ଗୋଲକ ମହାପାତ୍ର ତାଙ୍କ ସହିତ ୨୬ ଥର କଥା ହୋଇଛନ୍ତି। ତେଣୁ ତାଙ୍କୁ ତଦନ୍ତ ପରିସରକୁ ଆଣିବା ନିହାତି ଜରୁରୀ। ମାତ୍ର ତାଙ୍କୁ ଯେପରି ଭାବରେ ବିଜେଡି ତରଫରୁ ଚିତ୍ରଣ କରାଯାଉଛି ତାହା ନିହାତି ପକ୍ଷରେ ହାସ୍ୟସ୍ପଦ। ଗୋଲକ ସେପରି ଜଣେ ରାଜ୍ୟସ୍ତରୀୟ ନେତା ନୁହଁନ୍ତି। ତାଙ୍କୁ ଗିରଫ କଲେ ବା ତଦନ୍ତ ପରିସରକୁ ପୋଲିସ ନେଲେ ରାଜ୍ୟର ସେପରି କିଛି ଓଲଟି ଯିବ ନାହିଁ। ଯଦି ସେ ଦୋଷୀ ତେବେ ଆଇନ୍ ତା ବାଟରେ ଯିବ। ତେଣୁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗଞ୍ଜାମ ଏସ୍ପି ଏତେ ତତ୍ପରତା କାହିଁକି ଦେଖାଉଛନ୍ତି ? ଦୁଇ ଅଭିଯୁକ୍ତ ପୋଲିସ ହେପାଜତରେ ଦେଇଥିବା ବୟାନ ଓ କଲ୍ ରେକର୍ଡର ତଥ୍ୟ ମିଡିଆରେ ଭାଇରାଲ୍ ହେବା ପଛର ରହସ୍ୟ କଣ ? ପୋଲିସ କେବଳ କଲ ରେକର୍ଡର ବିବରଣୀ ଦେଇଛି। ଡେରାଡୁନ୍ରେ ସେମାନେ ଏକ ସରକାରୀ ଗେଷ୍ଟ ହାଉସ୍ରେ ଥିଲେ ବୋଲି କହୁଛି। ମାତ୍ର ତାହା କେଉଁ ସରକାରୀ ଗେଷ୍ଟ ହାଉସ୍ ତାହା ପୋଲିସ କହୁ ନାହିଁ। ଯଦି ପୋଲିସ୍ କୃଷ୍ଣର କଲ୍ ରେକର୍ଡକୁ ଟ୍ରାକ୍ କରୁଥିଲା ତେବେ ତାଙ୍କୁ ଡେରାଡୁନ୍ ପର୍ଯ୍ୟନ୍ତ ଯିବାକୁ ଦେଲା କାହିଁକି ? ସେଠାରେ ଏତେ ଦିନ ରହିଲା ପରେ ତାଙ୍କୁ ଗିରଫ କରାଗଲା। ତେଣୁ ଏହା ଗଞ୍ଜାମ ପୋଲିସ୍ର ଏକ ସୁଚିନ୍ିିତ ଯୋଜନା ବୋଲି ଜଣା ପଡୁଛି। ପ୍ରଥମରୁ ହିଁ ପୋଲିସ ଜାଣି ସାରିଥିଲା କୃଷ୍ଣ ଗୋଲକ ମହାପାତ୍ରଙ୍କ ସହିତ କଥା ହେଉଛି। ତେଣୁ ପ୍ରମାଣ ପୁରା ପକ୍କା ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ଡେରାଡୁନ୍ରେ ଗିରଫ ହେବା ପରେ ସିଆରପିସି ଗାଇଡ୍ଲାଇନ୍ ଅନୁସାରେ ସ୍ଥାନୀୟ ପୋଲିସର ସହାୟତା ନେଇଥିବ ଗଞ୍ଜାମ ପୋଲିସ। ତା ପରେ ସ୍ଥାନୀୟ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜିର କରାଇ ରିମାଣ୍ଡରେ ଆଣିଥିବ। ସେ ସବୁର କୌଣସି ଖୁଲାସା କରୁ ନାହିଁ ପୋଲିସ। କୃଷ୍ଣ ଓ ଦୁର୍ଯ୍ୟୋଧନଙ୍କୁ କେମିତି ଓ କେଉଁ ଉପାୟରେ ଗିରଫ କରାଗଲା ତାର କିଛି ବିବରଣୀ ଗଞ୍ଜାମ ପୋଲିସ ଦେଉନାହିଁ। କେଉଁ ଅଫିସର ଏହି ମିଶନ୍ରେ ସାମିଲ୍ ଥିଲେ ତାହା ମଧ୍ୟ ଅସ୍ପଷ୍ଟ। ଏଥିରେ ତଦନ୍ତରେ ବାଧା ଉପୁଜିବ ବୋଲି ଦର୍ଶାଯାଉଛି। ଉତ୍ତରାଖଣ୍ଡରେ ଏବେ ବିଜେପିର ସରକାର ଚାଲିଛି। ଓଡିଶା ପୋଲିସ ସେଠାକାର ପୋଲିସକୁ ହତ୍ୟାକାଣ୍ଡ ବାବଦରେ ସପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବେ। ସେଠାକାର ପୋଲିସ ଜାଣିଥିବେ ଯେ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ। ତଥାପି ସେମାନେ ସବୁ ସହଯୋଗ କରିଥିବେ। ଏ ସବୁ ତଥ୍ୟ ପଦାକୁ ନ ଆସିଲେ ନିଶ୍ଚିତ ଭାବରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ୍ ଗଞ୍ଜାମ ଏସ୍ପିଙ୍କ ଉପରେ। ଯାହାକୁ ନେଇ ହଲ୍ଲାପିଟା କରୁଛି ବିଜେପି। ଅପରପକ୍ଷରେ ଶାସକ ବିଜେଡିକୁ ଏହା ଗୋଟିଏ ଭଲ ରାଜନୈତିକ ମୁଦ୍ଦା ମିଳି ଯାଇଛି। ଏହି ଘଟଣା ଏବେ ତଦନ୍ତ ପଥରେ ମାତ୍ର ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହି ସାରିଲେଣି ବିଜେପି ସଭାପତି ଅମିତ୍ ଶାହା ଜଣେ ଗୁଣ୍ଡା। ତାଙ୍କ ଉପସ୍ଥିତିରେ କୃଷ୍ଣ ଓ ଦୁର୍ଯ୍ୟୋଧନ ବିଜେପିରେ ସାମିଲ ହୋଇଥିଲେ। ଏମାନେ ସିନା ଏବେ ବିଜେପିରେ ମିଶିଲେ ତେବେ ଏହା ପୂର୍ବରୁ କେଉଁ ଦଳରେ ଥିଲେ ବୋଲି ଜନସାଧାରଣ ଓଲଟା ପ୍ରଶ୍ନ କରିଛନ୍ତି।

ସେ ଯାହା ହେଉ ଘଟଣାର ପ୍ରକୃତ ରହସ୍ୟ ଉପରୁ ପର୍ଦ୍ଦାଫାଶ ହେବା ନିହାତୀ ଜରୁରୀ। ଯିଏ ବି ଦୋଷୀ ତାଙ୍କୁ ଦଣ୍ଡ ମିଳୁ। ମାତ୍ର ଏହି ସାମାନ୍ୟ ଘଟଣାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଯେଉଁ ବାଦି ପାଲା ଚାଲିଛି ତାହାର ଅନ୍ତ ଘଟୁ।

Leave a Reply

Your email address will not be published. Required fields are marked *